୧୫ ଦିନ ବି ଗଲାନି : ଆର୍‌ଏସ୍‌ପି ବ୍ଲାଷ୍ଟ ଫର୍ଣ୍ଣେସ୍‌ ପାର୍ବତୀ ଅଚଳ

ରାଉରକେଲା : ପ୍ରାୟ ୭୩୫ କୋଟି ଟଙ୍କା ବ୍ୟୟରେ ପୁନଃନିର୍ମିତ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ବ୍ଲାଷ୍ଟ ଫର୍ଣ୍ଣେସ୍‌-୧ ‘ପାର୍ବତୀ’ ୧୫ ଦିନ ନଚାଲୁଣୁ ଗତ ମଙ୍ଗଳବାରଠାରୁ ଅଚଳ ହୋଇପଡ଼ିଛି। ଫଳରେ ଏଥିରୁ ଦୈନିକ ୨୦୦୦ ଟନ୍‌ରୁ ୨୨୦୦ ଟନ୍‌ ଉତ୍ତପ୍ତ ଧାତୁ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଆର୍‌ଏସ୍‌ପିର ଏହି ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସ୍‌କୁ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଗତ ୧୯୫୮ ଫେବ୍ରୁଆରି ୩ରେ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ପ୍ରାୟ ୨୪ ବର୍ଷ ଚାଲିବା ପରେ ୨୦୧୩ ଅଗଷ୍ଟ ୬ରେ ଏହା ଅଚଳ ହୋଇପଡ଼ିଥିଲା। ଭାରତୀୟ ଇସ୍ପାତ ପ୍ରାଧିକରଣର ଆର୍ଥିକ ଦୁଃସ୍ଥିତି ସତ୍ତ୍ୱେ ୭୩୫ କୋଟି ଟଙ୍କା ବ୍ୟୟରେ ବ୍ଲାଷ୍ଟ ଫର୍ଣ୍ଣେସ୍‌ ପାର୍ବତୀର ପୁନଃନିର୍ମାଣ କରାଯାଇଥିଲା। ଚଳିତ ମାସ ୧୧ ତାରିଖରେ ରାଉରକେଲା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବୀରେନ୍ଦର ସିଂହ ପୁନଃନିର୍ମିତ ପାର୍ବତୀକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ପୁନଃନିର୍ମିତ ପାର୍ବତୀର ଦୈନିକ ଉତ୍ପାଦନ କ୍ଷମତା ୩୩୦୦ ଟନ୍‌ କୁହାଯାଉଥିବା ବେଳେ ଗତ ୧୨ ତାରିଖରୁ ଏହାକୁ କମ୍‌ କ୍ଷମତାରେ ଚଳାଯାଇଥିଲା। ସେହି ଦିନରୁ ଏହାର ଦୈନିକ ଉତ୍ପାଦନ ହାରାହାରି ୨୦୦୦ ଟନ୍‌ ଥିଲା। ତେବେ ମାତ୍ର ଦୁଇ ସପ୍ତାହ ଧରି କମ୍‌ କ୍ଷମତାରେ ଚାଲିଥିବା ପାର୍ବତୀର କାର୍ଯ୍ୟଦକ୍ଷତା ଓ ପୁନଃନିର୍ମାଣରେ ଥିବା ତ୍ରୁଟି-ବିଚ୍ୟୁତିକୁ ପୁଙ୍ଖାନୁପୁଙ୍ଖ ପର୍ଯ୍ୟବେକ୍ଷଣ ନକରି କେବଳ ବ୍ୟୟସାପେକ୍ଷ କୋକ୍‌ ଉପଯୋଗ ହ୍ରାସ ଉଦ୍ଦେଶ୍ୟରେ କୋଲ୍ଡ ହଷ୍ଟ୍‍ ଇଞ୍ଜେକ୍ସନ୍‌ (ସିଡ଼ିଆଇ) ପ୍ରୟୋଗ କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ନୂଆ ପ୍ରଣାଳୀ ଉପଯୋଗର ଦୁଇ ଦିନ ନଯାଉଣୁ ଗତ ସୋମବାର (ଜୁନ୍‌ ୨୫)ରୁ ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା। ତେଣୁ ମରାମତି ପାଇଁ ଏହି ବ୍ଲାଷ୍ଟ ଫର୍ଣ୍ଣେସ୍‌କୁ ୩ ଦିନ ଅଚଳ (ସଟ୍‌ ଡାଉନ୍‌) କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଆଜିକୁ ମିଶାଇ ୩ ଦିନ ଧରି ମରାମତି ଉଦ୍ୟମ ଜାରି ରହିଥିଲେ ମଧ୍ୟ ସେଥିରେ କୌଣସି ଉଲ୍ଲେଖନୀୟ ଅଗ୍ରଗତି ଘଟି ନାହିଁ। ବରଂ ଫର୍ଣ୍ଣେସ୍‌ରେ ତାପମାତ୍ରା ଶୂନ ଡିଗ୍ରୀରେ ପହଞ୍ଚିଛି। ଆଭ୍ୟନ୍ତରୀଣ ସ୍ଥିତି ଅନୁଧ୍ୟାନ ପରେ ପାର୍ବତୀ କେତେ ପରିମାଣରେ କ୍ଷତିଗ୍ରସ୍ତ ଓ ସମ୍ଭାବ୍ୟ ମରାମତି କେତେ ଦିନ ଲାଗିବ, ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର