୬ ଲକ୍ଷ ଟଙ୍କା ଜବତ

ଜଗତସିଂହପୁର ସଦର/ଲାଇକେରା /ଯାଜପୁର : ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ମଧୁସୂଦନପୁର ଠାରେ ଆଜି ଫ୍ଲାଇଂ ସ୍କ୍ବାଡ୍ ଟିମ୍ ଜଣେ ବ୍ୟକ୍ତିଙ୍କଠାରୁ ଦେଢ ଲକ୍ଷ ଟଙ୍କା ଜବତ କରିଛି। ଏହି ବ୍ୟକ୍ତି ଜଣଙ୍କ ଏକ ବାଇକରେ ଜଗତସିଂହପୁରରୁ ମଧୁସୂଦନପୁର ଯାଉଥିବା ବେଳେ ଫ୍ଲାଇଂ ସ୍କ୍ବାଡ ଟିମ୍ ପାଖରେ ଧରାପଡିଥିଲେ। ତେବେ ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଟଙ୍କାକୁ ଜବତ କରି ଟ୍ରେଜେରିରେ ଜମା କରାଯାଇଛି।

ସେହିଭଳି, ନିର୍ବାଚନ ପ୍ରଚାରର ଶେଷ ଦିନ ଥିବା ବେଳେ ଭାତଲଇଡା ପଞ୍ଚାୟତର ଭୋଇଡ଼ିହି ଗ୍ରାମର ପୁରୁଣା କଂଗ୍ରେସ କର୍ମୀଙ୍କ ନିକଟରୁ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯାଇଛି।

ପୁଲିସ୍ ସୂଚନା ଅନୁସାରେ, ମଙ୍ଗଳବାର ରାତି ସାଢ଼େ ୧୨ଟା ସମୟରେ ଫ୍ଲାଇଂ ସ୍କ୍ୱାଡ୍ ଭାତଲଇଡିହିରେ ଅତର୍କିତ ଚଢ଼ଉ କରି ପୂର୍ବ କଂଗ୍ରେସ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଭୋଇଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଏବଂ ଭୋଟର ତାଲିକା ସହିତ ନିର୍ବାଚନ ସମନ୍ଧୀୟ କିଛି କାଗଜପତ୍ର ଜବତ କରିଥିଲେ।

ଅନ୍ୟପକ୍ଷରେ, ଯାଜପୁର ଅନ୍ତର୍ଗତ ଜାତୀୟ ରାଜପଥ (କ)ର ଓଳାଶୁଣୀ ଛକ ନିକଟରେ ଫ୍ଲାଇଂ ସ୍କ୍ବାଡ ଚଢ଼ାଉ କରି ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛି। ଏହିପରି, ଆଜି ଗୋଟିଏ ଦିନରେ ୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ହିସାବ ମିଳିଛି।

ସମ୍ବନ୍ଧିତ ଖବର