ଶିଶୁ ବିକାଶ ପାଇଁ ୨୫୮୪ କୋଟିର ଯୋଜନାକୁ ମଞ୍ଜୁରି

ଅଙ୍ଗନବାଡ଼ିରେ ‘ମମତା ଗୃହ’ ହେବ, ପିଲାଙ୍କୁ ମିଳିବ ଔଷଧ କିଟ୍‌

ଭୁବନେଶ୍ବର : ରାଜ୍ୟରେ ଶିଶୁ ବିକାଶ କାର୍ଯ୍ୟକ୍ରମ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ୨୫୮୪.୩୮ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ ଯୋଜନାକୁ ମଞ୍ଜୁରି ମିଳିଛି। ଏଥିରେ ଅଙ୍ଗନବାଡ଼ି ‘ମମତା ଗୃହ’ କରାଯିବ। ଗ୍ରାମ୍ୟ ସ୍ବାସ୍ଥ୍ୟ ଓ ପୁଷ୍ଟି ଦିବସମାନଙ୍କରେ ଗର୍ଭବତୀ ମହିଳା ଓ ମା’ମାନଙ୍କୁ ସାଧାରଣ ସ୍ବାସ୍ଥ୍ୟ ପାଇଁ ଚେକ୍‌-ଅପ୍‌ ଓ ଡାକ୍ତରୀ ପରାମର୍ଶ ଦିଆଯିବ। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲାମାନଙ୍କ ପାଇଁ ସାଧାରଣ ଔଷଧ ଓ ଭିଟାମିନ୍‌ କିଟ୍‌ ଯୋଗାଇ ଦିଆଯିବ।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଷମତା ସଂପନ୍ନ କମିଟି ବୈଠକରେ ଏହି କାର୍ଯ୍ୟ ଯୋଜନାକୁ ଅନୁମୋଦନ ଦିଆଯାଇଛି। ବୈଠକରେ ମମତା ଗୃହ ଓ ପିଲାଙ୍କ ପାଇଁ ଔଷଧ କିଟ୍‌ ଯୋଗାଣ ନିଷ୍ପତ୍ତି ନିଆଯାଇଛି। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲାଙ୍କ ପାଇଁ ପ୍ରେରଣାଦାୟୀ ଓ ଆକର୍ଷଣୀୟ କରିବାକୁ ଶ୍ରୀ ପାଢ଼ୀ ପରାମର୍ଶ ଦେଇଥିଲେ। ପର୍ଯ୍ୟାୟ କ୍ରମେ ସବୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଏଲ୍‌ପିଜି ଗ୍ୟାସ ଓ ରିଫିଲ୍‌ ସିଲିଣ୍ଡର ଯୋଗ‌ାଇଦେବାକୁ ବୈଠକରେ ନିଷ୍ପତ୍ତି ନିଆଯା‌ଇଥିଲା।

ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ ମମତା ଗୃହ ସଂପର୍କରେ ସୂଚନା ଦେଇଥିଲେ। ଅଙ୍ଗନବାଡ଼ିର ବାହ୍ୟ କାନ୍ଥ ସୌନ୍ଦର୍ଯ୍ୟକରଣ, ଆଭ୍ୟନ୍ତର ସାଜସଜ୍ଜା, ରୋଷେଇ, ବଗିଚା, ପାଚେରି, ବିଦ୍ୟୁତୀକରଣ, ପାନୀୟଜଳ, ଶୌଚାଳୟ ଆଦିର ବ୍ୟବସ୍ଥା କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ମହିଳା ଓ ଶିଶୁ ବିକାଶ ନିର୍ଦେଶକ ରେଘୁ ଜି କହିଥିଲେ, ଚଳିତ ବର୍ଷ ତୁଳନାରେ ଆଗାମୀ ବର୍ଷର ଖର୍ଚ ଅଟକଳ ୧୭.୫ ପ୍ରତିଶତ ଅଧିକ ହୋଇଛି।

ସମ୍ବନ୍ଧିତ ଖବର