ରାଉରକେଲା ଲାଇନ୍‌ରେ ୩ୟ ଅଘଟଣ: ପୁଣି ବଗି ଛାଡ଼ି ଇଞ୍ଜିନ ଛୁ

ରେଳବାଇ ବେପରୁଆ

ରାଉରକେଲା: ଦକ୍ଷିଣ-ପୂର୍ବ ରେଳପଥର ରାଉରକେଲା ଷ୍ଟେସନ୍‌ଠାରୁ ପ୍ରାୟ ୫ କିଲୋମିଟର ଦୂର ଏସ୍‌ଟିଆଇ ଲେଭଲ୍‌ କ୍ରସିଂ ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍‌ର ଇଂଜିନ୍‌ ବଗିଗୁଡ଼ିକରୁ ବିଚ୍ଛିନ୍ନ ହୋଇ ପ୍ରାୟ ଦେଢ ଶହ ମିଟର ପଳାଇଥିଲା। ସୌଭାଭ୍ୟବଶତଃ ଡ୍ରାଇଭର ଜାଣିବା ମାତ୍ରେ ଇଂଜିନକୁ ପଛକୁ ଫେରାଇ ବଗି ସଂଯୋଗ କରିବା ପରେ ଟ୍ରେନ୍‌ ଯାତ୍ରା କରିଥିଲା। ଆଜିକୁ ମିଶାଇ ରାଉରକେଲା-ଝାରସୁଗୁଡ଼ା ରେଳ ପଥରେ ଏଭଳି ୩ଟି ଅଘଟଣ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି ୪୫ ବଗି ବିଶିଷ୍ଟ କୋଇଲା ବୋଝେଇ ଟ୍ରେନ୍‌ ରାୟଗଡ଼ା ଯାଉଥିଲା। ସିଗନାଲ୍‌ ନ ମିଳିବାରୁ ରାଉରକେଲା ରେଳ ଷ୍ଟେସନ ପରେ ଏବଂ ଏସ୍‌ଟିଆଇ ଫାଟକ ମଧ୍ୟରେ ଟ୍ରେନ୍‌ଟି ଅଟକି ରହିଥିଲା। ସିଗ୍‌ନାଲ ମିଳିବା ପରେ ଟ୍ରେନ୍‌ ଇଂଜିନ ଚାଲି ଯାଇଥିଲା କିନ୍ତୁ ବଗି ସେଠାରେ ରହିଗଲା। ପ୍ରାୟ ଶହେ ମିଟର ଦୂର ଯିବା ପରେ ଟ୍ରେନ୍‌ ଚାଳକ ଏହା ଜାଣି ପାରି ଇଂଜିନକୁ ପଛକୁ ଆଣି ବଗି ଗୁଡ଼ିକ ସଂଯୋଗ କରିଥିଲେ। ଏସମ୍ପର୍କରେ ରେଳ ବିଭାଗ ଷ୍ଟେସନ ମ୍ୟାନେଜର ଏ.କେ.ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସିଗ୍‌ନାଲ ନ ମିଳିବାରୁ ଟ୍ରେନ୍‌ଟି ଅଚାନକ ଅଟକି ଯିବା ବେଳେ ଇଂଜିନ ଓ ବଗି ମଧ୍ୟରେ ସଂଯୋଗ ଲୁହାଟି କୌଣସି କାରଣରୁ ଖସି ଯାଇଥିଲା। ଏଭଳି ତ୍ରୁଟି ଆକସ୍ମିକ ଏବଂ ଏଥିରେ କାହାର ଭୁଲ୍‌ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର