ନିଆଳି ଇଣ୍ଡିଆନ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କଠାରୁ ୩୫ ଲକ୍ଷ ଲୁଟ୍‌ ଘଟଣା : ସ୍ପେସାଲ ସ୍କ୍ବାଡ୍‌ର ଖୋଳତାଡ଼ ଆରମ୍ଭ, ସନ୍ଦେହ ଘେରରେ ଅଭିଯୋଗକାରୀ

ଭୁବନେଶ୍ବର/ବାଲିଅନ୍ତା : ନିଆଳି ଇଣ୍ଡିଆନ୍‌ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୩୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାକୁ ୨୪ ଘଣ୍ଟା ପୂରିଛି। ହେଲେ ଡକାୟତଙ୍କ ପାଖରେ ପହଞ୍ଚି ପାରିନି ପୁଲିସ। ଥାନାରେ ଅଟକ ଥିବା କାର ଚାଳକ ଓ ବ୍ୟାଙ୍କ୍‌ର ଦୁଇ କର୍ମଚାରୀ ତଥା ଅଭିଯୋଗକାରୀଙ୍କୁ ବ୍ୟାଙ୍କ ପରିଚାଳକଙ୍କ ସହ ମୁହାଁମୁହିଁ କରିଛି ପୁଲିସ। ଏପରି ପଚରାଉଚରାରୁ ପୁଲିସକୁ ଅନେକ ତଥ୍ୟ ମିଳିଛି। ଏତେଗୁଡ଼ାଏ ଟଙ୍କା ଭଡ଼ା ଗାଡ଼ିରେ କାହିଁକି ଯାଉଥିଲା? ଗାଡ଼ିରେ କାହିଁକି ସୁରକ୍ଷାକର୍ମୀ ନଥିଲେ? ଟଙ୍କା ବୁହା ହେବା ଘଟଣା ଡକାୟତ କିଭଳି ଜାଣିଲେ? ପୂର୍ବରୁ ଏଭଳି ମୋଟା ଅଙ୍କର ଟଙ୍କା ଭଡ଼ା ଗାଡ଼ିରେ ସ୍ଥାନାନ୍ତର ହୁଏ କି ନାହିଁ? ଇନୋଭା ଗାଡ଼ି ତାଙ୍କୁ ମୁଖ୍ୟ ରାସ୍ତାରେ ସାଇଡ୍‌ ମାରିଲା, ସେମାନେ ୧ରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ କଚ୍ଚା ରାସ୍ତାରେ ଗଲେ କେମିତି? ଏମାନେ କିଭଳି ପ୍ରତିରୋଧ ମଧ୍ୟ କଲେ ନାହିଁ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ପୁଲିସ ହାତରେ ଅନେକ ସୂତ୍ର ଲାଗିଛି। ପୁଲିସର ସନ୍ଦେହ ଘେରରେ ଅଭିଯୋଗକାରୀ ଓ ଓଲା କାର୍‌ ଚାଳକ ଆସିଛନ୍ତି।

ଏ ନେଇ ଡିସିପି ଅନୁପ ସାହୁ କହିଛନ୍ତି, ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ବିଶ୍ବାସକୁ ନେଇ ପଚରାଉଚରା ହୋଇଛି। ପଚରାଉଚରାରେ ଢିଲା ସୁରକ୍ଷା ବ୍ୟବସ୍ଥା ପଛରେ ବ୍ୟାଙ୍କ୍‌ କର୍ତୃପକ୍ଷ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି। ଏଥିପାଇଁ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌ଙ୍କ ସମ୍ପୃକ୍ତିକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ସମାନ୍ତରାଳ ଭାବରେ ତଦନ୍ତ ପାଇଁ ଜଣେ ଅତିରିକ୍ତ ଡିସିପି ଓ ସ୍ପେସାଲ ସ୍କ୍ବାଡ୍‌କୁ ଦାୟିତ୍ବ ଦିଆଯାଇଛି ବୋଲି ସେ କହିଛନ୍ତି। ତା’ ଛଡ଼ା ଯେଉଁ ଇନୋଭା ଗାଡ଼ିରେ ଡକାୟତମାନେ ଆସିଥିଲେ ସେ ଗାଡ଼ିକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ନିକଟରେ ଖଣ୍ଡଗିରି ଅଞ୍ଚଳରୁ ଚୋରି ହୋଇଥିବା ଇନୋଭା ଏଥିରେ ବ୍ୟବହୃତ ହୋଇଛି କି ନାହିଁ ତାହା ମଧ୍ୟ ତଦନ୍ତ ହେଉଛି। ନିଆଳିରେ ଥିବା ବ୍ୟାଙ୍କ୍‌ ଓ ଘଟଣାସ୍ଥଳ ସମେତ ଫୁଲନଖରା ପର୍ଯ୍ୟନ୍ତ ରାସ୍ତରାରେ ଥିବା ବିଭିନ୍ନ ଅନୁଷ୍ଠାନ କିମ୍ବା ସରକାରୀ ସିସିଟିଭି ଚିତ୍ର ମଧ୍ୟ ସଂଗ୍ରହ କରାଯାଉଛି। ଟଙ୍କା ଆସୁଥିବା କାର୍‌କୁ ଡକାୟତମାନେ କେଉଁଠୁ ପିଛା କଲେ, କେଉଁ ବାଟ ଦେଇ ବାହାରିଗଲେ, ଅଭିଯୋଗ କରିଥିବା କର୍ମଚାରୀ ଓ କାର୍‌ ଚାଳକଙ୍କ ଫୋନ୍‌ ନମ୍ବର ମଧ୍ୟ ଯାଞ୍ଚ କରାଯାଉଛି। ଏହି ସମୟରେ ସେମାନେ କାହା କାହା ସହ ଯୋଗାଯୋଗ କରିଥିଲେ ତାହାର ଡିଟେଲ୍ସ ମଗାଯାଇଛି। ଡକାୟତି ସମୟରେ ଏହି ସ୍ଥାନରେ କେଉଁ କେଉଁ ମୋବାଇଲ ନମ୍ବର ଥିଲା ତାହା ମଧ୍ୟ ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ଏହି ସବୁ ପ୍ରଶ୍ନର ଉତ୍ତର ମିଳିବା ସହ ଡକାୟତଙ୍କ ପାଖରେ କମିସନରେଟ୍‌ ପୁଲିସ ପହଞ୍ଚିବ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।

ସୂଚନା ମୁତାବକ, ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଖାରବେଳ ଇଷ୍ଟେଟ ନିକଟ ନିଛାଟିଆ ସ୍ଥାନ ଶ୍ମଶାନ ପଡ଼ିଆରେ ଗତକାଲି ସଂଧ୍ୟା ୫ଟା ବେଳେ ଡକାୟତି ଘଟିଥିଲା। ନିଆଳି ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖାରୁ ୩ ଜଣ କର୍ମଚାରୀ ଏକ ଓଲା କାର୍‌ରେ ୩୫ ଲକ୍ଷ ଟଙ୍କା ସହିଦ ନଗର ମୁଖ୍ୟ ଶାଖାରେ ଜମା କରିବା ପାଇଁ ଆସିବା ବେଳେ ୭ରୁ ୮ ଜଣ ଡକାୟତ ତାଙ୍କୁ ଏକ ଇନୋଭାରେ ପିଛା କରି ସାଇଡ୍‌ ମାରିଥିଲେ। ଭାରସାମ୍ୟ ହରାଇ ଓଲା ଚାଳକ ଗାଡ଼ିକୁ ଏକ କଚ୍ଚା ରାସ୍ତାରେ ପ୍ରାୟ ୧ରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଖାରବେଳ ଇଷ୍ଟେଟ ନିକଟ ଶ୍ମଶାନ ପଡ଼ିଆ ପର୍ଯ୍ୟନ୍ତ ନେଇ ଆସିଥିଲେ। ସେଠାରେ ଡକାୟତମାନେ ୩୫ ଲକ୍ଷ ନେଇ ଫେରାର ହୋଇଯାଇଥିଲେ। ଆଜି ବାଲିଅନ୍ତା ଥାନା ଆଇଆଇସି ପ୍ରଦୀପ କୁମାର ରାଉତ ଓ ଜୋନ – ୪ ଏସିପି ଅମରେନ୍ଦ୍ର ପଣ୍ଡା ପ୍ରମୁଖ ବ୍ୟାଙ୍କ ଯାଇ ତଦନ୍ତ କରିଥିଲେ। ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ କେତେଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲେ ମଧ୍ୟ ଡକାୟତଙ୍କ ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର