ରାଉରକେଲା: ଟ୍ରକ୍‌ ଦୁର୍ଘଟଣାରେ ଅଚିହ୍ନା ମହିଳାଙ୍କ ମୃତ୍ୟୁ

ରାଉରକେଲା: ରବିବାର ସକାଳେ ସ୍ଥାନୀୟ ପାନପୋଷ ଠାରେ ଥିବା ହକି ଛକରେ ଏକ ଟ୍ରକ୍‌ ଚଢ଼ି ଯିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ମୃତ ମହିଳାଙ୍କର ପରିଚୟ ମିଳିନାହିଁ।

ଆଜି ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ ସମୟରେ ବଣେଇରୁ ରାଉରକେଲା ଆଡ଼କୁ ଯାଉଥିବା ଟ୍ରକ୍‌ଟି ହକି ଛକରେ ରାସ୍ତା ପାରି ହେଉଥିବା ଉକ୍ତ ମହିଳାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ନେଇ ଚାଳକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ଦୁର୍ଘଟଣା ଯୋଗୁଁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଖବର ପାଇ ରଘୁନାଥପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି।

ସମ୍ବନ୍ଧିତ ଖବର