ଜାନୁଆରିରୁ ରୁବେଲା ଟିକାକରଣ ଅଭିଯାନ

ବିଭିନ୍ନ ଅନୁଷ୍ଠାନଙ୍କ ସହାୟତା ଲୋଡ଼ିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ଆସନ୍ତାବର୍ଷ ଜାନୁଆରିରୁ ରାଜ୍ୟରେ ଆରମ୍ଭ ହେବ ମିଜିଲ୍‌ସ ରୁବେଲା ଟିକାକରଣ ଅଭିଯାନ। ୨୦୨୦ ମସିହା ସୁଦ୍ଧା ମିଳିମିଳାର ନିରାକରଣ ଓ ରୁବେଲାକୁ ନିୟନ୍ତ୍ରଣ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ବିଭିନ୍ନ ଅନୁଷ୍ଠାନକୁ ଚିଠି ଲେଖିଛନ୍ତି।

ରାଜ୍ୟରେ ପ୍ରଥମ ଥର ଲାଗି ଏଭଳି ଏକ ବଡ଼ ଧରଣର ଅଭିଯାନ ଅନୁଷ୍ଠିତ ହେବ। ଏଥିରେ ୯ମାସରୁ ଆରମ୍ଭ କରି ୧୫ବର୍ଷର ଶିଶୁଙ୍କୁ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ ସର୍ବେକ୍ଷଣ ସମୟରେ ଅତିକମ୍‌ରେ ୯୫ପ୍ରତିଶତ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି। ୫ ସପ୍ତାହ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ପ୍ରଥମ ଦୁଇ ସପ୍ତାହରେ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ଟିକାକରଣ କରାଯିବ। ପରବର୍ତୀ ଦୁଇ ସପ୍ତାହରେ ଗୋଷ୍ଠୀସ୍ତରରେ ଏହି ଅଭିଯାନ ଚାଲିବ। ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟାନୁଷ୍ଠାନରେ ଟିକାକରଣ ହେବ। ଶେଷ ସପ୍ତହରେ ଯେଉଁ ଶିଶୁମାନେ ପ୍ରଥମ ୪ ସପ୍ତାହରେ ଟିକାକରଣ ଅଭିଯାନରେ ସାମିଲ ହୋଇ ନ ଥିବା ଶିଶୁମାନଙ୍କୁ ଟିକା ଦିଆଯିବ। ତେଣୁ ଏହି ଅଭିଯାନରେ ସାମିଲ ହେବା ପାଇଁ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ ପେଡିଆଟ୍ରିକ୍‌ସ, ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌, ଲାୟନ୍‌ସ ଇଣ୍ଟରନାସନାଲ ଓଡ଼ିଶା ଶାଖା, ଇଣ୍ଡିଆନ ଆସୋସିଏସନ୍‌ ଅଫ୍‌ ପେଡିଆଟ୍ରିକ୍‌ସ ଓ ଇଣ୍ଡିଆ ମେଡିକାଲ ଆସୋସିଏସନ୍‌ ଓଡ଼ିଶା ଶାଖାକୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି।

ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ ପେଡିଆଟ୍ରିକ୍‌ସ ବା ଆଇଏପି ଅଧୀନରେ ଥିବା ଶିଶୁରୋଗ ବିଶେଷଜ୍ଞମାନେ ନିଜ ନିଜର ରୋଗୀଙ୍କୁ ଏ ସଂପର୍କରେ ସୂଚନା ଦେବାକୁ କୁହାଯାଇଛି। ନିଜ ହସ୍ପିଟାଲ କିମ୍ବା କ୍ଲିନିକ୍‌ରେ ଏଥିପାଇଁ ପୋଷ୍ଟର ଲଗାଇ ଲୋକଙ୍କୁ ସଚେତନ କରାନ୍ତୁ। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ହେଉଥିବା ସଚେତନତା କର୍ମଶାଳାରେ ବେସରକାରୀ ଶିଶୁରୋଗ ବିଶେଷଜ୍ଞମାନଙ୍କୁ ସାମିଲ ହେବାକୁ କୁହାଯାଇଛି। ସେହିପରି ଆଇଏମ୍‌ଏକୁ ମଧ୍ୟ ନିଜ ରୋଗୀଙ୍କୁ ଅଭିଯାନ ସଂପର୍କରେ ଜଣାଇବା ଓ ପୋଷ୍ଟର ଜରିଆରେ ସଚେତନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଅପରପକ୍ଷରେ ପୋଲିଓ ନିରାକରଣ କ୍ଷେତ୍ରରେ ରୋଟାରି ଇଣ୍ଟରନାସନାଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ତେଣୁ ଏହି ଅଭିଯାନରେ ଲୋକଙ୍କୁ ସଚେତନ କରାଇବା କ୍ଷେତ୍ରରେ ଲାୟନ୍‌ସ ଇଣ୍ଟରନାସନାଲର ଯଥେଷ୍ଟ ଗୁରୁତ୍ୱ ରହିଛି। ତେଣୁ ରାଜ୍ୟ ଓ ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକରେ ଲାୟନ୍‌ସ ଇଣ୍ଟରନାସନାଲର ପ୍ରତିନିଧିମାନେ ସାମିଲ ହେବା ପାଇଁ ସ୍ୱାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର