ଯାଞ୍ଚବେଳେ ଆହୁରି ୨୦ ଲକ୍ଷ ଟଙ୍କା ଜବତ

କଂଗ୍ରେସ କର୍ମୀଙ୍କ ଗାଡ଼ିରୁ ମିଳିଲା ୭ ଲକ୍ଷ ୭୬ ହଜାର, ପେଟ୍ରୋଲ ପମ୍ପ ମାଲିକଙ୍କ ଗାଡ଼ିରୁ ୯ଲକ୍ଷ ଟଙ୍କା

ପଟ୍ଟାମୁଣ୍ଡାଇ/ ଖଡ଼ିଆଳ/କରଙ୍ଗାମାଲ/ବିଶୋଇ : ନିର୍ବାଚନ ଆଚରଣ ବିଧିକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଇଂ ସ୍କ୍ବାଡ ଯାଞ୍ଚ ଅବ୍ୟାହତ ରଖିଛି। କିଛିଦିନ ଧରି ଲକ୍ଷଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ ଆଜି ପୁଣିଥରେ ଯାଞ୍ଚବେଳେ ପାଖାପାଖି ୨୦ ଟଙ୍କା ଜବତ କରାଯାଇଛି। ଜବତ ଟଙ୍କାର ଉତ୍ସ କ’ଣ ଏବଂ ଏହା ନିର୍ବାଚନ ପାଇଁ ବ୍ୟବହୃତ ହେଉଥିଲା କି ନାହିଁ, ସେ ନେଇ ତଦନ୍ତ କରାଯାଉଥିବା ଜଣାପଡ଼ିଛି।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍ ଛକ ନିକଟରେ ଆଜି ଗୋଟିଏ ମାରୁତି କାରରୁ ୯ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଛି। ଆଳି ଅଂଚଳର ପେଟ୍ରୋଲ ଟାଙ୍କି ମାଲିକ ବସନ୍ତ କୁମାର ଦାସ ଏହି ଟଙ୍କା ନେଇ ଯିବା ସମୟରେ ଯାଞ୍ଚ ବେଳେ ଧରା ପଡିଥିଲା। ଏହି ଟଙ୍କାକୁ ଜିଳ୍ଲା ଟ୍ରେଜେରୀ ଅଫିସରେ ଜମା କରାଯାଇଛି। ପ୍ରମାଣପତ୍ର ଦେଖାଇ ସେ ଟ୍ରେଜେରିରୁ ଏହି ଟଙ୍କା ନେଇ ପାରିବେ ବୋଲି ପୁଲିସ କହିଛି।

ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଲ ଗ୍ରାମ ଠାରେ ଫ୍ଲାଇଂ ସ୍କ୍ବାଡ୍‌-୨ ଯାଞ୍ଚ କରୁଥିବା ବେଳେ କଂଗ୍ରେସ କର୍ମୀଙ୍କ ବଲେରୋ (ଓଡି-୨୬-୯୫୧୫)ରୁ ୭ ଲକ୍ଷ ୭୬ ହଜାର ଟଙ୍କା ଜବତ କରାଯାଇଛି। ଏ ନେଇ ସୁରେନ୍ଦ୍ର ନିଆଲ(ଅନକାପୁର), ଚମ୍ପେଶ୍ୱର ସଲମା (ଜୟବାହାଲ), ଜନ୍ମେଜୟ ସିଂହଦେଓ(କାମପୁର), ଆଶିଷ ରଞ୍ଜନ ପଣ୍ଡା(ତରାପୁର) ଏବଂ ଗାଡ଼ି ଚାଳକ ସନ୍ତୋଷ ବରାତ(ତରାପୁର)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ବଲେରୋରେ କଂଗ୍ରେସ ଦଳର ପତାକା ଲାଗିଥିଲା ବୋଲି ଜଣାପଡ଼ିଛି।

ସେହିଭଳି, ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଶୋଇ ସାରନା ଛକରେ ଆଜି ଗୋଟିଏ ପିକ୍‌ଅପ୍‌ ଭ୍ୟାନରୁ ୨ ଲକ୍ଷ ୪୨ ହଜାର ୧୫୦ ଟଙ୍କା ଜବତ ହୋଇଛି। ବିଶୋଇ ଥାନା ପୁଲିସ ଝାଡ଼ଖଣ୍ଡ ଅଞ୍ଚଳର ଗାଡ଼ି ଡ୍ରାଇଭର କ୍ରିଷ୍ଣା ସାହୁ ଓ ନିତ୍ୟାନନ୍ଦ ନାଏକଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର