ଆଉ ତିନି ଜଙ୍ଗଲରେ ମହାବଳ ବାଘ

ଭୁବନେଶ୍ୱର : ରାଜ୍ୟର ଆଉ ତିନିଟି ଜଙ୍ଗଲରେ ମହାବଳ ବାଘ ବିଚରଣ କରୁଛନ୍ତି। ବନ ବିଭାଗର କ୍ୟାମେରାରେ ବାଘଙ୍କ ଆତଯାତ କଏଦ୍ ହୋଇଛି। ସୁନ୍ଦରଗଡ଼ର ହେମଗିରି ଜଙ୍ଗଲ, ହୀରାକୁଦର ଦେବ୍ରିଗଡ଼ ଅଭୟାରଣ୍ୟ ଓ ରାୟଗଡ଼ାର ମୁନିଗୁଡ଼ା ଜଙ୍ଗଲ। ଏହାକୁ ନେଇ ବନ୍ୟ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କାରଣ ଏହାପୂର୍ବରୁ କେବଳ ତିନିଟି ଜଙ୍ଗଲରେ ବାଘ ଥିବା ରେକର୍ଡ ରହିଥିଲା। ମୁଖ୍ୟତଃ ଶିମିଳିପାଳ, ସାତକୋଶିଆ ଓ ସୁନ‌ାବେଡ଼ା ଅଭୟାରଣ୍ୟରେ ବାଘ ଥିଲେ। ବାଘ ଗଣନା ବେଳେ ଏହି ତିନିଟି ସ୍ଥାନରେ ହିଁ ଗଣନା କରାଯାଇ ବାଘ ସଂଖ୍ୟାର ତଥ୍ୟ ପ୍ରଦାନ କରାଯାଏ। ୨୦୧୬ରେ ହୋଇଥିବା ବାଘ ଗଣନା ଅନୁଯାୟୀ ରାଜ୍ୟରେ ୪୦ଟି ବାଘ ଥିଲେ। ଏବେ ବାଘ ସଂଖ୍ୟା ପ୍ରାୟ ୬୦ ହେବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ରାଉତରାୟ କହିଛନ୍ତି, ଏହି ତିନିଟି ଜଙ୍ଗଲରେ ପୂର୍ବରୁ କେବେ ବାଘ ଦେଖାଯାଇ ନ ଥିଲା। ଓଡ଼ିଶାର ବିଭିନ୍ନ ଜଙ୍ଗଲର ଯଥେଷ୍ଟ କ୍ଷମତା ରହିଛି ଓ ଏଠାରେ ବାଘ ସଂଖ୍ୟା ନିଶ୍ଚିତ ବୃଦ୍ଧି ପାଇବ। ସୁନାବେଡ଼ା, ସୁନ୍ଦରଗଡ଼ର କିଛି ଅଂଶ ଓ‌ ଦେବ୍ରିଗଡ଼କୁ ‘ଟାଇଗର୍ ରିଜର୍ଭ’ ଘୋଷଣା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାଘଙ୍କ ବିଚରଣ ପାଇଁ ତଥା ସେମାନଙ୍କ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ସାତକୋଶିଆ ଓ ଶିମିଳିପାଳକୁ ବ୍ୟାଘ୍ର ଅଭୟାରଣ୍ୟ ମାନ୍ୟତା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ତିନି ବର୍ଷ ତଳେ ରାଜ୍ୟରେ ବାଘ ସଂଖ୍ୟାକୁ ନେଇ ରାଜ୍ୟ ସରକାର ଓ ଜାତୀୟ ବ୍ୟାଘ୍ର ସଂରକ୍ଷଣ କତ୍ତୃର୍ପକ୍ଷ(ଏନ୍‌ଟିସିଏ)ଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ୨୦୧୫ରେ ଏନ୍‌ଟିସିଏ ପକ୍ଷରୁ ସବର୍ଭା‌ରତୀୟ ସ୍ତରରେ ବାଘ ସଂଖ୍ୟା ନେଇ ପ୍ରକାଶ ପାଇଥିବା ରିପୋର୍ଟରେ ଓଡ଼ିଶାରେ ୨୮ ବାଘ ଥିବା ନେଇ କୁହାଯାଇଥିଲା। ତେବେ ରାଜ୍ୟ ସରକାର ଏହାକୁ ଗ୍ରହଣ କରି ନ ଥିଲେ। ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଘ ଗଣନା କରାଯାଇ ରାଜ୍ୟରେ ୪୦ ବାଘ ଥିବା ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର