ରାଉରକେଲା ରାଜନୀତି ଚଳଚଞ୍ଚଳ : କାହାକୁ ସମର୍ଥନ ଦେବେ ଦିଲୀପ?

ଅନୁଗତଙ୍କ ସହ ବୈଠକ ଆଜି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ରାଉରକେଲା ବିଧାୟକ ଦିଲୀପ ରାୟ ଏଥର କାହାକୁ ସମର୍ଥନ ଦେବେ? ବିଜେପିକୁ ଫେରିବେ ନା ବିଜୁ ଜନତା କିମ୍ବା କଂଗ୍ରେସକୁ ସମର୍ଥନ ଦେବେ ? ତାଙ୍କ ଅନୁଗାମୀମାନେ କାହା ପାଇଁ ପ୍ରଚାର କରିବେ ……? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ। ଆସନ୍ତାକାଲି ସେ ରାଉରକେଲା ଆସୁଥିବାରୁ ତାଙ୍କର ଭବିଷ୍ୟତ ରାଜନୈତିକ ନିଷ୍ପତ୍ତି ପ୍ରସଙ୍ଗରେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର୍‌ ଧରିଛି।

ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ କେନ୍ଦ୍ରର ମୋଦୀ ସରକାର ବିଫଳ ହେବାରୁ ଦିଲୀପ ଭାରତୀୟ ଜନତା ପାର୍ଟି ଓ ରାଉରକେଲା ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ୪ ମାସ ବିତିଗଲାଣି। ଦିଲୀପ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ। ନିର୍ବାଚନ ଟିକେଟ୍‌ ବଣ୍ଟନ ପୂର୍ବରୁ ସେ ବିଜେଡିକୁ ଯିବେ ବୋଲି ପ୍ରଚାର ହୋଇଥିଲା। ତେବେ ବିଜୟ ମହାପାତ୍ର ବିଜେପିକୁ ଫେରିବାରୁ ଦିଲୀପ ମଧ୍ୟ ଦଳକୁ ଫେରିବେ ବୋଲି ବିଜେପି କର୍ମୀମାନେ ପ୍ରଚାର କରିଥିଲେ। ବିଧାୟକ ପଦରୁ ଇସ୍ତଫା ଦେବା ବେଳେ ଦିଲୀପ ଘୋଷଣା କରିଥିଲେ ଯେ, ଏଥର ସେ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ। କୌଣସି ଦଳରେ ଯୋଗ ଦେଇଥିଲେ, ସେ ସମ୍ପୃକ୍ତ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତେ। ଯେହେତୁ ଏବେ ସେ ନିରପେକ୍ଷ, ତେଣୁ ତାଙ୍କର କର୍ମୀ ଓ ସମର୍ଥକ ଦ୍ବନ୍ଦ୍ବରେ ଅଛନ୍ତି। ରାଉରକେଲା ରାଜନୀତିରେ ଦିଲୀପଙ୍କର ଯଥେଷ୍ଟ ପ୍ରଭାବ ରହିଛି। ଅତୀତରେ ତାଙ୍କର ଆଶୀର୍ବାଦ ପାଇ ଅନେକ ବିଧାୟକ ହୋଇଛନ୍ତି। ରାଉରକେଲାରେ ଦିଲୀପଙ୍କ ନିଜସ୍ବ ‘ଭୋଟ ବ୍ୟାଙ୍କ’ ଅଛି। ଯେହେତୁ ଏଥର ଦିଲୀପ ନିର୍ବାଚନ ଲଢୁନାହାନ୍ତି, ତେଣୁ ତାଙ୍କର ସମର୍ଥକ ଏଥର ପ୍ରତ୍ୟେକ୍ଷ ଭାବେ ନ ହେଲେ ବି ପରୋକ୍ଷରେ କାହାକୁ ସମର୍ଥନ ତାଙ୍କ ନିର୍ଦେଶ ଅପେକ୍ଷାରେ ରହିଛନ୍ତି।

ସମ୍ବନ୍ଧିତ ଖବର