ପିଇବା ପାଣି ପାଇଁ ୪୩୨ କୋଟି ଟଙ୍କା : କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ଅନୁଗୁଳର ସାଢ଼େ ୩ ଲକ୍ଷ ଲୋକ ଉପକୃତ ହେବେ

୩୦୭ ଗାଁ ଲୋକଙ୍କୁ ବିଶୁଦ୍ଧ ପାଣି ମିଳିବ, ସହରାଞ୍ଚଳ ଗରିବ ଲୋକଙ୍କୁ ଏଣିକି ଷ୍ଟାଣ୍ଡ୍‌ ପୋଷ୍ଟ୍‍ ମାଧ୍ୟମରେ ମାଗଣା ପାଣି

ଭୁବନେଶ୍ୱର : ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ତିନିଟି ଜିଲ୍ଲା କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ଅନୁଗୁଳର ୫ଟି ବ୍ଲକ୍‌ ଅଧୀନସ୍ଥ ୩୦୭ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥି ପାଇଁ ଠିକା ସଂସ୍ଥା ଏଲ୍‌ ଆଣ୍ଡ୍‌ ଟିକୁ ୪୩୨ କୋଟି ୨୨ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି। ଆଜି ଏହି ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ୨୪ ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପଟରେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୌରସଂସ୍ଥାଗୁଡ଼ିକ ଉପରେ ବାକି ଥିବା ପିଛିଲା ଜଳ କର ଦେୟ ଓ ଚଳିତ ବର୍ଷର ଜଳ କର ଦେୟକୁ ଛାଡ଼ କରାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଣିକି ସହରାଞ୍ଚଳରେ ଥିବା ଷ୍ଟାଣ୍ଡ୍‌ ପୋଷ୍ଟ୍‍ରୁ ବିନା ଦେୟରେ ଗରିବ ଲୋକଙ୍କୁ ଜଳ ଯୋଗାଣ ହେବ।

କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ଅନୁଗୁଳ ଏହିଭଳି ତିନିଟି ଜିଲ୍ଲା ପାଇଁ ୪ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜ୍‌ରେ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୩୦୭ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩ ଲକ୍ଷ ୫୩ ହଜାର ୯୫୨ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯିବ। କେନ୍ଦ୍ରାପଡ଼ା ଜିଲ୍ଲାର ଲୁଣିପାଣି ପ୍ରଭାବିତ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ୨୦୦ଟି ଗ୍ରାମର ୨ଲକ୍ଷ ୩୪ ହଜାର ୬୦ ଏବଂ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଅନ୍ତର୍ଗତ ୬୫ଟି ଜଳକ୍ଳିଷ୍ଟ ଗ୍ରାମର ୭୯ ହଜାର ୨୮୯ ଲୋକଙ୍କୁ ଏହି ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏହା ବାଦ୍‌ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ୍‌ ଅନ୍ତର୍ଗତ ୩୧ଟି ଜଳକ୍ଳିଷ୍ଟ ଗ୍ରାମ ଓ କଣିହା ବ୍ଲକ୍‌ର ୧୧ଟି ଜଳକ୍ଳିଷ୍ଟ ଗ୍ରାମ ଓ ଖଣି ଦ୍ୱାରା ଭୂତଳ ଜଳ ପ୍ରଭାବିତ ହେଉଥିବା ଗ୍ରାମର ୪୦ ହଜାର ୬୦୩ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବସୁଧା, ସିଏସ୍‌ଆର୍‌ ଫଣ୍ଡିଂ ଓ ଓମ୍‌ବାଡ୍‌ସି ମାଧ୍ୟମରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯିବ।

ଓଡ଼ିଶା ସହରାଞ୍ଚଳ ଓ୍ଵାଟରଓ୍ଵାର୍କସ ନୀତି, ୧୯୮୦ରେ ଥିବା ବ୍ୟବସ୍ଥାକୁ କୋହଳ କରାଯାଇଛି। ଏ ସଂପର୍କରେ ସୂଚନା ଦେଇ ସରକାର କହିଛନ୍ତି, ରାଜ୍ୟ ସରକାର ମଣିଷର ମୌଳିକ ଆବଶ୍ୟକତା ସ୍ୱରୂପ ଜଳର ପ୍ରାଧାନ୍ୟକୁ ଚିହ୍ନଟ କରିଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଗରିବ ଲୋକଙ୍କୁ ସୁହାଇବା ଭଳି ମୂଲ୍ୟରେ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପ୍ରତିଜ୍ଞାବଦ୍ଧ। ଓଡ଼ିଶା ଜଳଯୋଗାଣ ନୀତି-୨୦୧୩ରେ ଯେଉଁ ଆଭିମୁଖ୍ୟ ନିଆଯାଇଛି, ତାକୁ ଆଜି କ୍ୟାବିନେଟ୍‌ ନିଶ୍ଚିତ କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ଥିବା ୨୫ ହଜାର ସାର୍ବଜନୀନ ଷ୍ଟାଣ୍ଡ୍‌ ପୋଷ୍ଟ ମାଧ୍ୟମରେ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା ସହରାଞ୍ଚଳ ଗରିବ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଜଳ କର ଆଦାୟ ନିମିତ୍ତ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କ ନିକଟରେ ବିଲ୍‌ ପଇଠ କରୁଛନ୍ତି। ୨୦୦୫ ମସିହାକୁ ମୂଳ ଭାବେ ନିଆଯାଇ ୨୦୧୭ ଜୁନ୍‌ ମାସ ସୁଦ୍ଧା ବିଭିନ୍ନ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କ ଉପରେ ଜଳ କର ଦେୟ ୪୦.୦୫ କୋଟି ଟଙ୍କା ବାକି ପଡ଼ିଛି। ସେହିପରି ଚଳିତ ବର୍ଷର ଜଳ କର ଦେୟ ୫.୧୦ କୋଟି ଟଙ୍କା ଛୁଇଁଛି। ଏହି ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ସରକାର ଛାଡ଼ କରିଦେଇଛନ୍ତି। ଏଣିକି ସହରାଞ୍ଚଳର ଗରିବ ଲୋକମାନଙ୍କୁ ଏହି ଷ୍ଟାଣ୍ଡ୍‌ ପୋଷ୍ଟ ମାଧ୍ୟମରେ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା ମାଗଣାରେ ଜଳ ଯୋଗାଣ କରିବ।

ସମ୍ବନ୍ଧିତ ଖବର