ସୂଚନା ଅଧିକାର କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧିଦଳ

ମାର୍ଶାଘାଇ : ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧିଦଳ ଆଜି ପାଟକୁରା ଥାନା ଅର୍ନ୍ତଗତ ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଂଜନ ଦାସଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସେମାନେ ପରିବାରକୁ ସମବେଦନା ଜଣାଇବା ସହ ରଂଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି କହିଛନ୍ତି।

ସୂଚନା ଅନୁସାରେ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ସାଧାରଣ ସଂପାଦକ ଦୀନେଶ ଦାସ, ଅନିତା ବିଶ୍ବାଳ, ବିଷ୍ଣୁପ୍ରିୟା ଚାନ୍ଦ, ପୂର୍ବତନ ବିଧାୟକ ତଥା ଦଳର ଜିଲ୍ଳା ସଭାପତି ଚିନ୍ମୟ ବେଉରା, ମହାକାଳପଡା ବିଧାନସଭା ପ୍ରାର୍ଥୀ ବିଭ୍ରାଂଶୁ ଶେଖର ଲେଙ୍କା, ଜିଲ୍ଳା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଉପସଭାପତି ସଂଜୟ ରାଉତ, ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଉମେଶ ପାଢୀ, ରାଜ୍ୟ ମିଡିଆସେଲ୍ ସଂଯୋଜକ ଦୀପକ କୁମାର ମହାପାତ୍ର, ସମ୍ବିତ ଶ୍ରୀ ଚନ୍ଦନ, ପ୍ରମୋଦ ସ୍ବାଇଁ ପ୍ରମୁଖ ଆଜି ମୃତ ରଂଜନଙ୍କ ଘରେ ପହଞ୍ଚି ଥିଲେ। ସେମାନେ ରଂଜନଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିଥି‌ଲେ। ଏଥିସହ ପଡ଼ୋଶୀମାନଙ୍କୁ ମଧ୍ୟ ଘଟଣା ବାବଦରେ ପଚାରି ବୁଝିଥିଲେ। ମୃତ୍ୟୁ ପୂର୍ବରୁ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ରଂଜନ ପାଟକୁରା ଓ ମହାକାଳପଡ଼ା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ ହେଁ ପୁଲିସ ମାମଲା କରି ବସି ପଡ଼ିଥିବା ଏହି ପ୍ରତିନିଧିଦଳ ଅଭିଯୋଗ ଆଣିଥିଲେ। ଏ ସମ୍ପର୍କରେ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସୂଚନା ଦେଇଥିଲେ। ରଂଜନଙ୍କ ମୃତ୍ୟୁ ଘଟଣାରେ ସେମାନେ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ପ୍ରକାଶ ପାଇଥିବା ବେଳେ ଏହା କୌଣିସ ପ୍ରକାରେ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଥିଲେ। ପରେ ଏହି ପ୍ରତିନିଧଦଳ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର