ଆର୍‌ଟିଓଙ୍କ ବିନା ଚାଲିଛି ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଦଲାଲଙ୍କ ହାବୁଡ଼ରେ ପଡ଼ି ଶେ‌ାଷଣର ଶିକାର ହେଉଛନ୍ତି ଲୋକେ

ପୁରୀ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ବି ସୁଧୁରୁନି ପୁରୀ ପରିବହନ କାର୍ଯ୍ୟାଳୟର ଅବସ୍ଥା। ଏବେ ବି ଲୋକେ ଗାଡ଼ି କାଗଜପତ୍ର ପାଇଁ ଘଣ୍ଟା ଘଣ୍ଟା ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି। ସବୁଠୁ ବଡ଼ କଥା ହେଲା, ବିନା ଆଞ୍ଚଳିକ ପରିବହନ ଅଧିକାରୀରେ ଚାଲିଛି ଏହି କାର୍ଯ୍ୟାଳୟ। ଯାହାର ପୂରା ଫାଇଦା ନେଉଛନ୍ତି ଦଲାଲ। କର୍ମଚାରୀଙ୍କୁ ହାତ କରି ଡ୍ରାଇଭିଂ ଲାଇସେନ୍ସ ବାବଦରେ ଏମାନେ ୨ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଲାଞ୍ଚ ଦାବି କରୁଛନ୍ତି। ଯେଉଁମାନେ ଲମ୍ବା ଧାଡ଼ିରେ ଦିନ ଦିନ ଧରି ଛିଡ଼ା ହେଉଛନ୍ତି, ସେମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ମାସ ମାସ ଲାଗି ଯାଉଥିବା ବେଳେ ଦଲାଲଙ୍କ ଜରିଆରେ କାମ କଲେ କିଛି ଦିନ ଭିତରେ ଏହା ହୋଇ ଯାଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଚାଳକଙ୍କ ପାଇଁ ସ୍ବତନ୍ତ୍ର ଅତିରିକ୍ତ କାଉଣ୍ଟର ଖୋଲି କାଗଜପତ୍ର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ବି ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନି।

NIC, Odisha

ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ-୨୦୧୯ ନିୟମ ଲାଗୁ ପରେ ଗାଡ଼ିମୋଟର ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଏହି ନିୟମକୁ କୋହଳ କରାଯାଇଥିଲେ ବି ପରିବହନ କାର୍ଯ୍ୟାଳୟରେ ଭିଡ଼ କମୁନି। ସରକାରଙ୍କ ନୂଆ ନିୟମ ଲାଗୁ ହେବା ଦିନଠାରୁ ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଶହ ଶହ ଲୋକଙ୍କ ଲମ୍ବାଧାଡ଼ି ଲାଗୁଛି। କିଏ ଲର୍ଣ୍ଣର ଲାଇସେନ୍ସ ପାଇଁ ତ’ କିଏ ଡ୍ରାଭଇିଂ ଲାଇସେନ୍ସ ଅବା ଅନ୍ୟ କିଛି କାଗଜପତ୍ର ପାଇଁ ଭିଡ଼ କରୁଛନ୍ତି। ଆଜି ବି ଡହ ଡହ ଖରାରେ ଉଭୟ ମହିଳା ଓ ପୁରୁଷ ଲାଇନ୍ ଲଗାଇ କାଗଜପତ୍ର ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ବହୁ ଦଲାଲ କର୍ମଚାରୀଙ୍କୁ ହାତ କରି ଖୋଲାଖୋଲି ଦୁର୍ନୀତି କରୁଛନ୍ତି। ପ୍ରାୟ ଦୁଇ ମାସ ହେଲା ଏଠାରେ ଆଞ୍ଚଳିକ ପରିବହନ ଅଧିକାରୀ ପଦବି ଖାଲି ପଡ଼ିଛି। କଙ୍କଡ଼ାଙ୍କୁ ଗୋଳିଆ ପାଣି ସୁହାଇଲା ଭଳି ଦଲାଲଙ୍କୁ ଏହା ବେଶ୍ ସୁହାଇଛି। ସିଜନ୍ ବେପାର ଭଳି ଦଲାଲମାନେ ଏଠାରେ ସେମାନଙ୍କ ପସରା ଖୋଲି ଦେଇଛନ୍ତି। ବର୍ତମାନ ଉପଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ନେଇଥିବା ବେଳେ ସେ ଉଚ୍ଛେଦ କାର୍ଯ୍ୟରେ ସଦାସର୍ବଦା ରହୁଛନ୍ତି। ଏଭଳି ପରିସ୍ଥିତିରେ ପରିବହନ କାର୍ଯ୍ୟାଳୟକୁ ସେ ସମୟ ଦେଇ ପାରୁନାହାନ୍ତି। ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଜନତା। ଦଲାଲଙ୍କ ହାବୁଡ଼ରେ ପଡ଼ି ଶେ‌ାଷଣର ଶିକାର ହେଉଛନ୍ତି। ଏପରିକି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଯୋଗ୍ୟ ହେବାକୁ ହେଲେ ଏକ ପରୀକ୍ଷା ଦେବାକୁ ପଡ଼େ। ଦଲାଲମାନେ ଏହି ପରୀକ୍ଷାରେ ବି ଜାଲିଆତି କରୁଥିବା ଗୁରୁତର ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର