ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ପାଇଁ ୯କୋଟି

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ‌ ପାଇଁ ରାଜ୍ୟ ସରକାର ପ୍ରଥମ ଦଫାରେ ୯ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ଏକାଡେମିକ ବ୍ଲକ୍‌ ଓ ଛାତ୍ର ଓ ଛାତ୍ରୀଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଗୋଟିଏ ଲେଖାଁଏ ହଷ୍ଟେଲ ନିର୍ମାଣ ହେବ। ଏହାସହ ୧ କୋଟି ୩୮ ଲକ୍ଷ ଟଙ୍କାରେ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ କାମର ଆରମ୍ଭ କରାଯିବ। ନିର୍ବାଚନ ପରେ ଏହି ସମସ୍ତ କାମ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଠଗଡ଼ ତହସିଲ ଅଧୀନସ୍ଥ ବ୍ରଜବିହାରୀପୁର ଠାରେ ତିଆରି ଚାଲିଥିବା ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସ ପାଇଁ ରାଜ୍ୟ ସରାକର ୪୩ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ପ୍ରଥମ ଦଫାରେ ୯‌କୋଟି ଟଙ୍କା ପ୍ରଦାନ କରିଛନ୍ତି। କ୍ୟାମ୍ପସ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ହୋଇଥିବା ବେଳେ ଗତ ବର୍ଷ ପାଚେରି ନିର୍ମାଣ କାମ ଶେଷ ହୋଇଛି। ଏହା ପୂର୍ବରୁ କେବଳ ପାଚେରି କାମ ପାଇଁ ସରକାର ୧୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଦ୍ବିତୀୟ କ୍ୟାମ୍ପସରେ ବି‌ଶେଷ ଭାବେ ଗବେଷଣା କାର୍ଯ୍ୟ କରିବାକୁ ପୁର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ କେଉଁ କେଉଁ ସ୍କୁଲ ସେଠାକୁ ଯିବ ଏହାର ତାଲିକା ପ୍ରସ୍ତୁତ ଆରମ୍ଭ ହୋଇଛି। ଦ୍ବିତୀୟ କ୍ୟାମ୍ପସ‌ରେ ଏକାଡେମିକ ବ୍ଲକ୍‌, ଆଡମିନ୍‌ଷ୍ଟ୍ରେସନ୍‌ ବ୍ଲକ୍‌, କର୍ମଚାରୀଙ୍କ ବାସଗୃହ, ହଷ୍ଟେଲ, ଲାଇବ୍ରେରୀ, ଖେଳ ପଡିଆ ଆଦି ନିର୍ମାଣ ହେବ। ଏହାସହ ରେସିଡେନ୍‌ସିଆଲ, ଏକାଡେମିକ୍ ଓ ସ୍ପୋର୍ଟସ ଅଞ୍ଚଳକୁ ଅଲଗା ରଖାଯିବ ଉପରେ ବିଶେଷ ଧ୍ୟାନ ଦିଆଯିବ। ଏହା ମଧ୍ୟରେ ନୂତନ କ୍ୟାମ୍ପସରେ ୧୮ ହଜାର ଗଛ ଲଗାଯାଇଛି। ସୁଚନା ଯୋଗ୍ୟ ୧୫୦ ଏକର ଜମି ଉପରେ ଏହାକୁ ନିର୍ମାଣ କରିବାକୁ ଯୋଜନା ରଖାଯାଇଥିବା ବେଳେ ୨୦୦୯ରେ ୧୪୧ ଏକର ଜମି ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା। ୨୦୧୫ରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିବା ବେଳେ ୨୦୧୬ରେ ପାଚେରି ନିର୍ମାଣ କାମ ଆରମ୍ଭ ହୋଇ ଗତ ବର୍ଷ ଏହା ଶେଷ ହୋଇଛି। ଏନେଇ କୁଳସଚିବ ଅଶୋକ କୁମାର ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିକଟରୁ ପ୍ରଥମ ଦଫାରେ ୯କୋଟି ଟଙ୍କା ମିଳିଛି। ଏଥିରେ ଏକାଡେମିକ୍‌ ବ୍ଲକ୍‌, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଓ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ କାମ ନିର୍ବାଚନ ପରେ ଆରମ୍ଭ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର