ରାଉରକେଲାରେ ମୁଣ୍ଡଫଟା ତାତି, ଜଳଛତ୍ର ଖୋଲିବାକୁ ଭୁଲିଗଲା ପ୍ରଶାସନ

ରାଉରକେଲା: ରାଉରକେଲା ସହରରେ ତାପମାତ୍ରା ୪୫ ଡିଗ୍ରିକୁ ଟପିଲା। ଡହ ଡହ ଖରାରେ ସିଜୁଛି ଇସ୍ପାତ ସହର। କରୋନା ମାଡ ସାଙ୍ଗକୁ ମୁଣ୍ଡଫଟା ତାତିର ପ୍ରକୋପ ସହରର ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି।  ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ତାତିରୁ ଲୋକଙ୍କୁ ତାତିରୁ ନିସ୍ତାର ନାହିଁ। ପୂର୍ବାହ୍ନ ୮ଟା ବାଜିବା ମାତ୍ରେ ତାତିର ପ୍ରକୋପ ବଢ଼ି ଯାଉଛି। ଅପରାହ୍ନ ସାଢ଼େ ୧୧ଟା ପରେ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟସ୍ତ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଅତି ଜରୁରୀ କାମ ପଡ଼ିଲେ ଲୋକମାନେ ପଦାକୁ ବାହାରୁଛନ୍ତି। ସହରର ଦୁର୍ଗାପୁର ଲଣ୍ଡା ପାହାଡ଼ ସାଙ୍ଗକୁ ରାସ୍ତା ସମ୍ପ୍ରସାରଣ  ନାଁରେ ଅବାଧ ଗଛ କଟା ସହର ତାପମାତ୍ରାଙ୍କୁ ଆହୁରି ବୃଦ୍ଧି କରୁଛି।

ଲକ୍‌ଡାଉନ୍‌ର ଦୁଇ ମାସ ପରେ କଟକଣା କୋହଳ ହେବା ପରେ ମେହନତି ମଣିଷ ରୋଜଗାର ପାଇଁ ପଦାକୁ ବାହାରିଛନ୍ତି। କିନ୍ତୁ ଏମାନଙ୍କ ପାଇଁ ଦାଉ ସାଜିଛି ଅସହ୍ୟ ତାତି।  ଦିନ ମଜୁରିଆ, ଶ୍ରମିକ, ରାସ୍ତାଘାଟର ଦୋକାନତାତିରୁ ତ୍ରାହି ପାଇବାକୁ ଗଛମୂଳ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଶୋଷ ମେଣ୍ଟାଇବାକୁ ସହରର ପ୍ରମୁଖ ଛକରେ ଲାଗିଥିବା ପଇଡ଼, ଆଖୁ, ତରଭୁଜ, ଜୁସ୍‌ ,ଲସି ଦୋକାନୀ, ସରବତ ଆଦି ଦୋକାନରେ ଲୋକଙ୍କ ବେଶ୍‌ ଭିଡ଼ ଜମୁଛି। ସେପଟେ କିନ୍ତୁ ପଥଚାରୀଙ୍କ ଶୋଷ ମେଣ୍ଟାଇବାକୁ ସହରର କେଉଁ ଗୋଟିଏ ଛକରେ ବି ଜଳଛତ୍ର ଦେଖିବାକୁ ମିଳୁ ନାହିଁ।  କରୋନା ଚିନ୍ତାରେ ଉଭୟ ରାଉରକେଲା ଜିଲ୍ଲା ପ୍ରଶାସନ ଓ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଜଳଛତ୍ର ଖୋଲିବାକୁ ଭୁଲି ଯାଇଛନ୍ତି। ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ କରୋନା ମାଡ଼ରେ  ସହରବାସୀଙ୍କ‌ ‌ଶୋଷ କଷ୍ଟକୁ ଭୁଲି ଯାଇଛନ୍ତି।   ପଥଚାରୀ, ଶ୍ରମିକଟିଏ ହେଉ ଅବା ରାସ୍ତାକଡ଼ରେ ଛୋଟ ଦୋକାନ କରି ପେଟ ପୋଷୁଥିବା ପାଣି ଟୋପାଏ ପାଇଁ ଡଳଳ ବିକଳ ହେଉଛନ୍ତି। ସହରର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳ ଛତ୍ର ଖୋଲିବା ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା ରହିଛି।

ଆର୍‌ଏମ୍‌ସି କରୋନା ମୁକାବିଲା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ସାମାନ୍ୟତମ ଦିଗ ପ୍ରତି ଧ୍ୟାନ ଦେବା ସହରର ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ଜନକଲ୍ୟାଣକାରୀ କାମ କରି  ବାହବାହା ନେଉଥିବା ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛା‌ସେବୀ ସଙ୍ଗଠନଗୁଡ଼ିକ ନିଜର କର୍ତ୍ତବ୍ୟକୁ ଭୁଲିଯିବା ସେମାନଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ଆର୍‌ଏମ୍‌ସି ଓ ବିଭିନ୍ନ ସଙ୍ଗଠନଗୁଡ଼ିକ ପକ୍ଷରୁ ସହରର ପାଖାପାଖି ୫୦ରୁ ଅଧିକ ଜଳଛତ୍ର ଖୋଲାଯାଇଥାଏ। ଏଥିସହ କେତେକ ସଙ୍ଗଠନ ମୋବାଇଲ ଯାନ ସହାୟତାରେ ଶୀତଳ ପାନୀୟ  ପଥଚାରୀଙ୍କୁ ବଣ୍ଟନ କରିଥାନ୍ତି। ସହରର ଛେଣ୍ଡ ଛକ, ଡିଏଭି ଛକ, ଛେଣ୍ଡ ବିଏସ୍‌ଏନ୍‌ଏଲ୍ ଛକ, ପାନପୋଷ ଛକ, ଉଦିତନଗର ସାରନାଛକ, ଟ୍ରାଫିକ୍‌ ଗେଟ୍‌, ବିଶ୍ରା ଛକ, ବାସନ୍ତି କଲୋନୀ, ରେଲୱେ କଲୋନି, ଟିମ୍ବର କଲୋନି,  କଳିଙ୍ଗ ବିହାର, ହନୁମାନବାଟିକା, ଆର୍‌ଜିଏଚ୍‌ ଛକ, ପାନପୋଷ ହକି ଛକ ଆଦି ପ୍ରମୁଖ ଛକରେ ଜଳ ଛତ୍ର ଖୋଲାଯାଇଥାଏ। ଅନୁରୂପ ଭାବେ ଇସ୍ପାତ ସହରାଞ୍ଚଳର ଗୋଟିଏ ବି ଛକରେ ଜଳଛତ୍ର ଖୋଲି ନାହିଁ। ‌

ସେପଟେ ଅଂଶୁଘାତ ମୁକାବିଲା  ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ସ୍ବତନ୍ତ୍ର ଅଂଶୁଘାତ ପ୍ରକୋଷ୍ଠ ବ୍ୟବସ୍ଥା ହୋଇ ନଥିବା ଜଣାପଡ଼ିଛି। ପ୍ରତିବର୍ଷ ପବିତ୍ର ଅକ୍ଷୟ ତୃତୀୟାରେ ସହରରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସଙ୍ଗଠନଗୁଡ଼ିକ ପକ୍ଷରୁ ଜଳ ଛତ୍ର ଖୋଲିଥାଏ। ଯେତିକି ଦିନ ସହରରେ ତାତି ରହୁଛି ସେତେ ଦିନ ପର୍ଯ୍ୟନ୍ତ ଆପାତତଃ ସହରର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଖୋଲିବାକୁ  ଦାବି ହେଉଛି।

 

ସମ୍ବନ୍ଧିତ ଖବର