ରାଉରକେଲା ଷ୍ଟେସନରୁ ୨.୨୩ କୋଟି ଜବତ

ରାଉରକେଲା : ରାଉରକେଲା ଷ୍ଟେସନରୁ ଏକ ଆନ୍ତଃରାଜ୍ୟ ଟ୍ରେନ୍‌ ଚୋର ଗ୍ୟାଙ୍ଗର ତିନିଜଣଙ୍କୁ ରେଳ ସୁରକ୍ଷା ଯବାନ (ଆର୍‌ପିଏଫ୍) ଗୁରୁବାର ରାତିରେ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି ଏୟାର୍‌ ବ୍ୟାଗ୍‌ରେ ଭର୍ତ୍ତି ୨ କୋଟି ୨୩ ଲକ୍ଷ ଟଙ୍କା, ୧୭ଟି ଏସି ଟୁ ଟାୟାର ଟିକେଟ୍‌, ୩ ମୋବାଇଲ ସମେତ ପୋଷାକପତ୍ର ଜବତ ହୋଇଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ଗ୍ୟାଙ୍ଗ୍‌ର ମୁଖ୍ୟ ରାଞ୍ଚିର ରାଜନ ଶ୍ରୀବାସ୍ତବ, ପାଟନାର ଦୁଇ ଭାଇ ସଞ୍ଜୟ ଗୁପ୍ତା ଓ ସୁନୀଲ ଗୁପ୍ତା। ରାଉରକେଲାରୁ ବମ୍ବେ ଯିବାକୁ ସେମାନେ ଗତ ଗୁରୁବାର ରାତିରେ ରାଉରକେଲା ଷ୍ଟେସନର ୨/୩ ନଂ ପ୍ଲାଟଫର୍ମରେ ଜ୍ଞାନେଶ୍ବରୀ ଏକ୍ସପ୍ରେସକୁ ଅପେକ୍ଷା କରିଥିଲେ। ସିସିଟିଭି ଫୁଟେଜ୍‌ ଆଧାରରେ ଆର୍‌ପିଏଫ୍‌ ଯବାନମାନେ ସନ୍ଦେହରେ ସେମାନଙ୍କୁ ଧରିଥିଲେ। ସେମାନଙ୍କୁ ଆର୍‌ପିଏଫ୍‌ ଥାନାକୁ ଆଣି ପଚରାଉଚରା କରା ଯାଇଥିଲା। ସେମାନେ ଉକ୍ତ ଟଙ୍କାକୁ ହଟିଆ -ହାପ୍ପା ଏକ୍ସପ୍ରେସରୁ ଚୋରି କରିଥିବା ସ୍ବୀକାର କରିଥିଲେ। ପରେ ଆର୍‌ପିଏଫ୍‌ ଅଧିକାରୀ ଜବତ ଟଙ୍କା ସହ ଗିରଫ ତିନିଜଣଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରିଥିଲେ। ଆଜି ତିନି ଅଭିଯୁକ୍ତଙ୍କୁ ରାଉରକେଲା ରେଳବାଇ ଏସ୍‌ପି କାର୍ଯ୍ୟାଳୟର ହାଜର କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନାଁରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସମେତ ଦକ୍ଷିଣ ଭାରତରେ ବିଭିନ୍ନ ରେଳବାଇ ଥାନାରେ ଶତାଧିକ ଚୋରି ମାମଲା ରହିଛି। ତେବେ ଜବତ ଟଙ୍କା କେଉଁଠାକୁ ଯାଉଥିଲା ଓ ଚୋର ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ସେ ସଂପର୍କରେ ଏଯାଏ ନିର୍ଦ୍ଦିଷ୍ଟ ଭାବେ କିଛି ଜଣା ପଡ଼ିନାହିଁ। ଚୋରଙ୍କୁ ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ। ଉଲ୍ଲେଖନୀୟ ଯେ ଗତ ମାର୍ଚ୍ଚ ୩ରେ କଲିକତା ଚିତ୍‌ପୁରର ଗୌରବ କୁମାର ହଟିଆ-ହାପ୍ପା ଏକ୍ସପ୍ରେସ୍ ଏ-୧ କୋଚ୍‌ ସିଟ୍‌ ନଂ -୧୩ରେ ହାୱାଡାରୁ ଅହମ୍ମଦାବାଦ୍‌ ଯାଉଥିଲେ। ସାଥିରେ ଟ୍ରଲି ବ୍ୟାଗ୍‌ରେ ୩ କୋଟି ୧୪ ଲକ୍ଷ ୯ ହଜାର ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ନେଇଯାଉଥିଲେ। ଟାଟା-ରାଉରକେଲା ଷ୍ଟେସନ ମଧ୍ୟରେ ଗିରଫ ତିନି ଅଭିଯୁକ୍ତ ଟଙ୍କା ଭର୍ତ୍ତି ଟ୍ରଲି ବ୍ୟାଗ୍‌ ନେଇଯିବା ପରେ ‌ସେ ଟ୍ରେନ୍‌ରୁ ଓହ୍ଲାଇ ଅନ୍ୟ ଏକ ଟ୍ରେନରେ ରାଞ୍ଚି ଚାଲିଯାଇଥିଲେ। ଟ୍ରେନ ରାଉରକେଲା ଷ୍ଟେସନ ଅତିକ୍ରମ କରିବା ପରେ ଟ୍ରଲି ବ୍ୟାଗ ନ ଥିବା ଜାଣି ଗୌରବ ଖୋଜାଖୋଜି କରିଥିଲେ। ଟ୍ରେନ୍‌ ଅହମ୍ମବାଦରେ ପହଞ୍ଚିଲା ପରେ ଅହମ୍ମଦାବାଦ ରେଳବାଇ ଥାନରେ ଟଙ୍କା ଚୋରି ହୋଇଯାଇଥିବା ନେଇ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର