ଜଳ ବିଭାଜିକାରେ ଘୋଟାଲା : କାଜୁ ଚାଷ ଆଳରେ ୨୦ ଲକ୍ଷ ଟଙ୍କା ସ୍ୱାହା

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆ ବ୍ଲକ୍‌ରେ ଜଳବିଭାଜିକା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି। କଲମି କାଜୁଗଛ ରୋପଣ ନାଁ‌ରେ ୨୦ ଲକ୍ଷ ଟଙ୍କା ଚଳୁ। କ୍ଷେତରେ ନା ଗଛ ଅଛି, ନା ଗାତ। କେଉଁଠି ଗଛ ଲାଗିଥିଲା, ତାହା ବି ଜଣାପଡ଼ୁ ନାହିଁ। କେବଳ ସାଇନ ବୋର୍ଡଟି ରହିଛି। ଯେଉଁଥିରେ ଖର୍ଚ୍ଚ ଅଟକଳ ଓ ଚାରାରୋପଣ ବାବଦରେ ଉଲ୍ଲେଖ କରାଯାଇଛି।

ସାଇନ୍‌ବୋର୍ଡରୁ ଜଣାପଡ଼ିଛି ଯେ, ବ୍ଲକ୍‌ ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତ ଟିଆଁସିପଶି ଗ୍ରାମରେ ୨୦୧୭-୧୮ ବର୍ଷରେ ୧୧ ହେକ୍ଟର ଜମିରେ ୨୨୦୦ କଲମି କାଜୁ ଚାରା ରୋପଣ କରାଯାଇଛି। ମାତ୍ର, ଜମି ସାରା ବୁଲିଆସିଲେ ଗୋଟିଏ ବି ଗଛ ନାହିଁ। ଯଦି ୨୦୧୭ରେ କାଜୁ ଚାରାରୋପଣ କରାଯାଇଥାନ୍ତା ତେବେ ବର୍ତ୍ତମାନ ସେସବୁ ଗଛ ବଡ଼ ହୋଇସାରନ୍ତାଣି। ସାଧାରଣତଃ କଲମି ଚାରା ହୋଇଥିବାରୁ ସଙ୍ଗେସଙ୍ଗେ ଫଳ ମଧ୍ୟ ଆସିଥାଏ। ୩ ବର୍ଷ ପରେ ଫଳିବାକୁ ଛାଡ଼ି ଦିଆଯାଇଥାଏ। ୧୧ ହେକ୍ଟର ଜମି‌ରେ ୨୨୦୦ କାଜୁଗଛ ଏକାସଙ୍ଗେ ମରିଯିବା ମଧ୍ୟ ବିସ୍ମୟକର। କାରଣ ବିଭାଗୀୟ ନିୟମ ଅନୁସାରେ ପ୍ରଥମ ବର୍ଷରେ ଯଦି କିଛି ଗଛ ମରିଯାଏ ତେବେ ଦ୍ବିତୀୟ ବର୍ଷରେ ସେହି ସ୍ଥାନରେ ନୂଆ ଗଛ ଲାଗିଥାଏ। ସେହିପରି ଦ୍ବିତୀୟ ବର୍ଷର ଗଛରୁ ଯଦି କିଛି ମରିଯାଏ ତେବେ ତୃତୀୟ ବର୍ଷରେ ଲଗାଯାଇଥାଏ। ଏଣୁ ଏଠାରେ ଗଛମୂଳରୁ ଲାଗିନଥିବା ପାରିପାର୍ଶ୍ବିକ ସ୍ଥିତିରୁ ସ୍ପଷ୍ଟ ହେଉଛି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକଙ୍କ ଦ୍ବାରା ଏହି କାଜୁ ବଗିଚାରେ ୨୦ ଲକ୍ଷ ୨୭ ହଜାର ୭୨୦ ଟଙ୍କା  ବ୍ୟୟ କରାଯାଇଛି। ୨୨୦୦ କଲମି କାଜୁ ଚାରାର ମୂଲ୍ୟକୁ ବାଦ୍‌ ଦେଲେ ବାଡ଼ ବୁଜିବା, ପାଣି ଦେବା ଓ ଦୈନିକ ମଜୁରି ତଥା ୩ ବର୍ଷଯାଏ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ମାତ୍ର, ୨୦ ଲକ୍ଷ ଟଙ୍କାର ପ୍ରକଳ୍ପଟିର ଆଉ କିଛି ଚିହ୍ନ କେଉଁଠାରେ ବି ଦେଖିବାକୁ ମିଳୁନାହିଁ।

ଏ ସମ୍ପର୍କ‌େର ଜଳ ବିଭାଜିକା ଦାୟିତ୍ବରେ ଥିବା ଅଧିକାରୀ ବନମାଳୀ ପାତ୍ର କହିଥିଲେ ଯେ, ସେହି ଜାଗାରେ କାମ ଚାଲିଛି, ସରିନାହିଁ। ଦୀର୍ଘଦିନରୁ ସେଠାରେ କିଛି କାମ ହେଉନଥିବା ଓ ଗୋଟିଏ ବି ଗଛ ନଥିବା ସଂପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।

ସମ୍ବନ୍ଧିତ ଖବର