ଏଡିଏମ୍‌, ଏମ୍‌ଭିଆଇଙ୍କ ସେବାରେ ବେନିୟମ ଗାଡ଼ି

ରାଉରକେଲା : ସଂଶୋଧିତ ଓଡ଼ିଶା ମଟର ଯାନ ଆଇନ ଅନୁଯାୟୀ ବ୍ୟକ୍ତିଗତ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡ଼ି ପାଇଁ ଧଳା ପ୍ଲେଟ୍‌ ଉପରେ କଳା ରଙ୍ଗରେ ରେଜିଷ୍ଟ୍ରେସନ୍‌ ନମ୍ବର ଲେଖାଯିବା ନିୟମ ରହିଛି। ସେହିପରି ଯାତ୍ରୀ ପରିବହନରେ ବ୍ୟବହୃତ ଟ୍ୟାକ୍ସି ଓ ଅନ୍ୟାନ୍ୟ ବାଣିଜ୍ୟିକ ଉପଯୋଗରେ ଲାଗୁଥିବା ଗାଡ଼ିରେ ହଳଦିଆ ପ୍ଲେଟ୍‌ ଉପରେ କଳା ରଂଗରେ ନମ୍ବର ଉଲ୍ଲେଖ ରହିବ। ଉଭୟ ପ୍ରକାର ଗାଡ଼ି ପାଇଁ ଭିନ୍ନ ପରିମାଣର ଟିକସ ଲାଗିଥାଏ। ଏଥିରେ ଖିଲାପ ହେଲେ ବିଧିବଦ୍ଧ ଜରିମାନା ଆଦାୟ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ/ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ)ଙ୍କର କ୍ଷମତା ରହିଛି। ଖୋଦ୍‌ ଏମ୍‌ଭିଆଇ ଓ ରାଉରକେଲାର ପ୍ରଶାସନ ମୁଖ୍ୟ ଅତିରିକ୍ତ ଜିଲ୍ଲାପାଳ (ଏଡ଼ିଏମ୍‌) ବ୍ୟବହାର କରୁଥିବା ଗାଡ଼ି ଯଦି ଏହି ନିୟମ ଉଲ୍ଲଂଘନ କରି ଚାଲିଥାଏ, ତେବେ ସେମାନଙ୍କୁ ଜରିମାନା କରିବ କିଏ? ଏଭଳି ଏକ ପ୍ରଶ୍ନ ସହରର ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିଛି।

ଟିକସ ଫାଙ୍କିବା ପାଇଁ କାର, ବଲେରୋ, ସ୍କର୍ପିଓ ସମେତ ଅନେକ ନାମିଦାମୀ ଘରୋଇ ଗାଡି ନମ୍ବର ପ୍ଲେଟ୍‌ର ରଙ୍ଗ ବଦଳାଇ ବ୍ୟବସାୟିକ ଭିତ୍ତିରେ ନିୟୋଜିତ ହୋଇଛି। ନିୟମ ଭଙ୍ଗ କରୁଥିବା ସମ୍ପୃକ୍ତ ମାଲିକଙ୍କ ବିରୋଧରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ବ୍ୟବସ୍ଥା ରହିଛି। ତେବେ ପ୍ରଭାବଶାଳୀ ଅଫିସରମାନେ ଏସବୁ ବେଆଇନ ଗାଡ଼ି ବ୍ୟବହାର କରୁଥିବାରୁ ସେସବୁ ଗାଡ଼ିକୁ ଜରିମାନା କରିବା ପାଇଁ ପରିବହନ ବିଭାଗ ଅଫିସର ସାହସ କରୁନାହାନ୍ତି। ଖୋଦ୍‌ ଏଡିଏମ୍‌ଙ୍କ ସେବାରେ ନିୟୋଜିତ ସ୍କର୍ପିଓ ଗାଡ଼ିଟି ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଗାଡିଟି ରାଉରକେଲା ପରିବହନ କାର୍ଯ୍ୟାଳୟରେ ବ୍ୟବସାୟିକ ଭିତ୍ତିରେ ପଞ୍ଜୀକୃତ ହୋଇଛି। ହେଲେ ଗାଡିରେ ଲାଗିଥିବା ନମ୍ବର ପ୍ଲେଟ ହଳଦିଆ-କଳା ପରିବର୍ତ୍ତେ, ଧଳା-କଳା ରଙ୍ଗର। ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)ରେ କାର୍ଯ୍ୟରତ ଖୋଦ୍‌ ଏମ୍‌ଭିଆଇ ବ୍ୟବହାର କରୁଥିବା ଇଣ୍ଡିକା କାର ମଧ୍ୟ ବର୍ଷ ବର୍ଷ ଧରି ଏହି ବ୍ୟତିକ୍ରମରେ ଚାଲିଛି।

ଗାଡ଼ି ଯାଞ୍ଚ ଦାୟିତ୍ୱରେ ଥିବା ଏମ୍‌ଭିଆଇ ଯଦି ପରିବହନ ନିୟମ ଭଙ୍ଗ କରନ୍ତି, ତେବେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ସେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବେ, ତାହା ଅନୁମାନ କରାଯାଇପାରେ। ଏ କ୍ଷେତ୍ରରେ କେବଳ ଏଡିଏମ୍‌ କିମ୍ବା ଏମ୍‌ଭିଆଇ ଦୃଷ୍ଟାନ୍ତ ନୁହଁନ୍ତି, ବରଂ ସହରର ଅନେକ ସରକାରୀ ଅଫିସ୍‌ ଏହି ବେନିୟମକୁ ପରମ୍ପରାରେ ପରିଣତ କରିଛନ୍ତି। ଟିକସ୍‌ ଫାଙ୍କିବା ଲକ୍ଷ୍ୟରେ ଶହ ଶହ ଘରୋଇ ଗାଡିର ମାଲିକ ଏହି କୌଶଳ ଅନୁସରଣ କରିଆସୁଛନ୍ତି। ଜଳ ବିଭାଜିକା ମିଶନ, ବନ ବିଭାଗ ରେଞ୍ଜ ଅଫିସର, ଆୟ କର ବିଭାଗ, ବିଦ୍ୟୁତ ବିଭାଗ, ଅବକାରୀ ଆଦି ଅନେକ ବିଭାଗରେ ବ୍ୟବହୃତ ଶତାଧିକ କାର, ବୋଲେରୋ, ସ୍କର୍ପିଓ ଘରୋଇ ଗାଡି ଭାବେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସେଗୁଡ଼ିକ ଭଡ଼ାରେ ଚାଲିଛି।

ଆଞ୍ଚଳିକ ପରିବହନ ଅଧିକାରୀ ଅଶୋକ ଜେନା କହିଛନ୍ତି, ନିକଟରେ ପରିବହନ ବିଭାଗ ପକ୍ଷରୁ ନମ୍ବର ପ୍ଲେଟ୍‌ ଯାଞ୍ଚ କରାଯାଇ ପ୍ରାୟ ୪୦ରୁ ଅଧିକ ଗାଡିରୁ ୫ ହଜାର ଟଙ୍କା ହିସାବରେ ୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ନମ୍ବର ପ୍ଲେଟ୍‌ ନିୟମ ଉଲ୍ଲଂଘନ କରିଥିବା ଗାଡ଼ିଗୁଡ଼ିକ ସମ୍ପର୍କରେ ଅଭିଯୋଗ ଆସିଲେ ତୁରନ୍ତ ଜୋରିମାନା ଅସୁଲ କରାଯାଉଛି। ତେବେ ସରକାରୀ ଅଫିସର ବ୍ୟବହାର କରୁଥିବା ଏଭଳି ଗାଡ଼ିର ଧରପଗଡ଼ ନ ହେବା ସଂକ୍ରାନ୍ତରେ ସେ ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନ ଥିଲେ।

ସହରର କେବଳ ସରକାରୀ ଅଫିସ ନୁହେଁ ଅନେକ ଟ୍ରାନ୍ସପୋର୍ଟରେ ମଧ୍ୟ ଘରୋଇ ଗାଡିଗୁଡିକ ବ୍ୟବସାୟିକ ଭିତ୍ତିରେ ଚାଲୁଛି। ପରିବହନ ବିଭାଗର କିଛି କର୍ମଚାରୀଙ୍କ ଭିତରି ସଲାସୁତୁରାରେ ବର୍ଷ ବର୍ଷ ଧରି ଚାଲୁଥିବାରୁ ବିଭାଗୀୟ ଅଧିକାରୀଙ୍କ ନଜର ପଡୁ ନାହିଁ। ଫଳସ୍ୱରୂପ ବିଭାଗକୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇବାକୁ ପଡୁଛି।

ସମ୍ବନ୍ଧିତ ଖବର