କାର୍‌ରୁ ୩୪ ଲକ୍ଷ ଜବତ, ୩ ଯୁବକ ଅଟକ

ବିଶୋଇ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ସ୍ଥାନୀୟ ବଜାର ଛକରୁ ଗୋଟିଏ କାରରୁ ଗତକାଲି ବିଳମ୍ବିତ ରାତିରେ ୩୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି। ବିଶୋଇ ଥାନା ପୁଲିସ କାର୍‌କୁ ଜବତ କରିବା ସହିତ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ଯୁବକମାନେ ହେଲେ କେନ୍ଦୁଝର ଜିଲ୍ଲା କାଳିମାଟି ଅଞ୍ଚଳରେ ଥିବା ଇନ୍‌ଫ୍ରା ଷ୍ଟ୍ରକ୍‌ଚର ଡେଭଲପ କମ୍ପାନି ଲିମିଟେଡର ଚିଫ୍‌ ଫାଇନାନ୍‌ସିଆଲ ଅଫିସର ଦିଲ୍ଲୀପ କୁମାର ସିଂ(୪୯), ଗାଡି ଡ୍ରାଇଭର ମହମ୍ମଦ ଫିରୋଜ (୩୨) ଓ ସଂପୃକ୍ତ କମ୍ପାନିର କଲିକତା କାର୍ଯ୍ୟାଳୟର କିରାଣୀ ବିପ୍ଳବ ଦାସ (୩୮)।

ପୁଲିସ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟା ବେଳେ କାର୍‌ (ଡବ୍ଲ୍ୟୁ-୦୨-ଏଜେ-୭୯୪୫) ଯୋଗେ ୩୪ ଲକ୍ଷ ୨୪ ହଜାର ୮୩ ଟଙ୍କା ଧରି ସଂପୃକ୍ତ କମ୍ପାନିର ଚିଫ ଫାଇନାନ୍‌ସିଆଲ ଅଫିସର ଦିଲ୍ଲୀପ ଓ କିରାଣି ବିପ୍ଳବ କଲିକତା ଅଭିମୁଖେ ଯାଉଥିଲେ। ବିଶେଷ ସୂତ୍ରରୁ ଖବରପାଇ ମୟୂରଭଞ୍ଜ ଏସ୍‌ପି ଏନେଇ ବିଶୋଇ ଥାନାକୁ ଅବଗତ କରିଥିଲେ। ଆଇଆଇସି କୁନି ବେଶ୍ରାଙ୍କ ନିର୍ଦେଶକ୍ରମେ ଏଏସ୍‌ଆଇ ରବି ନାରାୟଣ ସ୍ୱାଇଁ ସଦଳବଳେ ରାତ୍ରିକାଳୀନ ଯାଞ୍ଚ୍‌ କରୁଥିବା ବେଳେ କାର୍‌କୁ ଠାବ କରିଥିଲେ। ପଚରାଉଚୁରା କରିବା ବେଳେ କାର୍‌ରେ ଟଙ୍କା ଥିବା ଜାଣି ପାରିଥିଲେ। ଏହାପରେ ତୁରନ୍ତ ଆଇଆଇସି କୁନି ବେଶ୍ରା, ଏସଆଇ ବେଦପ୍ରକାଶ ନନ୍ଦ ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡିକୁ ଜବତ କରିବା ସହିତ ୩ ଯୁବକଙ୍କୁ ପୁଲିସ ବିଶୋଇ ଥାନାକୁ ଆଣିଥିଲା। ତେବେ କେନ୍ଦୁଝର କାଲିମାଟି ଟୋଲ୍‌ଗେଟରୁ ଚଳିତ ମାର୍ଚ୍ଚ ୧୫ ତାରିଖରୁ ୨୮ ତାରିଖ ଯାଏ ଆଦାୟ ହୋଇଥିବା ଏହି ଟଙ୍କାକୁ କଲିକତାସ୍ଥିତ ନିୟୁ ଆଲିପୁର ଆଇସିଆଇସିଆଇ ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିବା ଅଟକ ଯୁବକମାନେ ବୟାନ ଦେଇଥିଲେ। ଖବରପାଇ ରାଇରଙ୍ଗପୁର ଏସଡିପିଓ ଅମୂଲ୍ୟ କୁମାର ଧର, ଏଏସ୍‌ପି ଅଶୋକ ପଟ୍ଟନାୟକ ପହଞ୍ଚି ଘଟଣାର ତନାଘନା କରିଥିଲେ। ତେବେ ଏନେଇ ପୁଲିସ ଅଧିକ ଖୋଳତାଡ଼ କରୁଛି।

ସମ୍ବନ୍ଧିତ ଖବର