ନୂଆପଡ଼ାକୁ ୨୩୮ କୋଟିର ୩୯ ପ୍ରକଳ୍ପ ଭେଟି

ନୂଆପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ନୂଆପଡ଼ା ଜିଲ୍ଲାରେ ୨୩୭ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୫୭ ମିନିଟରେ ହେଲିକପ୍ଟର ଯୋଗେ ଆସି ଜିଲ୍ଲାର ଗୋତମାଠାରେ ପହଞ୍ଚିଥିଲେ। ଏହି ଅବସରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସମେତ ଅନେକ ବିଧାୟକ ଓ ନେତା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ଏଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଥିଲେ। ଏଥିମଧ୍ୟରୁ ଉଦ୍‌ଘାଟିତ ପ୍ରକଳ୍ପଗୁଡ଼ିକର ମୂଲ୍ୟ ୧୩୨ କୋଟିରୁ ଅଧିକ। ଏଥିସହ ୧୦୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ଏକ ଜନସଭାରେ ଯୋଗ ଦେଇଥିଲେ। ଏହି ସଭାରେ ମିସନ ଶକ୍ତି ଅନ୍ତର୍ଗତ ସ୍ବୟ˚ ସହାୟକ ଗୋଷ୍ଠୀରୁ ହଜାର ହଜାର ମହିଳାଙ୍କ ସମେତ ନିର୍ମାଣ ଶ୍ରମିକ, କାଳିଆ ଓ ଜାଗା ଯୋଜନାର ହିତାଧିକାରୀ ଯୋଗ ଦେଇଥିଲେ। ପ୍ରଥମ ଥର ନୂଆପଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଞ୍ଚରେ କୌଣସି ନେତାଙ୍କୁ ଦେଖିବାକୁ ମିଳି ନଥିଲା। ମୁଖ୍ୟମନ୍ତ୍ରୀ ସହ ସୁରକ୍ଷା ଜ୍ୟାକେଟ୍ ଓ ହଳଦିଆ ଟୋପି ପିନ୍ଧିଥିବା ଦୁଇଜଣ ନିର୍ମାଣ ଶ୍ରମିକ, ଦୁଇଜଣ ସ୍ବୟ˚ ସହାୟକ ଗୋଷ୍ଠୀର ମହିଳା ଓ ଦୁଇଜଣ କାଳିଆ ହିତାଧିକାରୀ ଏମିତି ମାତ୍ର ୭ ଜଣ ମଞ୍ଚରେ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ଡା. ପୋମା ଟୁଡୁ ବିବରଣୀ ପାଠ କରିଥିଲେ ଏବଂ ବିଭୁଦତ୍ତ ଯୋଷୀ ମଞ୍ଚ ପରିଚାଳନା କରିଥିଲେ।

ନୂଆପଡ଼ାବାସୀଙ୍କୁ ମୋର ଜୁହାରରୁ ନିଜର ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। କାଳିଆ ଯୋଜନା, କାଳିଆ ଶିକ୍ଷା ବୃତ୍ତି ଯୋଜନା ଉପରେ ମୁଖ୍ୟମନ୍ତ୍ରୀ ଭାଷଣ ଦେବା ସହ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏହି ଯୋଜନା ଯୁଗାନ୍ତକାରୀ ହେବ ବୋଲି କହିଥିଲେ। କାଳିଆ ଯୋଜନାର ସୁଯୋଗ ନେଇ ନିଜ ପିଲାମାନଙ୍କୁ ଅଧିକ ପାଠ ପଢ଼ାଇବା ସହ ଡାକ୍ତର, ଇଞ୍ଜିନିୟର ଓ ବୈଜ୍ଞାନିକ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଏଥିଲାଗି ସବୁ ଟଙ୍କା ସରକାର ଦେବେ ବୋଲି କହିଥିଲେ। କେନ୍ଦ୍ର ସରକାର କୃଷକମାନଙ୍କ କରିଥିବା ଯୋଜନାରେ କ୍ଷୁଦ୍ର ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ କିଛି ନଥିବା ଦର୍ଶାଇ ସହାୟତା ରାଶିକୁ ୬ ହଜାରରୁ ୧୦ ହଜାର କରିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥିସହ ସଭାସ୍ଥଳରେ କାଳିଆ ଯୋଜନାରେ ସହାୟତା ପାଇଥିବା ହିତାଧିକାରୀ ଓ କାଳିଆ ଛାତ୍ରବୃତ୍ତି ହିତାଧିକାରୀଙ୍କ ସହ ଭାବ ବିନିମୟ କରିଥିବା ବେଳେ ମିସନ ଶକ୍ତିରେ ସାମିଲ ହୋଇଥିବା ସ୍ବୟ˚ ସହାୟକ ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହନ ରାଶି, ଡିଜିଟାଲ ସଶକ୍ତୀକରଣ ସହାୟତା ଏବ˚ ବ୍ଲକସ୍ତରୀୟ ମହାସ˚ଘ ଗୁଡିକୁ ସହାୟତା ପ୍ରଦାନ କରିଥିଲେ। ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କୁ ବୋର୍ଡ ଦ୍ବାରା ଦିଆ ଯାଉଥିବା ବିଭିନ୍ନ ସହାୟତା ପ୍ରଦାନ କରିଥିବା ବେଳେ ଜାଗା ଯୋଜନାରେ ଭୂମିହୀନମାନଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହାସହ ୫ ବ୍ଲକର ପଞ୍ଜୀକୃତ ୧୭ ଶହ ନିର୍ମାଣ ଶ୍ରମିକଙ୍କୁ ୧୭ ଶହ ସାଇକଲ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର