ଖଣି ଅଞ୍ଚଳର ଉନ୍ନୟନ ପାଇଁ ୧୦ ହଜାର କୋଟିର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର : ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡ୍‌ସି)ର ପାଣ୍ଠି ବିନିଯୋଗରେ ପ୍ରାୟ ୧୦୦୨୯.୧୭ କୋଟି ଟଙ୍କାର ପ୍ରକଳ୍ପକୁ ନୀରିକ୍ଷଣ କର୍ତ୍ତୃପକ୍ଷ ଅନୁମୋଦନ ଦେଇଛନ୍ତି। ଗତକାଲି ରାଜ୍ୟ ଅତିଥି ଭବନରେ ଜଷ୍ଟିସ୍ ଏ କେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁର ମିଳିଛି।

ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପାଣ୍ଠି ବିନିଯୋଗ ସମ୍ବନ୍ଧିତ ବିଷୟବସ୍ତୁ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଖଣି ଅଞ୍ଚଳଗୁଡ଼ିକରେ ଭୂତଳ ଜଳର ଗୁଣାତ୍ମକ ମାନ ନିୟମିତ ବ୍ୟବଧାନରେ ପରୀକ୍ଷା କରିବାକୁ ଜଷ୍ଟିସ୍ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସଦ୍ୟତମ ସ୍ଥିତି ଓ ରକ୍ଷଣାବେକ୍ଷଣ ବାବଦରେ ଲୋକମାନଙ୍କ ମତାମତ ଜାଣିବା ଉଦ୍ଦେଶ୍ୟରେ ଜଳ ବ୍ୟବହାରକାରୀମାନଙ୍କର ସଂଘ ଗଢ଼ିବାକୁ ବୈଠକରେ ସ୍ଥିର ହୋଇଥିଲା।

ସୁପ୍ରିମକୋର୍ଟଙ୍କ ଦ୍ବାରା ନିର୍ଦ୍ଧାରିତ ଅଗ୍ରାଧିକାର ବିଭାଗ ଆଧାରରେ କର୍ତ୍ତୃପକ୍ଷ ୧୬ଟି ପ୍ରକଳ୍ପ ମଞ୍ଜୁର କରିଥିଲେ। ଏଥିରେ ମୁଖ୍ୟତଃ ଜଳ ଯୋଗାଣ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ଗୁଣାତ୍ମକ ବିକାଶ ପାଇଁ ଭିତ୍ତିଭୂମିର ଉନ୍ନତିକରଣ, ଅନୁସୂଚିତ ଜାତି ଓ ଜନଜାତି ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟରେ ଶୈକ୍ଷିକ ଭିତ୍ତିଭୂମି ବିକାଶ, ସ୍ବାସ୍ଥ୍ୟ ସେବାରେ ଗୁଣାତ୍ମକ ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି, ଖଣି ଅଞ୍ଚଳରେ ପ୍ରଭାବିତ ଗରିବ ଲୋକଙ୍କ ନିମନ୍ତେ ନୂଆ ଜୀବିକା ସୃଷ୍ଟି, ଜଳଛାୟା ପ୍ରକଳ୍ପ, ଜଳାଶୟର ପୁନରୁଦ୍ଧାର ଆଦି ପ୍ରକଳ୍ପ ରହିଛି। ଏହିସବୁ ପ୍ରକଳ୍ପ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ।

ଓମ୍ବାଡ୍‌ସିକୁ ପୂର୍ବରୁ ମିଳିଥିବା କାମ୍ପା ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହି ପର୍ଯ୍ୟାୟ‌େର ଓମ୍ବାଡ୍‌ସିକୁ ସମୁଦାୟ ୮୬୯.୪୨ କୋଟି ଟଙ୍କା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୬୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ବୈଠକରେ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର