ରାଉରକେଲା ଏନ୍‌ଆଇଟିରେ ବ୍ୟାପକ ହେରଫେର

ସିଏଜି ଦେଲେ ରିପୋର୍ଟ, ଦୁର୍ନୀତିର ଚେର ଆହୁରି ଭିତରେ

ରାଉରକେଲା : ରାଉରକେଲାସ୍ଥ ନ୍ୟାସ୍‌ନାଲ୍ ଇନ୍‌‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନଲୋଜି (ଏନ୍‌ଆଇଟି)ରେ ବିଭିନ୍ନ ବିଭାଗରେ ବ୍ୟାପକ ହେରଫେର ହୋଇଛି ବୋଲି ସିଏଜି ରିପୋର୍ଟ ଦେଇଛନ୍ତି। ଅଧ୍ୟାପକ ନିଯୁକ୍ତିଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ମାମଲାରେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି ବୋଲି ରିପୋର୍ଟରେ କୁହା ଯାଇଛି।

ସୂଚନା ଅନୁସାରେ, ଏହି ରି‌ପୋର୍ଟରେ ୨୦୧୭ ଅଗଷ୍ଟ ମାସରୁ ୨୦୧୮ ନଭେମ୍ବର ମାସ ଯାଏ ଅବଧିକୁ ବିଚାରକୁ ନିଆଯାଇଛି। ଏଥିରେ କୁହାଯାଇଛି ଯେ ୨୦୧୭ ଅଗଷ୍ଟ ମାସରେ ରାଉରକେଲା ଏନ୍‌ଆଇଟି ୨୦ଟି ବିଭାଗରେ ୨୦୩ ଚୁକ୍ତିଭିତ୍ତିକ ଅସ୍ଥାୟୀ ଅଧ୍ୟାପକ ପଦବି ପାଇଁ ବିଜ୍ଞାପନ ଜାରି କରିଥିଲା। ସେଥିରେ ୬,୦୦୦ରୁ ୧୦,୫୦୦ ଏକାଡେମିକ୍ ଗ୍ରେଡ୍ ପେ’ ରଖା ଯାଇଥିଲା। ଏଥିପାଇଁ କମିଟି ମାନବ ସମ୍ବଳ ମନ୍ତ୍ରାଳୟ ସ୍ଥିର କରିଥିବା ପରିବର୍ତିତ ନିୟମକୁ ଅନୁସରଣ କରିବା କଥା। କିନ୍ତୁ ନିଯୁକ୍ତି ଦେବାବେଳେ ସେହି ନିୟମକୁ ବ୍ୟାପକ ଭାବେ ଉଲ୍ଲଂଘନ କରାଯାଇଥିବା ରିପୋର୍ଟରେ କୁହା ଯାଇଛି। କେବଳ ସେତିକି ନୁହେଁ ନୂଆକରି ନିଯୁକ୍ତି ପାଇଥିବା ତିନିଜଣ ଆସିଷ୍ଟାଣ୍ଡ୍ ପ୍ରଫେସରଙ୍କୁ ନିୟମ ଭାଙ୍ଗି ଇନ୍‌କ୍ରିମେଣ୍ଟ୍ ସୁପାରିଶ କରାଯାଇଥିଲା। ସେହିପରି ଆସୋସିଏଟ୍ ପ୍ରଫେସର ପଦ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପିଏଚ୍‌ଡି ସହିତ ଛଅବର୍ଷର ଅଭିଜ୍ଞତା ଥିବାବେଳେ ଜଣେ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା‌ବେଳେ ଅଭିଜ୍ଞତା ପ୍ରସଙ୍ଗର ନିୟମକୁ ଉଲ୍ଲଂଘନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

କେବଳ ଅଧ୍ୟାପକ ନିଯୁକ୍ତି ମାମଲାରେ ନୁହେଁ, ରାଉରକେଲା ଏନ୍‌ଆଇଟିରେ ଆହୁରି ଅନେକ ବିଭାଗରେ ନିୟମ ଉଲ୍ଲଂଘନ କରା ଯାଇଥିବା ସିଏଜି କହିଛନ୍ତି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ସିଭିଲ୍ କନ୍‌ଷ୍ଟ୍ରକ୍ସନ୍ ପାଇଁ ଠିକା ନେଇଥିବା ଏକ ସଂସ୍ଥାକୁ ନିୟମବହିର୍ଭୁତ ଭାବେ ଅଧିକ ୪୮.୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ସ୍ବୀକୃତି ପାଇ ନ ଥିବା ଟ୍ରାଭେଲ୍ ଏଜେଣ୍ଟଙ୍କଠାରୁ ୩୬.୦୫ ଲକ୍ଷ ଟଙ୍କାର ବିମାନ ଟିକଟ କିଣା ଯାଇଥିବା ରିପୋର୍ଟରେ କୁହାଯାଇଛି। କେବଳ ସେତିକି ନୁହେଁ, ଏକ ପ୍ରୋଜେକ୍ଟକୁ ଅଚାନକ ବନ୍ଦ କରିବାରୁ ପ୍ରାୟ ୧୮.୬୮ ଲକ୍ଷ ଟଙ୍କାର କ୍ଷତି, କନ୍‌ସଲ୍‌ଟାନ୍‌ସି ଫି’ ବାବଦରେ ୧.୨୯ ଲକ୍ଷ ଟଙ୍କା ଅଧିକ ପ୍ରଦାନ କରାଯିବା ଭଳି ଅନାବଶ୍ୟକ ଭାବେ ଆହୁରି ଲକ୍ଷ ଲକ୍ଷ ଖର୍ଚ୍ଚ କରାଯିବା ବିଷୟରେ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର