ଛତିଶଗଡ଼ରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ଘଟଣା : ଆୟକର ବିଭାଗକୁ ତଦନ୍ତ ଦାୟିତ୍ବ

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଇଓଡବ୍ଲ୍ୟୁର ଚଢ଼ଉ

ଭୁବନେଶ୍ବର : ଛତିଶଗଡ଼ ମହାସମୁନ୍ଦ ପୁଲିସ ଜବତ କରିଥିବା ୧୦ କୋଟି ୯୦ ଲକ୍ଷ ଟଙ୍କାର ପୁଙ୍ଖାନୁପଙ୍ଖ ଅନୁସନ୍ଧା‌ନ ପାଇଁ ଛତିଶଗଡ଼ ରାଜ୍ୟ ସରକାର ଆୟକର ବିଭାଗକୁ ନିର୍ଦେଶ ଦେଇଛନ୍ତି। ଆୟକର ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତବେଳେ କୌଣସି ଆପରାଧିକ ତଥ୍ୟ ନଜରକୁ ଆସିଲେ ଛତିଶଗଡ଼ ପୁଲିସ ତଦନ୍ତ ଭାର ହାତକୁ ନେବ। ଏଭଳି ସୂଚନା ଦେଇଛନ୍ତି ଛତିଶଗଡ଼ ଗୁଇନ୍ଦା ବିଭାଗ ଡିଆଇଜି ଅମରେଶ ମିଶ୍ର। ଆଜି ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଯୋଗ ଦେଇ ଛତିଶଗଡ଼ ଗୁଇନ୍ଦା ବିଭାଗ ଡିଆଇଜି ଶ୍ରୀ ମିଶ୍ର କହିଛନ୍ତି, ଘଟଣାର ତଦନ୍ତ ଆୟକର ବିଭାଗ କରୁଥିବାରୁ ଛତିଶଗଡ଼ ପୁଲିସ ଏ ସମ୍ପର୍କରେ କୌଣସି ସୂଚନା ଦେଇ ପାରିବ ନାହିଁ।

ଅନ୍ୟପକ୍ଷରେ ଟଙ୍କା ଜବତ ଘଟଣାର ତଦନ୍ତ କରୁଥିବା ଇଓଡବ୍ଲୁ ଆଜି ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରହୁଥିବା ଜଣେ ପ୍ରମୁଖ ବ୍ୟବସାୟୀଙ୍କ ଘରେ ଚଢ଼ଉ କରିଛି। ଚଢ଼ଉ ବେଳେ ବ୍ୟବସାୟୀ ଜଣଙ୍କ ଘରେ ନ ଥିଲେ। ତାଙ୍କର ୩ଟି ମୋବାଇଲ ଫୋନ୍ ବନ୍ଦ ଥିଲା। ବ୍ୟବସାୟୀଙ୍କ ପତ୍ନୀ ଅସୁସ୍ଥ ଥିବା କାରଣରୁ ଇଓଡବ୍ଲୁର ଅଧିକାରୀମାନେ ଅଧିକ ପଚରାଉଚରା କରି ପାରି ନ ଥିଲେ।

ଇଓଡବ୍ଲୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଘଟଣାର ପରଦିନ ୨ ଜଣ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଛତିଶଗଡ଼ ମହାସମୁନ୍ଦ ଅଞ୍ଚଳକୁ ଯାଇ ଛାନଭିନ କରିଥିଲା। ତେବେ ସେଠାରେ ଆୟକର ବିଭାଗ ତଦନ୍ତ ହାତକୁ ନେଇଥିବାରୁ ଆମେ କେବଳ କାଗଜପତ୍ର ଓ ଓଡ଼ିଶାରୁ କିଏ ଟଙ୍କା ପଠାଇଥିଲା ସେ ସମ୍ପର୍କରେ ସୂଚନା ଆଣିଥିଲୁ। ସେହି ସୂଚନାକୁ ଆଧାର କରି ଆଜି ମଞ୍ଚେଶ୍ବରରେ ରହୁଥିବା ସଂପୃକ୍ତ ବ୍ୟବସାୟୀଙ୍କ ଘରେ ଚଢ଼ଉ କରାଯାଇଥିଲା। ତେବେ ଆୟକର ବିଭାଗର ତଦନ୍ତ ପରେ ଇଓଡବ୍ଲୁର ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ମିଳିଛି।

ଏଠାରେ ପ୍ରକାଶଥାଉକି, ଚଳିତ ମାସ ୧୯ ତାରିଖରେ ଛତିଶଗଡ଼ର ମହାସମୁନ୍ଦ ପୁଲିସ ମଧ୍ୟ ପ୍ରଦେଶ ସୀମାରେ ଯାନବାହନ ଯାଞ୍ଚ କରିବାବେ‌ଳେ ଓଡ଼ିଶାର କଟକରୁ ଯାଉଥିବା ଏକ ଟୋୟଟା କାର ଜବତ କରିଥିଲା ଯେଉଁଥିରେ ୧୦ କୋଟି ୯୦ ଲକ୍ଷ ଟଙ୍କା ଥିଲା। ଏତେ ପରିମା‌ଣର ଟଙ୍କା କେଉଁଠିକୁ ପଠାଯାଉଥିଲା, କିଏ ପଠାଉଥିଲା ତାର ଖୋଳତାଡ଼ ବେଳେ ଜଣାପଡ଼ିଥିଲା କି ଆଗ୍ରାର ଅବଧେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଟଙ୍କା ସେହି ଗାଡିରେ ଆଗ୍ରା ଯାଉଥିଲା। ଏହାକୁ ନେବାପାଇଁ ଆଗ୍ରାରୁ ବନବାରୀ, ପ୍ରହ୍ଲାଦ, ମହମ୍ମଦ ଇବ୍ରାହିମ, ନଜମା ନାମକ ଜଣେ ମହିଳା ଓଡ଼ିଶା ଆସିଥିଲେ। ଟଙ୍କା ତକ ସବୁ ଆଗ୍ରା ଯାଉଥିଲା।

ସମ୍ବନ୍ଧିତ ଖବର