ଶିଳ୍ପସଂସ୍ଥାରୁ ଆଦାୟ ହେବ ୪୮ କୋଟି ଜଳକର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଗଢ଼ି ଉଠିଛି ଅନେକଗୁଡ଼ିଏ ଶିଳ୍ପସଂସ୍ଥା। ଜିଲ୍ଲାର ବିଭିନ୍ନ ଅଂଚଳରେ ଶତାଧିକ ଶିଳ୍ପସଂସ୍ଥା ବର୍ତ୍ତମାନ କାର୍ଯକ୍ଷମ। ଏହି ଶିଳ୍ପସଂସ୍ଥାଗୁଡ଼ିକୁ ଜଳଯୋଗାଣ ପାଇଁ ନଦୀରୁ ସିଧାସଳଖ ସୁବିଧା କରାଯାଇଥିବାବେଳେ କେତେକ ଶିଳ୍ପସଂସ୍ଥା ସ୍ବତନ୍ତ୍ରଭାବେ ଜଳଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହି ଶିଳ୍ପସଂସ୍ଥାଗୁଡ଼ିକ ମନମର୍ଜି ଜଳ ବ୍ୟବହାର କରୁଛନ୍ତି; ମାତ୍ର ନିୟମାନୁଯାୟୀ ଜଳକର ଦେଉନାହାନ୍ତି। ଫଳରେ ବହୁମାତ୍ରାରେ ରାଜସ୍ବ ହାନୀ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସଂପଦ ବିଭାଗ ସମସ୍ତ ଜଳସେଚନ ଡିଭିଜନକୁ ଜଳକର ଆଦାୟ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ଦରଗଡ଼ ଜଳସେଚନ ବିଭାଗ ଅନ୍ତର୍ଗତ ବିଭିନ୍ନ ଶିଳ୍ପସଂସ୍ଥାରୁ ଚଳିତ ଆର୍ଥିକ ବର୍ଷରେ ୪୭ କୋଟି ୮୨ ଲକ୍ଷ ୨୩ ହଜାର ଟଙ୍କା ଜଳକର ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମିଳିିଥିବା ସୂଚନା ଅନୁସାରେ, ଏ ବର୍ଷର ଜଳକର ବାବଦକୁ ୩୭ କୋଟି ୭୭ ଲକ୍ଷ ୮୫ ହଜାର ଟଙ୍କା ଆଦାୟ କରାଯିବ। ଏତଦ୍‌ବ୍ୟତିତ ବର୍ଷ ବର୍ଷ ଧରି ପଡ଼ିରହିଥିବା ବକେୟା ଜଳକରରୁ ଏବର୍ଷ ୧୦ କୋଟି ୪ ଲକ୍ଷ ୩୮ ହଜାର ଟଙ୍କା ଆଦାୟ କରାଯିବ। ଚଳିତ ଆର୍ଥିକ ବର୍ଷର ଜଳକର ବାବଦକୁ ମୋଟ୍‌ ୩୭ କୋଟି ୭୭ ଲକ୍ଷ ଟଙ୍କା ଆଦାୟ କରାଯିବାକୁ ଥିବାବେଳେ ଏଥିମଧ୍ୟରୁ ୩୭ କୋଟି ୨୪ ଲକ୍ଷ ୨୪ ହଜାର ଟଙ୍କା ପୁରୁଣା ଶିଳ୍ପସଂସ୍ଥାରୁ ଏବଂ ୫୩ ଲକ୍ଷ ୬୧ ହଜାର ଟଙ୍କା ନୂତନଭାବେ ସ୍ଥାପିତ କଳକାରଖାନାରୁ ଆଦାୟ ହେବ।

ଜଳସଂପଦ ବିଭାଗ ଶତପ୍ରତିଶତ ଜଳକର ଆଦାୟ କରିବାକୁ ଜଳସେଚନ ଡିଭିଜନ କର୍ତୃପକ୍ଷଙ୍କୁ ବାରମ୍ବାର ତାଗିଦ୍‌ କରୁଥିବାବେଳେ ତଦନୁଯାୟୀ କିନ୍ତୁ ସଫଳତା ମିଳୁନି; ଯାହାକି ପୂର୍ବବର୍ଷ ଗୁଡ଼ିକରେ ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ସୁନ୍ଦରଗଡ଼ ଜଳସେଚନ ବିଭାଗ ଅଧିନସ୍ଥ ମୋଟ୍‌ ୬ଟି ବୃହତ୍‌ ଶିଳ୍ପସଂସ୍ଥାର ଜଳକର ବାବଦକୁ ୫୬ କୋଟି ଟଙ୍କା ବକେୟା ରହିଥିଲା। କୁଆରମୁଣ୍ଡା ସ୍ଥିତ ଆଧୁନିକ ମେଟାଲିକ୍‌ସର ସର୍ବାଧିକ ୪୨.୨୪ କୋଟି ବକେୟା ପଡ଼ିଥିବାବେଳେ ଟେନ୍‌ସା ସ୍ଥିତ ବରସୁଆଁ ଆଇରନ୍‌ଓର୍‌ ମାଇନ୍‌ର ୨.୧୯ କୋଟି, ବଣାଇଁ ସ୍ଥିତ ବି.ଆର୍‌. ସ୍ପଞ୍ଜ୍‌ ୧.୮୩ କୋଟି, ଲମଲୋଇ ସ୍ଥିତ ଓ.ସି.ଏଲ. ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ଲିମି‌ଟେଡ୍‌ର ୪.୨୯ କୋଟି, ବଲଣ୍ଡା ସ୍ଥିତ ଜୟ ଆଇରନ ଆଣ୍ଡ୍‌ ଷ୍ଟିଲ ଲିମିଟେଡ୍‌ର ୨.୪୯ କୋଟି, କଲୁଙ୍ଗା ସ୍ଥିତ କଳିଙ୍ଗ ସ୍ପଞ୍ଜ୍‌ ଲିମିଟେଡ୍‌ର ୨.୯୬ କୋଟି ବକେୟାଥିବା ଜଣାପଡ଼ିଥିଲା। ଏହି ବକେୟା ଜଳକର ପାଉଣାରୁ ଚଳିତ ବର୍ଷ ବରସୁଆ ଆଇରନ୍‌ ଓର୍‌ ଆଣ୍ଡ୍‌ ମାଇନ୍‌ରୁ ୫୦ ଲକ୍ଷ ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବି.ଆର୍‌ ସ୍ପଞ୍ଜ୍‌ରୁ ୨୦ ଲକ୍ଷ, ଓସିଏଲ ଆଇରନ ଆଣ୍ଡ୍‌ ଷ୍ଟିଲ୍‌ ଲିମିଟେଡ୍‌ରୁ ୧ କୋଟି, ଆଧୁନିକ ମେଟାଲିକ୍‌ସରୁ ୭.୬୪ କୋଟି, ଜୟ ଆଇରନ ଆଣ୍ଡ୍‌ ଷ୍ଟିଲ ଲିମିଟେଡ୍‌ରୁ ୩୦ ଲକ୍ଷ ଏବଂ କଳିଙ୍ଗ ସ୍ପଞ୍ଜ୍‌ରୁ ୪୦ ଲକ୍ଷ ଟଙ୍କା ବକେୟା ଜଳକର ବାବଦକୁ ଆଦାୟ କରାଯିବ।

ସମ୍ବନ୍ଧିତ ଖବର