ବିଧାନସଭାରେ ପୁଣି ଲୋକାୟୁକ୍ତ ଝଡ଼

ଭୁବନେଶ୍ୱର : ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ଗତକାଲି ବିରୋଧୀ ଦଳ ଯେଉଁ ଅଭିଯୋଗ ଆଣିଥିଲେ, ଆଜି ତାହା ବିସ୍ଫୋରକ ମୋଡ଼ ନେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଆସି ସତ କଣ ଜଣାଇବା ଦାବିରେ ବିରୋଧୀ ଅଡ଼ି ବସିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ବିରୋଧୀ-ସରକାର ମୁହାଁମୁହିଁ ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ପୂର୍ବାହ୍ନରେ ବିରୋଧୀ ସଭ୍ୟମାନେ ଗୃହରେ ହଟ୍ଟଗୋଳ କରୁଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପୋଡ଼ିୟମ ଉପରକୁ ଉହୁଙ୍କି ଯାଇ ବାଚସ୍ପତିଙ୍କ ମାଇକ୍‌ ଟାଣି ତାର ଛିଣ୍ଡାଇ ଦେଇଥିଲେ ଓ କିଛି ବହି ଉଠାଇ ଫିଙ୍ଗିବାକୁ ଉଦ୍ୟମ କରିଥିଲେ। ଅପରାହ୍ନରେ ମଧ୍ୟ ବିରୋଧୀ ହଟ୍ଟଗୋଳ କରିଥିଲେ ଓ ପରେ ଉଭୟ କଂଗ୍ରେସ ଏବଂ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରି ଚାଲି ଯାଇଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ଆଜି ବାଚସ୍ପତିଙ୍କୁ ବାରମ୍ବାର ବିଧାନସଭାକୁ ମୁଲତବୀ କରିବାକୁ ପଡିଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳର ସଭ୍ୟମାନେ ଗୃହର ମଧ୍ୟଭାଗକୁ ପଶି ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ। ‘‘ରାଜ୍ୟ ଶାସନ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ।’’ ଶୀର୍ଷକରେ ବିରୋଧୀ ଦଳ ମୁଖ୍ୟ ସଚେତକ ଯେଉଁ ମୁଲତବୀ ପ୍ରସ୍ତାବ ଦେଇଥିଲେ ତାହାକୁ ବାଚସ୍ପତି ଗ୍ରହଣ କରିନଥିଲେ। ଏହା ସହିତ ଗତକାଲି ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୌଣସି ସ୍ପଷ୍ଟୀକରଣ ନ ଦେବା ଥିଲା ବିରୋଧୀଙ୍କ ହଟ୍ଟଗୋଳର ଉଦ୍ଦେଶ୍ୟ। ଗୃହର ଅସ୍ୱାଭାବିକତା ଲକ୍ଷ୍ୟ କରି ବାଚସ୍ପତି ତୁରନ୍ତ ଗୃହକୁ ୧୧ଟା ୩୦ ଯାଏ ମୁଲତବୀ କରିଥିଲେ।

ଶୂନ୍ୟକାଳ ଆରମ୍ଭରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବୈଧାନିକ ପ୍ରଶ୍ନ ଉତ୍‌ଥାପନ ଛଳରେ ଲୋକାୟୁକ୍ତ ନିଯୁକ୍ତି ନେଇ ସତ୍ୟପାଠ ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ମୁଖ୍ୟ ଶାସନ ସଚିବଙ୍କ ସତ୍ୟପାଠକୁ ଆଧାର କରି କୋର୍ଟ କହିଛନ୍ତି, ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହୋଇଛି। ଚୟନ କମିଟି ଗଠନ ପାଇଁ ନିୟମାବଳୀ ତିଆରି ଚାଲିଛି। ନିୟମାବଳୀ ପ୍ରସ୍ତୁତ ହୋଇଗଲେ, ଲୋକାୟୁକ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ସେଥିରୁ ଏକଥା ବି ଜଣାପଡୁଛି ଯେ ଲୋକପାଳ ଆଇନ୍‌ ଆଉ ନାହିଁ। ସେଥିପାଇଁ ଲୋକପାଳ ନିଯୁକ୍ତି କରାଯାଇନାହିଁ। ଅର୍ଥାତ୍‌ ନୂଆ ଆଇନ ଲାଗୁ ହୋଇଗଲାଣି। ଅତଏବ ସରକାର ଅସତ୍ୟ କହୁଛନ୍ତି। ସେ କହିଥିଲେ, ସୁପ୍ରିମକୋର୍ଟ ଯାହା ବି କହିଛନ୍ତି, ତାହାକୁ ସରକାର ମାନିବାକୁ ବାଧ୍ୟ। ଭୁଲ ତଥ୍ୟ ଦେଇଛନ୍ତି, ଆମେ ମାନିବୁ ନାହିଁ, ଏମିତି କୁହାଯାଇପାରିବ ନାହିଁ। ବିଧାନସଭା କାର୍ଯ୍ୟବିଧି ପରିଚାଳନା ଆଇନର ଧାରା ୧୮୯ କହୁଛି, ବିଚାରାଧୀନ ମାମଲାର ତଥ୍ୟ ସଂପର୍କରେ କେହି ବିଧାନସଭାରେ ଆଲୋଚନା କରିପାରିବେ ନାହିଁ। ସେଥିପାଇଁ କେବଳ ସୁପ୍ରିମକୋର୍ଟଙ୍କ ରାୟ ପଢାଯାଇଛି। ସିଧାସଳଖ ବିଚାର ବିଭାଗ ଉପରେ ଟିପ୍‌ପଣୀ ଦିଆଯାଇପାରିବ ନାହିଁ, ଯେମିତି ସରକାରୀ ଦଳ ମୁଖ୍ୟ ସଚେତକ ଦେଇଛନ୍ତି।

ବିରୋଧୀ ଦଳ ନେତା କହିଥିଲେ, ମୁଖ୍ୟ ସଚେତକଙ୍କ ବକ୍ତବ୍ୟ ସୂଚାଉଛି ଯେମିତି ତାମିଲନାଡୁ ହେଉଛି, ଓଡ଼ିଶାର ଆଦର୍ଶ। ତାମିଲନାଡୁ ସରକାର ଯାହା ଯୁକ୍ତି କରିଥିଲେ, ସୁପ୍ରିମକୋର୍ଟ ତାଙ୍କ ରାୟରେ ତାକୁ ଅଗ୍ରାହ୍ୟ କରିସାରିଛନ୍ତି। କେନ୍ଦ୍ର ସରକାର ଲୋକପାଳ ନିଯୁକ୍ତି କରନ୍ତୁ ବା ନ କରନ୍ତୁ, ଆଇନ ସଂଶୋଧନ ହେଉ ବା ନ ହେଉ ଲୋକାୟୁକ୍ତ ନିଯୁକ୍ତି ଅପେକ୍ଷା କରିବ ନାହିଁ। ଯିଏ ଏକ ପ୍ରକାର କୋର୍ଟରେ ଭର୍ତ୍ସିତ ହୋଇଛନ୍ତି, ସେ ଓଡ଼ିଶାର ଆଦର୍ଶ ହେବେ। ଓ଼ଡ଼ିଶା ସମେତ ୧୨ଟି ରାଜ୍ୟକୁ ଛାଡିଦେଲେ ଅନ୍ୟମାନେ ଲୋକାୟୁକ୍ତ ଆଇନ କରିସାରିଲେଣି। ଗୁଜୁରାଟ, ଗୋଆ, ଆସାମ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଛତିଶଗଡ ଆଦି ରାଜ୍ୟ ଲୋକାୟୁକ୍ତ ନିଯୁକ୍ତି କରିନାହାନ୍ତି। ସେହିପରି ବିହାର ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଲୋକାୟୁକ୍ତ ଆଇନ ଲାଗୁ ହୋଇନାହିଁ। ଯେଉଁମାନେ ଲୋକାୟୁକ୍ତ ନିଯୁକ୍ତି କରିନାହାନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ଶାସିତ ବା ସଂପର୍କରେ ଥିବା ରାଜ୍ୟ। ଏମାନଙ୍କୁ ଗୁରୁ କରାଯିବ?

ବିରୋଧୀ ଦଳ ନେତା ଆହୁରି କହିଥିଲେ, ମୁଁ ଖବର ନେଇଛି ଯେ ଖୋଲା କୋର୍ଟରେ ଏହି ରାୟ ଡକାଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ଓକିଲ ଦିଆଯାଇଥିଲା, ସେ ସେଠାରେ ବସିବା କଥା। ସେ କାହିଁକି ଆପତ୍ତି କଲେନି? ତା ମାନେ କଣ ବୁଝିବାକୁ ହେବ? କୋର୍ଟଙ୍କ ନିର୍ଦେଶରେ କୌଣସି ଭୁଲ ନଥିଲା। କେବଳ ସେତିକି ନୁହେଁ, କୋର୍ଟଙ୍କ ନିର୍ଦେଶନାମା ତା’ ପରଦିନ ଉପଲବ୍ଧ ହୋଇପାରୁଛି। ଇତିମଧ୍ୟରେ ୬ ଦିନ ବିତିଗଲାଣି। କାହିଁକି ଏ ମଧ୍ୟରେ ସଂଶୋଧନ ପାଇଁ ଦରଖାସ୍ତ ଦେଲେନି?

ଲୋକାୟୁକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର କହିବା ପାଇଁ ସତ୍‌ସାହସ ନାହିଁ। ଯଦି କୌଣସି ଅଭିଯୋଗ ଉପରେ କେହି ପ୍ରତିକ୍ରିୟା ନ ଦିଅନ୍ତି, ତେବେ ତାହା ଗ୍ରହଣ କରାଗଲା ବୋଲି ବିଚାର କରାଯାଏ। ଏଣୁ ମୁଖ୍ୟମନ୍ତ୍ରୀ ଯଦି ନିରବ ରହିବେ, ତେବେ ଏହାକୁ ଗ୍ରହଣ କରୁଛନ୍ତି ବୋଲି ବିଚାର କରାଯିବ। ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ଓ ଲୋକାୟୁକ୍ତ ନିଯୁକ୍ତି ନେଇ ପ୍ରକୃତ ତଥ୍ୟ ରଖନ୍ତୁ। ଭୁଲ୍‌ ସତ୍ୟପାଠ କାରଣରୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ।

ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କୁ କହିବା ପାଇଁ ଡାକିଥିଲେ। ହେଲେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ପ୍ରବେଶ କରି ହଟ୍ଟଗୋଳ କରିଥିଲେ। ସରକାରୀ ଦଳର ବିଧାୟକମାନେ ମଧ୍ୟ ନିଜ ଆସନରେ କିଛି ସମୟ ପାଇଁ ଛିଡା ହୋଇଯାଇଥିଲେ। ପ୍ରବଳ ହଟ୍ଟଗୋଳ ଭିତରେ ଶ୍ରୀ ଶତପଥୀ କହିଥିଲେ,ବିରୋଧୀ ଦଳ ନେତାଙ୍କୁ ଆମେ ଧୈର୍ଯ୍ୟର ସହିତ ଶୁଣୁଥିଲୁ। ମୁଁ କିଛି ଭୁଲ କହିନାହିଁ। ସୁପ୍ରିମକୋର୍ଟରେ ସରକାର କିଛି ଭୁଲ କହିନାହାନ୍ତି। ଏହାର ଭୁଲ ଉପସ୍ଥାପନ କରାଯାଇଛି। ମୁଁ ରିଭିଜନ କଥା କହିନାହିଁ। ମଡିଫିକେସନ୍‌ କଥା କହିଛି। ସାଧାରଣତଃ ଗୃହରେ ବିଧାୟକମାନେ ଯାହା କହିଥାନ୍ତି, ତାକୁ ସେମାନଙ୍କ ନିକଟକୁ ସଂଶୋଧନ ପାଇଁ ଅଣାଯାଇଥାଏ। ଏଠାରେ ତାହା ହୋଇନି। ବିରୋଧୀ ଦଳ ବିଧାୟକମାନଙ୍କ ହଟ୍ଟଗୋଳକୁ ନେଇ ଗର୍ଜିଥିଲେ ଶ୍ରୀ ଶତପଥୀ। କହିଥିଲେ, ଇଏ କି ଗଣତନ୍ତ୍ର? ପରେ ବିଧାୟକ ସଂଜୟ ଦାସବର୍ମା କହିଥିଲେ, ବିରୋଧୀ ଦଳର ଧୈର୍ଯ୍ୟ ନାହିଁ। ବିରୋଧୀ ଦଳ ନେତା କହିବା ବେଳେ ଆମେ ସବୁ ଶୁଣୁଥିଲୁ। କିନ୍ତୁ ଦୁର୍ଭାଗ୍ୟର କଥା, ସେ ତାଙ୍କ ବକ୍ତବ୍ୟ ଦେବା ପରେ ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି। ଏହା ସ୍ପୃହଣୀୟ ନୁହେଁ, ନିନ୍ଦନୀୟ। ଗୃହ ଚଳାଇ ରଖାଯାଉ ଓ ଏହା ଉପରେ ବିତର୍କ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।

ମାତ୍ର ବାଚସ୍ପତି ଗୃହକୁ ୧୨ଟା ୦୪ରୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଥିଲେ। ଅପରାହ୍ନ ଅଧିବେଶନରେ ମଧ୍ୟ ସମାନ କାରଣରୁ ଗୃହକୁ ଦୁଇ ଥର ମୁଲତବୀ କରାଯାଇଥିଲା। ପରେ ଅପରାହ୍ନ ୪ଟାରେ ବାଚସ୍ପତି ଧ୍ୟାନ ଆକର୍ଷଣ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଥିଲେ। ଏହାର ପ୍ରତିବାଦ କରି ପ୍ରଥମେ କଂଗ୍ରେସ ଓ ପରେ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରି ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର