ନୂଆ ଆଇନରେ ରାଜ୍ୟର ପ୍ରଥମ ମାମଲା : ପରିବାରକୁ ଦିଆଗଲା ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି

କଟକ : ସାଲେପୁର ଥାନା ଅଞ୍ଚଳରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିକାର ପରିବାରକୁ ଆଜି ରାଜ୍ୟ ସରକାରଙ୍କ ତରଫରୁ କଟକ ଜିଲ୍ଲାପାଳ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ଅଧ୍ୟାଦେଶ ଜରିଆରେ ଆସିଥିବା ନୂଆ ଆଇନର ରାଜ୍ୟରେ ପ୍ରଥମ ମାମଲା ଭାବେ ଗ୍ରହଣ କରାଯାଇଛି। ମାମଲାକୁ ରେଡ୍‌ ଫ୍ଲାଗ୍‌ ମାନ୍ୟତା ଦେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଶ୍ରୀ ଉପାଧ୍ୟାୟ କହିଛନ୍ତି ଯେ ରେଡ୍‌ ଫ୍ଲାଗ ମାନ୍ୟତା ଅନୁଯାୟୀ ୪ ସପ୍ତାହ ମଧ୍ୟରେ ମାମଲାର ଚାର୍ଜସିଟ୍‌ ଦାଖଲ ହେବ। ମାମଲା ପରିଚାଳନା ପାଇଁ ସ୍ୱତନ୍ତ୍ର ପିପି ନିଯୁକ୍ତି କରାଯିବ। ମାମଲାରେ ରହିଥିବା ସାକ୍ଷୀ, ଅଭିଯୋଗକାରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟୋଜନ କରାଯିବ। ସେମାନଙ୍କୁ ଅଦାଲତରେ ବିଚାର ସମୟରେ ସୁରକ୍ଷିତ ଭାବେ ଆଣି ହାଜର କରାଯିବ। ନିର୍ଦ୍ଧାରିତ ସମୟରେ ତଥ୍ୟ, ପ୍ରମାଣ ଉପସ୍ଥାପନ ସହ ଶୁଣାଣି ପ୍ରକ୍ରିୟାକୁ ଶେଷ କରିବାକୁ ପଦକ୍ଷେପ ନିଆଯିବ। ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତ ମହମ୍ମଦ ମୁସ୍ତାକ (୨୫) ବିରୋଧରେ ଦଫା ୩୭୬ (ଏ) (ବି), ୩୦୨, ୬ ପୋସ୍କୋ ଆକ୍ଟ୍‌ରେ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଫୋରେନସିକ୍‌ ଲାବ୍ରୋଟୋରିକୁ ଫିଙ୍ଗର ପ୍ରିଣ୍ଟ୍‌, ସିମେନ୍‌ ଏବଂ ଅନ୍ୟ ଜବତ ସାମଗ୍ରୀ ପରୀକ୍ଷା ପାଇଁ ପଠାଯାଇଛି। ଡିଏନଏ ପରୀକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ସପ୍ତାହକ ମଧ୍ୟରେ ଏ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ କଟକ ଜିଲ୍ଲା ଏସ୍‌ପିଙ୍କୁ ମାମଲାର ସ୍ୱତନ୍ତ୍ର ଭାବେ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଉପାଧ୍ୟାୟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରେ ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଫୋଗଳ ଜଗନ୍ନାଥପୁରରେ ଏହି ୬ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ କରାଯାଇଥିଲା। ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯିବା ସହ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ୍‌କୁ ପଠାଯାଇଥିଲା। ପୁଲିସ ଅଭିଯୁକ୍ତ ମୁସ୍ତାକ୍‌କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର