୪୭୧ କୋଟି କୁଆଡ଼େ ଗଲା?

ନଗରପାଳିକାରେ ବି ଅନିୟମିତତା, ଦୁର୍ନୀତିର ଗନ୍ଧ

ବ୍ୟାଙ୍କ ଆକାଉଣ୍ଟସ୍‌ -ହିସାବ ଖାତା ମେଳ ଖାଉନି

ଭୁବନେଶ୍ୱର : କେବଳ ପଞ୍ଚାୟତିରାଜ ସଂସ୍ଥାରେ ଯେ କେଳେଙ୍କାରୀ ହୋଇଛି ତା ନୁହେଁ, ବିଭିନ୍ନ ପୌରପାଳିକା, ମହାନଗର ନିଗମ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ହେରଫେର ନେଇ ବି ସାଂଘାତିକ ତଥ୍ୟ ଆସିବାରେ ଲାଗିଛି। କୋଟିଏ କି ଦୁଇକୋଟି ନୁହେଁ, ୬୬୦ଟି କ୍ଷେତ୍ରରେ ୪୭୧ କୋଟି ୨୦ଲକ୍ଷ ଟଙ୍କାର କାରବାର ଉପରେ ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦେଶାଳୟ ତାଙ୍କ ରିପୋର୍ଟରେ ଆପତ୍ତି ରଖିଛନ୍ତି। ସମୀକ୍ଷା ବେଳେ କର୍ତ୍ତୃପକ୍ଷ ୮୫ କୋଟି ୮୮ଲକ୍ଷ ଟଙ୍କାର ଦସ୍ତାବିଜ ଦାଖଲ କରିପାରିନାହାନ୍ତି। ୩୮୫ କୋଟି ୩୨ଲକ୍ଷ ଟଙ୍କା କାରବାର ଉପରେ ଅଡିଟ୍‌ ବେଳେ ଏଇଥିପାଇଁ ଆପତ୍ତି ଉଠିଛି ଯେ ସେସବୁ କ୍ଷେତ୍ର ମଧ୍ୟରୁ କିଛିରେ ପ୍ରାଧିକୃତ କର୍ତ୍ତୃପକ୍ଷ ଅନୁମୋଦନ କରିନାହାନ୍ତି ଖର୍ଚ୍ଚ ହୋଇଛି, ଆଉ କେଉଁଠି କର୍ତ୍ତୃପକ୍ଷ ନିଜ ମର୍ଜିରେ ଅର୍ଥ ଖର୍ଚ୍ଚ କରିଛନ୍ତି। ଏହାବ୍ୟତୀତ ୪୨ କୋଟି ୮୫ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ଘଟାଇଥିଲେ ହେଁ, ଆପତ୍ତି ପରେ ମାତ୍ର ୯୮ଲକ୍ଷ ଟଙ୍କା ଅସୁଲ କରିବାରେ ଅଧିକାରୀମାନେ ସକ୍ଷମ ହୋଇଛନ୍ତି। ଅର୍ଥାତ୍‌ ଗୃହ ଓ ନଗର ଉନ୍ନୟନ ବିଭାଗରେ ୫୦୦ କୋଟିର ସନ୍ଦେହଜନକ କାରବାର ଏବେ ପଦାକୁ ଆସିଛି।

ଓଡ଼ିଶା ସାଧାରଣ ବିତ୍ତୀୟ ନିୟମ ଅନୁସାରେ ମଞ୍ଜୁରି ପ୍ରାପ୍ତ ଅନୁଦାନ ରାଶି ମଞ୍ଜୁର ହୋଇଥିବା ତାରିଖରୁ ଗୋଟିଏ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯିବା କଥା। ଯଦି ପୂର୍ବ ବର୍ଷର ଅନୁଦାନର କିଛି ଅର୍ଥ ବାକି ରହିଯାଇଥାଏ, ତେବେ ତାହାକୁ ଫେରସ୍ତ କରାଯିବ କିମ୍ବା ଚଳିତ ବର୍ଷରେ ମିଳିଥିବା ଅନୁଦାନକୁ ମିଶାଇ ହିସାବକୁ ନିଆଯିବ। ଅଡିଟ୍‌ ଟିମ୍‌ ୨୦୧୫-୧୬ ଆର୍ଥିକ ବର୍ଷର ସ୍ଥିତି ଯାଞ୍ଚ ବେଳେ ଜଣାପଡିଲା ଯେ ବିଭିନ୍ନ ଯୋଜନା ବାବଦରେ ଯେଉଁ ଅନୁଦାନ ମିଳିଥିଲା, ତା ମଧ୍ୟରୁ ୧୧୨୦ କୋଟି ୧୮ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିଥିଲା। ସେବର୍ଷ ସରକାର ପୁଣି ୧୬୦୯ କୋଟି ୮୬ଲକ୍ଷ ଟଙ୍କା ଦେଇଥିଲେ। ଅର୍ଥାତ୍‌ ୨୭୩୦ କୋଟି ଟଙ୍କା ଉପଲବ୍ଧ ହୋଇଥିଲା। ହେଲେ ୨୦୧୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିଭିନ୍ନ ସଂସ୍ଥାର ଏହାର ଅଧା ଅର୍ଥ ବି ଖର୍ଚ୍ଚ କରିପାରିନଥିଲେ। ମାତ୍ର ୩୯.୦୨ ପ୍ରତିଶତ ବା ୧୦୬୫ କୋଟି ୩୯ଲକ୍ଷ ଟଙ୍କା ବିନିଯୋଗ ହୋଇଥିଲା ଓ ୧୬୬୪ କୋଟି ଟଙ୍କା ପଡିରହିଥିଲା। ଖର୍ଚ୍ଚ କରିବାରେ ସବୁଠାରୁ ପଛରେ ପଡିଥିଲା ଜଗତସିଂହପୁର।

କେବଳ ସେତିକି ନୁହେଁ, ୧୦୫ଟି ନଗରାଞ୍ଚଳ ନଥିପତ୍ର ବୟାନ କରିଛି ଯେ ୩୫୭୭ କୋଟି ଟଙ୍କାର ବିନିଯୋଗ ପତ୍ର ଦାଖଲ ହୋଇନଥିଲା। ସେହି ବର୍ଷ ୬୭୯ କୋଟି ୬୩ଲକ୍ଷ ଟଙ୍କାର ବିନିଯୋଗ ପତ୍ର ଦାଖଲ କରିଥିଲେ କର୍ତ୍ତୃପକ୍ଷ। ଅର୍ଥାତ୍‌ ୨୦୧୫-୧୬ ଆର୍ଥିକ ବର୍ଷ ଶେଷ ବେଳକୁ ୨୮୯୮ କୋଟି ୩୪ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିପାରିନଥିଲେ। ଏ ମଧ୍ୟରୁ ୨୦୫୫ କୋଟି ୬୧ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ବର୍ଷେରୁ ଅଧିକ ସମୟ ଧରି ଦାଖଲ ହୋଇପାରିନାହିଁ।

ସାଧାରଣତଃ ପ୍ରତି ୫ ବର୍ଷରେ ଥରେ ହୋଲ୍‌ଡିଂ ଟ୍ୟାକ୍ସର ନୂତନ ମୂଲ୍ୟାୟନ ହୋଇଥାଏ। ୨୭ଟି ନଗରାଞ୍ଚଳରେ ୧୦ବର୍ଷରୁ ଅଧିକ ସମୟ ଧରି ଟିକସ ପୁନଃ ମୂଲ୍ୟାୟନ ହୋଇନାହିଁ। ଏହାଦ୍ୱାରା ପୌର ସଂସ୍ଥା ରାଜସ୍ୱ ଆୟ ପ୍ରଭାବିତ ହୋଇଛି। ୪୮ଟି ନଗରାଞ୍ଚଳର ବ୍ୟାଙ୍କ ହିସାବ ଓ ଆକାଉଣ୍ଟସ୍‌ ଖାତାର ହିସାବ ମେଳ ଖାଉନି। ପାଖାପାଖି ୨୯ କୋଟି ୨୧ ଲକ୍ଷ ଟଙ୍କାର ତଥ୍ୟ ଅମେଳ ହେଉଛି। ୪୦ଟି ନଗରପାଳିକା ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଟିକସ ଆଦାୟ କରିବା ପାଇଁ ପଦକ୍ଷେପ ନ ନେବାରୁ ଏହା ଆଉ ଆଦାୟ ହୋଇପାରିବ ନାହିଁ ବୋଲି ଅଡିଟ୍‌ ଟିମ୍‌ ଦର୍ଶାଇଛନ୍ତି। ଏହାଦ୍ୱାରା ୫ କୋଟି ୧୪ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି ସରକାର।

ଅଡିଟ୍‌ ରିପୋର୍ଟ ଅନୁସାରେ, ନିୟମ ଉଲ୍ଲଂଘନ କରି ୭.୯୦ କୋଟି ଟଙ୍କାର ଇଲେକ୍ଟ୍ରିକାଲ ସାମଗ୍ରୀ କିଣାଯାଇଛି। ବଲାଙ୍ଗୀର, ଯାଜପୁର, ବେଲପାହାଡ, ଜଟଣୀ, ପିପିଲି ଓ ପୁରୀରେ ଏହି କେଳେଙ୍କାରୀ ହୋଇଛି। ବଲାଙ୍ଗୀର ନଗରପାଳିକାରେ ବ୍ୟାଙ୍କରୁ ୭୯.୪୩ ଲକ୍ଷ ଟଙ୍କା ଉଠାଯାଇଛି। ହେଲେ ଆକାଉଣ୍ଟସ୍‌ ଖାତାରେ ଏହାର ଚିହ୍ନବର୍ଣ୍ଣ ନାହିଁ। କୌଣସି ରସିଦ୍‌ ମଧ୍ୟ ନଥିିରେ ଉପଲବ୍ଧ ହୋଇନାହିଁ। ଏହି ଅର୍ଥ ହେରଫେର ହୋଇଥାଇପାରେ ବୋଲି ଅଡିଟ୍‌ ଟିମ୍‌ ସନ୍ଦେହ କରିଛନ୍ତି। ସମ୍ବଲପୁର ମହାନଗର ନିଗମର ଆବାସିକ ଗୃହ ନିର୍ମାଣ ନିମନ୍ତେ ଘରଭଡ଼ା ଆଦାୟ ନ ହେବାରୁ ମହାନଗର ନିଗମ ୧ କୋଟି ୧୯ଲକ୍ଷ ଟଙ୍କା କ୍ଷତି ସହିଛି।

କୌତୂହଳର କଥା ହେଲା, ୧୦ଟି ନଗରାଞ୍ଚଳ କର୍ମଚାରୀଙ୍କୁ ଚିକିତ୍ସାଗତ ଭତ୍ତା ପ୍ରଦାନ ବାବଦରେ ସରକାରଙ୍କ ବିନା ଅନୁମୋଦନରେ ୪୮ଲକ୍ଷ ୭୪ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏଠାରେ ଉଲ୍ଲେଖଥାଉକି, ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଚିକିତ୍ସାଗତ ଭତ୍ତା ପାଇବାର ବ୍ୟବସ୍ଥା ନାହିଁ। ଅନୁଗଳ, ବାଙ୍କି, ପାରଳାଖେମୁଣ୍ଡି, ବ୍ରହ୍ମପୁର, ବ୍ୟାସନଗର, କେସିଙ୍ଗା, ଖୋର୍ଧା, ଜଟଣୀ, ଭୁବନେଶ୍ୱର ମହାନଗର ନିଗମ ଓ କୋଣାର୍କ ନଗରାଞ୍ଚଳ ନିକାୟ ସଂସ୍ଥାରୁ ଏ ଅଭିଯୋଗ ଉଠିଛି।

ଏହାବ୍ୟତୀତ ବାଙ୍କିର ପରିବା ବଜାରରେ ବର୍ଜ୍ୟବସ୍ତୁ ପକାଇବା ପାଇଁ କୁଣ୍ଡ ସ୍ଥାପନ ନ ହେବା, ଅନୁଗୁଳ ପୌର ପାଳିକାର ଓ୍ଵାର୍ଡ ନମ୍ବର ୮ ଓ ୯ରେ ଢାଙ୍କୁଣି ବିହୀନ ବର୍ଜ୍ୟବସ୍ତୁ କୁଣ୍ଡ ସ୍ଥାପନ, ସମ୍ବଲପୁର ମହାନଗର ନିଗମର ଦୁର୍ଗାପଲ୍ଲୀସ୍ଥ ବର୍ଜ୍ୟବସ୍ତୁ ଗଚ୍ଛିତ ରଖିବା ସ୍ଥଳରେ ଅଳିଆ ପୋଡା ଦୃଶ୍ୟ ନେଇ ଅଡିଟ୍‌ ଆପତ୍ତି ରଖିଛନ୍ତି।

ସମ୍ବନ୍ଧିତ ଖବର