ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇଁ ମାନସମନ୍ଥନ : ୭୦ କଲେଜ ଓ ୬ ବିଶ୍ୱବିଦ୍ୟାଳୟକୁ ୫୯୦ କୋଟି

ଭୁବନେଶ୍ୱର : ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତାରେ ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଭିତ୍ତିଭୂମିର ବିକାଶ କରାଯିବ। ଏଥିପାଇଁ ୧୦୭୧ କୋଟି ଟଙ୍କା ବିନିଯୋଗ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପ୍ରେକ୍ଷାଳୟରେ ଆଜିଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଉଚ୍ଚଶିକ୍ଷାର ଉତ୍କର୍ଷ ଓ ସମାନତା କାର୍ଯ୍ୟକ୍ରମ ସମ୍ପର୍କିର୍ତ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ଦାସ କହିଲେ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ବିଶ୍ୱବ୍ୟାଙ୍କ ମଧ୍ୟରେ ୨୦୧୭ ନଭେମ୍ବର ମାସରେ ଏକ ତ୍ରୈପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଓଡ଼ିଶାରେ ଉଚ୍ଚଶିକ୍ଷାର ଉତ୍କର୍ଷର୍ ଓ ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବ୍ୟାଙ୍କରୁ ୧୦୭୧ କୋଟି ଟଙ୍କାର ସହାୟତା  ମିଳିଛି। ସେଥିରେ ପ୍ରଥମ ପର୍ଯ୍ୟାୟରେ ୬ଟି ବିଶ୍ୱବିଦ୍ୟାଳୟ ଓ ୭୦ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ସାମିଲ କରାଯାଇଛି। ୭୦ଟି କଲେଜକୁ ୪୪୦ କୋଟି ଓ ୬ଟି ବିଶ୍ୱବିଦ୍ୟାଳୟକୁ ୧୫୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କଲେଜଗୁଡ଼ିକ ଉପଲବ୍ଧ ଅର୍ଥର ୬୦ ପ୍ରତିଶତ ଭିତ୍ତିଭୂମି ବିକାଶ ଓ ୪୦ ପ୍ରତିଶତ ଅଧ୍ୟାପକ ନିଯୁକ୍ତି, ପ୍ରଶିକ୍ଷଣ, ବୃତ୍ତିଗତ ପରାମର୍ଶ ଓ ଗୁଣାତ୍ମକ ଶିକ୍ଷା ପାଇଁ ଖର୍ଚ୍ଚ କରିପାରିବେ। ସେହିପରି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଅନୁବନ୍ଧିତ କଲେଜଗୁଡ଼ିକୁ ସର୍ବାଧିକ ୪୦ ପ୍ରତିଶତ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ଅର୍ଥରୁ ବିଶ୍ୱବିଦ୍ୟାଳୟର ନିର୍ମର୍ାଣ କାର୍ଯ୍ୟ ଓ ଉତ୍କର୍ଷ କେନ୍ଦ୍ର ପରିଚାଳନା ନିମନ୍ତେ ବ୍ୟୟବରାଦ ହୋଇପରିବ। ଗୁଣାତ୍ମକ ମାନ ଆଧାରରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି କଲେଜକୁ ସାମିଲ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ।

 

ଦୁଇଦିନିଆ ଏହି କର୍ମଶାଳାରେ ୭୦ଟି କଲେଜ ଓ ୬ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧି ଯୋଗ ଦେଇଛନ୍ତି। ବିଶ୍ୱବ୍ୟାଙ୍କ ସହାୟତା ରାଶି ବିନିଯୋଗର ମାର୍ଗଦର୍ଶିକା, ଶିକ୍ଷକ ପ୍ରଶିକ୍ଷଣର ମାପଦଣ୍ଡ, ଛାତ୍ରଙ୍କ ରୁଚି ଓ ଆଗ୍ରହକୁ ବିଚାରକୁ ନେଇ ବୃତ୍ତିଗତ ପରାମର୍ଶ ଆଦି ପ୍ରସଙ୍ଗରେ ଏଥିରେ ଆଲୋଚନା କରାଯିବ। ଉଦ୍‌ଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ, ବିଭାଗୀୟ ଯୁଗ୍ମ ସଚିବ ପରମେଶ୍ୱରନ୍‌ ବି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର