ଝାରସୁଗୁଡ଼ା : ବନ୍ଧୁକ ଦେଖାଇ ଝାରସୁଗୁଡ଼ା ଟାଉନ୍ ଥାନା ଅନ୍ତର୍ଗତ ବାଇପାସ୍ ରାସ୍ତା ସଂଜୀବନୀ ହସ୍ପିଟାଲ ନିକଟରେ ଥିବା ଏକ ହୋଲ୍ସେଲ ଗୋଦାମରୁ ୧୦ ଲକ୍ଷ ୪୫ ହଜାର ଟଙ୍କା ଲୁଟ୍ ଘଟଣା ଭିନ୍ନ ମୋଡ଼ ନେଇଛି। ଆୟକର ଫାଙ୍କିବାକୁ ଅଭିଯୋଗକାରୀ ମିଥ୍ୟା କାହାଣୀ ରଚିଥିଲେ ବୋଲି ତଦନ୍ତ ବେଳେ ସ୍ପଷ୍ଟ ହୋଇଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଅଶ୍ବିନୀ କୁମାର ମହାନ୍ତି ଏପରି ସୂଚନା ଦେଇଛନ୍ତି।
ଶ୍ରୀ ମହାନ୍ତିଙ୍କ କହିବା ଅନୁଯାୟୀ ଅଭିଯୋଗକାରୀ ଶ୍ରେୟା ଟ୍ରେଡର୍ସର ମାଲିକ ଶଙ୍କର କେଡିଆ ଅଭିଯୋଗ କରିଥିଲେ ଯେ ଗୁରୁବାର ଅପରାହ୍ଣ ସାଢ଼େ ଗୋଟାଏ ବେଳେ ୩ ଜଣ ଯୁବକ ଏକ କଳା ପଲ୍ସର ଆସିଥିଲେ। ଜଣେ ବାହାରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୋଦାମ ଭିତରକୁ ପଶି ବନ୍ଧୁକ ଦେଖାଇ କାଉଣ୍ଟର୍ରେ ଥିବା ୧୦ ଲକ୍ଷ ୪୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏହି ସମୟରେ ଗୋଦାମରେ କାମ କରୁଥିବା କର୍ମଚାରୀମାନେ ଖାଇବାକୁ ଯାଇଥିବା ସେ କହିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପ୍ରଥମେ ବିଭିନ୍ନ ସ୍ଥାନରେ ଥିବା ସିସିଟିଭିର ଫୁଟେଜ୍କୁ ଅନୁଧ୍ୟାନ କରିଥିଲା। ସେହି ସମୟ ମଧ୍ୟରେ କେହି ହେଲମେଟ୍ ପିନ୍ଧା ଯୁବକ ଆସି ନଥିବା ଜାଣିବା ପରେ ପୁଲିସର ସନ୍ଦେହ ବଢ଼ିଥିଲା। ଟଙ୍କା ସଂପର୍କରେ ଶଙ୍କରକୁ ପଚାରି ବୁଝିଥିଲେ। ଅଭିଯୋଗକାରୀ ଏହି ୧୦ ଲକ୍ଷ ୪୫ ହଜାର ଟଙ୍କା ୭ ଜଣ ଗ୍ରାହକଙ୍କୁ ପ୍ରଦାନ କରିଥିବା କହିଥିଲେ। ପୁଲିସ ସେହି ୭ ଜଣ ଗ୍ରାହକଙ୍କ ମଧ୍ୟରୁ ତାଲପଟିଆର ମହୋନ ସାହୁଙ୍କୁ ପଚାରିବାରୁ ସେ ଗତ ୧୧ ତାରିଖଠାରୁ ଗଙ୍ଗା ଯାଇଥିବା ବେଳେ ସେ କୌଣସି ଟଙ୍କା ପ୍ରଦାନ କରିନାହାନ୍ତି ବୋଲି କହିଥିଲେ। ଗୋଦାମର ମୁନସୀ ମଧ୍ୟ ପୁଲିସ ଆଗରେ ସ୍ବୀକାର କରିଛନ୍ତି ଯେ ଏତେ ଟଙ୍କା ଗୋଦାମରେ ନଥିଲା। ଶଙ୍କର ସେଦିନ ଖାଇବାକୁ ଯିବା ପାଇଁ କହି ଗୋଦାମରୁ ସମସ୍ତଙ୍କୁ ବାହାର କରି ଦେଇଥିଲା। ଏହି ଘଟଣାରେ ୯୦ ପ୍ରତିଶତ ମିଥ୍ୟା ଜଣାପଡ଼ିଥିବା ଏସ୍ପି ଶ୍ରୀ ମହାନ୍ତି କହିଛନ୍ତି। ଏହା ଜଣାପଡ଼ିବା ପରେ ଆୟକର ଫାଙ୍କିବା ପାଇଁ ଏପରି କରିଥିବା ଶଙ୍କର ଏସ୍ପିଙ୍କ ସମ୍ମୁଖରେ ସ୍ବୀକାର କରିଛି। ଏହି ମାମଲାର ତଦନ୍ତ ରିପୋର୍ଟ ମିଳିବା ପରେ ଅଭିଯୋଗକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠନ ହେବ ବୋଲି ଏସ୍ପି ସୂଚନା ଦେଇଛନ୍ତି।