ଦୁଷ୍କର୍ମ ପ୍ରସଙ୍ଗରେ ଗୃହ କମ୍ପିଲା : ବିରୋଧୀ ଦଳ ନେତା କହିଲେ ଜଙ୍ଗଲରାଜ ଚାଲିଛ

ଭୁବନେଶ୍ୱର : ଗୋଟିଏ ଦିନରେ ଚାରି ଚାରିଟି ଦୁଷ୍କର୍ମ ଘଟଣା ଆଜି ବିଧାନସଭାରେ କମ୍ପନ ସୃଷ୍ଟି କରିଥିଲା। ଗୃହ ଆରମ୍ଭ ହେବା ମାତ୍ରେ ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ପ୍ରବଳ ହଟ୍ଟଗୋଳ କରି ଗୃହ ଥରାଇ ଦେଇଥିଲେ। କେଇ ସେକେଣ୍ଡ ମଧ୍ୟରେ ଅଟକିଯାଇଥିଲା ପ୍ରଶ୍ନକାଳ। ଆଉ ଶୂନ୍ୟକାଳରେ ଗର୍ଜିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। କହିଥିଲେ, ଅପରାଧୀ ଆଉ ଆଇନକୁ ଡରୁନାହାନ୍ତି। ପୁଲିସ ଓ ସରକାରକୁ ଭୟ କରୁନାହାନ୍ତି। ସେମାନେ ଜାଣିଗଲେଣି ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଆଇନ ଶୃଙ୍ଖଳା ଆଉ ନାହିଁ। ଜଙ୍ଗଲରାଜ ଚାଲିଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଗୃହରେ ବିବୃତି ରଖନ୍ତୁ। ନଚେତ୍‌ ଗୃହ ଚାଲିବାର ଆବଶ୍ୟକତା ନାହିଁ। ବିରୋଧୀ ଦଳ ନେତାଙ୍କ ସହିତ ବିଜେପି ବି ସ୍ୱର ମିଳାଇଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ଆଶ୍ୱାସନା ଦେବାକୁ ଚେଷ୍ଟା କରିଥିଲେ ବି ଏହାର ସାମାନ୍ୟତମ ପ୍ରଭାବ ପଡିନଥିଲା ଗୃହ କାର୍ଯ୍ୟରେ।

ଅନ୍ୟପକ୍ଷରେ ଗୃହରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ କରି ଆଜି ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି। ଆଜି ରାତିରେ ବାଚସ୍ପତି ରୁଲିଂ ଦେଇ କହିଥିଲେ, ନାବାଳିକା ଅତ୍ୟାଚାର ପ୍ରସଙ୍ଗରେ ବିରୋଧୀ ଦଳ ନେତା ଯେଉଁ ଉଦ୍‌ବେଗ ପ୍ରକାଶ କରିଥିଲେ, ତା ଉପରେ ଆସନ୍ତାକାଲି ଗୃହ ଶେଷ ହେବା ପୂର୍ବରୁ ସରକାର ବିବୃତି ରଖିବେ। ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ‘ସମ୍ବାଦ’ ଦେଖାଇ ଗୃହ ମଧ୍ୟରେ ପ୍ରବେଶ କରିବା ସହିତ ସରକାର ବିରୋଧରେ କମ୍ପିଥିଲେ। ପରିସ୍ଥିତି ଦେଖି ବାଚସ୍ପତି କେଇ ସେକେଣ୍ଡ ମଧ୍ୟରେ ଗୃହକୁ ସାଢେ ଏଗାରଟା ଯାଏ ମୁଲତବୀ କରିଥିଲେ।

ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ, ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ସରକାରଙ୍କ ଉପରେ ବର୍ଷିଥିଲେ। କହିଥିଲେ, ପ୍ରତିଦିନ ରାଜ୍ୟକୁ ଦୁଷ୍କର୍ମ ଖବର ଆସୁଛି। ସେ ମଧ୍ୟରୁ ଅଧିକାଂଶ ନାବାଳିକା। ପ୍ରାୟ ୩ରୁ ୧୦ ବର୍ଷର ନାବାଳିକା ମରଣ ମୁହଁରେ ପଡୁଛନ୍ତି। ଆଜି ବି ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ଖବର ରହିଛି ଯେ ୪ଟି ଶିଶୁକୁ ଦୁଷ୍କର୍ମ କରାଯାଇଛି। ତଥାପି ସରକାର ଏ ପ୍ରସଙ୍ଗ ଉପରେ ଶୋଇ ରହିବେ?

ବିରୋଧୀ ଦଳ ନେତା କହିଥିଲେ, ସରକାର କହୁଛନ୍ତି, ପୁଲିସ ଅପରାଧୀକୁ ଧରୁଛି। କିନ୍ତୁ କେତେବେଳେ? ଯେତେବେଳେ ପୀଡିତା ପ୍ରାଣ ହରାଉଛି। ତାର ସମ୍ମାନ ଭୁଲୁଣ୍ଠିତ ହେଉଛି। ଶାସକ ଦଳର ସଭ୍ୟ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହା ଉପରେ ତାଙ୍କର ଉତ୍ତର ରଖିଆସିଛନ୍ତି, ବିରୋଧୀ ଦଳ କାହିଁକି ଚିତ୍କାର କରୁଛନ୍ତି। ପରିସ୍ଥିତି ଉପରେ ସରକାରଙ୍କର ନଜର ରହିଛି। ହେଲେ ଶାସକ ଦଳ ସଭ୍ୟମାନେ ଭୁଲିଯାଉଛନ୍ତି ଯେ ଖୋଦ୍‌ ଭାରତର ରାଷ୍ଟ୍ରପତି ନାବାଳିକା ଦୁଷ୍କର୍ମ ଘଟଣାରେ ଉଦ୍‌ବେଗ ପ୍ରକାଶ କରିସାରିଲେଣି। ହେଲେ ଏଠାରେ ସରକାର ଉଦ୍‌ବେଗ ପ୍ରକାଶ କରୁନାହାନ୍ତି କିମ୍ବା କାହିଁକି ଏଭଳି ଘଟଣା ଘଟୁଛି, ସେ ଦିଗରେ ବି କିଛି ପଦକ୍ଷେପ ନେଉନାହାନ୍ତି।

ଶ୍ରୀ ମିଶ୍ର କହିଥିଲେ, ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ, ତା ଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ବି ଦେଲେନି। ଆଲୋଚନା ପ୍ରାରମ୍ଭରେ ଯେଉଁ ଉତ୍ତର ରଖିଥିଲେ ଏବଂ ପରେ ଯେଉଁ ଉତ୍ତର ପଢି ଶୁଣାଇଲେ, ତା ଭିତରେ କେବଳ କିଛି ବାକ୍ୟ ବା ଶବ୍ଦ ବଦଳିଛି। ଏ ବିଧାନସଭାରେ କଣ ଚାଲିଛି? ବିଧାନସଭାରେ ବସିଲେ ବା ଶୁଣିଲେ ସିନା, ବିଧାୟକମାନେ କଣ କହୁଛନ୍ତି, ତାହା ତାଙ୍କ ମନକୁ ଛୁଅଁନ୍ତା ଓ ସେ ଉତ୍ତର ଦେଇପାରନ୍ତେ। ମୁଖ୍ୟମନ୍ତ୍ରୀ ଏଭଳି ଉତ୍ତର ଦେବା ଦ୍ୱାରା ଏଥିରୁ ବାର୍ତ୍ତା କଣ ଯାଉଛି? ଅପରାଧୀଙ୍କୁ ସୁରକ୍ଷା ଦେବା ଭଳି କଥା ହେଉଛି।

ବିରୋଧୀ ଦଳ ନେତା କହିଥିଲେ, ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦୁଷ୍କର୍ମକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ କହିଲେନି। ମହିଳା ଡେସ୍କ କରିଦେଲେ। ଟେବୁଲ ଚୌକି ପଡିଗଲା। ଦୁଷ୍କର୍ମ କମିଗଲା? ଖପ୍ରାଖୋଲରେ ଏକ ଦୁଷ୍କର୍ମ ହୋଇଥିଲା। ଏଯାଏ ଧରାପଡିଲାଣି କି? ମହିଳା େ଼ଡସ୍କ, ସିସିଟିଭି ଲଗାଇଦେଲେ ଦୁଷ୍କର୍ମ ବନ୍ଦ ହୋଇଯିବ? ରାଜକନିକାରେ ୩ବର୍ଷର ଝିଅକୁ ଦୁଷ୍କର୍ମ ହେଲା। ପୁଲିସ ମାମଲା ରୁଜୁ କରିବା ପୂର୍ବରୁ ପୀଡିତାଙ୍କ ପରିବାରକୁ କେଉଁ ଦଳର ବୋଲି ପଚାରିବ? ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି? ବଲାଙ୍ଗୀରରେ କନଷ୍ଟେବଳ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ। ଅଭିଯୋଗକାରୀ ବି ଜଣେ ପୁଲିସ। ଏହା ସତ ଘଟଣା। କାର୍ଯ୍ୟାନୁଷ୍ଠାନ ହେବନି? ଏଥିରେ କି ବାର୍ତ୍ତା ଯାଉଛି?

ପରିଣାମ ହେଲା, ଏଠି ଗୃହ ଚାଲିଛି। ସେଠି ତିନି ତିନିଟି ନାବାଳିକା ଦୁଷ୍କର୍ମର ଶୀକାର ହେଲେଣି। ସରକାରଙ୍କୁ ଚେତାଇ ଦେଇ ବିରୋଧୀ ଦଳ ନେତା କହିଥିଲେ ଯେ ଦୁଷ୍କର୍ମ ଘଟଣାରେ ଗୋଟିଏ ସରକାର ଚାଲିଯାଇଥିଲା। ଏହାକୁ ସରକାର ହାଲୁକା ଭାବେ ନିଅନ୍ତୁନି।

ବିଜେପି ବିଧାୟକ ରବି ନାଏକ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ। କହିଥିଲେ, ଚକ୍‌ଲେଟ୍‌ ଦେଇ ବିବାହିତ ଯୁବକ ଏଭଳି ଅଭାବନୀୟ ଘଟଣା ଘଟାଉଛନ୍ତି। ଅଧ୍ୟାଦେଶ, ସରକାର, ପୁଲିସକୁ ଏମାନେ ମାନୁନାହାନ୍ତି। ଏସବୁ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦରକାର। ମୁଖ୍ୟମନ୍ତ୍ରୀ ତୁରନ୍ତ ଗୃହରେ ଏ ସଂକ୍ରାନ୍ତ ବିବୃତି ଦିଅନ୍ତୁ।
ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ଏଥିରେ ସରକାରଙ୍କର ଭିନ୍ନ ମତ ନାହିଁ। ଦୁଷ୍କର୍ମ ଅତ୍ୟନ୍ତ ଦୁଃଖଦ ଘଟଣା, ସମସ୍ତଙ୍କୁ ବାଧୁଛି। ପୁଲିସ ଦୋଷୀକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେଉଛି। ହେଲେ ସେତେବେଳକୁ ବିରୋଧୀ ଦଳ ଗୃହ ମଧ୍ୟକୁ ଆସି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ସ୍ଥିତି ଅସ୍ୱାଭାବିକ ହେବା ଲକ୍ଷ୍ୟ କରି ବାଚସ୍ପତି ଗୃହକୁ ୧୧ଟା ୪୬ରେ ପ୍ରଥମେ ଅପରାହ୍ନ ୧୨ଟା ୫୦ ଓ ପରେ ତିନିଟା ଯାଏ ମୁଲତବୀ କରିଥିଲେ।

ସମ୍ବନ୍ଧିତ ଖବର