ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ, ଭଞ୍ଜନଗର ଗସ୍ତ : ୧୦୭୦ କୋଟିର ପ୍ରକଳ୍ପ ଭେଟି

ବୌଦ୍ଧ/ଭଞ୍ଜନଗର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୌଦ୍ଧ ଓ ଭଞ୍ଜନଗର ଗସ୍ତରେ ଆସି ସମୁଦାୟ ୧୦୭୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଛନ୍ତି। ବୌଦ୍ଧ ପାଇଁ ୯୭୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବାବେଳେ ଭଞ୍ଜନଗର ପାଇଁ ୧୦୦ କୋଟି ଟଙ୍କା ଭେଟି ଦେଇଛନ୍ତି। ଉଭୟ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୌଦ୍ଧଠାରେ ୧୯୧.୯୧୭ କୋଟିର ୯୨ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବାବେଳେ ୭୭୭.୮୦ କୋଟିର ୩୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଗୁଡ଼ିକ ମଧ୍ୟରେ ରହିଛି ମର୍ଜାକୁଦ ସେତୁର ଶିଳାନ୍ୟାସ।। ବୌଦ୍ଧ କଚେରି ପଡ଼ିଆ ଠାରେ ଆୟୋଜିତ ସମାବେଶରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଚାଷୀଙ୍କ କଲ୍ୟାଣ ଓ ଉନ୍ନତି ପାଇଁ କାଳିଆ ଯୋଜାନା ଏକ ଐତିହାସିକ ଯୋଜନା।

ବୌଦ୍ଧ ଜିଲ୍ଲାପାଳ ଶୀତାଂଶୁ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ପୂର୍ତ୍ତ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଳ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସେହିଭଳି, ଦୀର୍ଘ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଞ୍ଜନଗର ଗସ୍ତରେ ଆସି ୧୦୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସଷ୍ଟାଣ୍ଡ, ଟାଉନ ହଲ ଓ ସ୍ବତନ୍ତ୍ର ଉପକାରାଗାରକୁ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବା ସହ ୮୬ କୋଟି ୬୯ ଲକ୍ଷର ୨୪ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି। ଭଞ୍ଜନଗର ଉପଖଣ୍ଡର ୧୨ଟି ସଡ଼କ ପ୍ରକଳ୍ପ, କୋକଳବା ନଦୀ ବାମପାର୍ଶ୍ବ ବନ୍ୟାସୁରକ୍ଷା ପ୍ରକଳ୍ପ, ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ ସମେତ ବେଡାନଦୀ ସେତୁ, ହାତୀମୁଣ୍ଡା ସେତୁ, ସୋ‌ରିଷମୂଳି କେନାଲ ସେତୁ ଓ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି।

ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପରିସରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସମବେତ ଜନତା, ଚାଷୀ ଓ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ରାଜ୍ୟସଭା ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ, ଗୋପାଳପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବ୍ରହ୍ମପୁର ବିଧାୟତ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର ବିଧାୟକ ଡା.ପ୍ରିୟାଂଶୁ ପ୍ରଧାନ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ଦେବରାଜ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଦିନମଣି ନାୟକ, ବିଡିଓ ଅନୀଲ କୁମାର ସେଠୀଙ୍କ ସମେତ ବହୁ ପ୍ରାଶାସନିକ ଅଧିକାରୀ ଯୋଗ ଦେଇ ଥିଲେ। ଗଞ୍ଜାମ ଏସପି ବ୍ରିଜେଶ୍ ରାୟଙ୍କ ‌ନେତୃତ୍ବରେ ଭଞ୍ଜନଗର ଏସଡିପିଓ ଉତ୍କଳ କେଶରୀ ଦାସ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର