ଶିକ୍ଷକ ଆନ୍ଦୋଳନ, ଚାରା ଦୁର୍ନୀତି ଉଠାଇଲେ ବିରୋଧୀ : ପ୍ରଶ୍ନକାଳ ହୋଇପାରିଲାନି, ଗୃହ ଘଣ୍ଟାଏ ମୁଲତବୀ

ଭୁବନେଶ୍ୱର : ଗତକାଲି ପରି ବି ଆଜି ବି ବିଧାନସଭାର ପ୍ରଶ୍ନକାଳ ଅଚଳ ହୋଇଯାଇଥିଲା। କଂଗ୍ରେସ ସଭ୍ୟମାନେ ଶିକ୍ଷକ ଆନ୍ଦୋଳନକୁ ପ୍ରସଙ୍ଗ କରିଥିଲା ବିଜେପି ସଭ୍ୟମାନେ ଚାରା ଦୁର୍ନୀତି କଥା ଉଠାଇଥିଲେ। ପ୍ରସଙ୍ଗ ଭିନ୍ନ ହୋଇଥିଲେ ବି ଉଭୟ ଦଳର ସ୍ୱର ଏତେ ଶାଣିତ ଥିଲା ଯେ ଗୃହ କାର୍ଯ୍ୟ ଚାଲିବା ସମ୍ଭବ ହୋଇ ନ ଥିଲା।

ଆଜି ୧୦ଟା ୩୦ରେ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ସାର୍‌ … ସାର୍‌ କହି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଶିକ୍ଷକମାନେ ଆନ୍ଦୋଳନରେ ବସିଛନ୍ତି, ସେମାନଙ୍କ ସମସ୍ୟା ସରକାର ସମାଧାନ କରନ୍ତୁ ବୋଲି ଦାବି କରିଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବିଜେପି ସଭ୍ୟମାନେ ସଙ୍ଗେ ସଙ୍ଗେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଚାରା ଦୁର୍ନୀତିରେ ସରକାର ଜଡ଼ିତ ବୋଲି ଆରୋପ ଲଗାଇ ହୋହଲ୍ଲା କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଗୋଟିଏ ମିନିଟ୍‌ ବି ଗୃହ ଚାଲିପାରିଲରାନି। ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଲେ, ୨୧ ଦିନ ହେଲା ସାରା ରାଜ୍ୟରେ ସ୍କୁଲ୍‌ ଓ କଲେଜରେ ତାଲା ପଡ଼ିଛି। ବର୍ଷା ସତ୍ତ୍ୱେ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି ପୂରଣ କରୁ ନାହାନ୍ତି। ସେଥି ପାଇଁ ଆଜି ବିଧାନସଭାରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଲା।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ, ମୟୂରଭଞ୍ଜ ଜିଲ୍ଲାରେ ୧୭ କୋଟି ଟଙ୍କାର ଚାରା ଦୁର୍ନୀତି ହୋଇଥିଲା। ମନ୍ତ୍ରୀ ମଧ୍ୟ ଏହା ସ୍ୱୀକାର କରିଥିଲେ। ଏଥି ପାଇଁ ଯେଉଁ ସହ ନିର୍ଦ୍ଦେଶକଙ୍କୁ ତତ୍‌କାଳୀନ ମନ୍ତ୍ରୀ ଦାମୋଦର ରାଉତ ଚାକିରିରୁ ବିଦା କରିଥିଲେ, ପରବର୍ତ୍ତୀ ସମୟରେ ତାଙ୍କୁ ନୟାଗଡ଼ ଜିଲ୍ଲାରେ ପୁଣି ଅବସ୍ଥାପିତ କରାଗଲା। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି। ଆମେ ଏହି ପ୍ରସଙ୍ଗ ଗୃହରେ ଉଠାଇବା ସହ ସିବିଆଇ ତଦନ୍ତ ଦାବି କରୁଛୁ।

ତେବେ ବିଜେଡି ବିଧାୟକ ସମୀର ଦାଶ କହିଥିଲେ, ଆଜି ଯେପରି ପ୍ରଶ୍ନକାଳକୁ ପୁଣି ବନ୍ଦ କରିଦିଆଗଲା ତାହା ଦୁର୍ଭାଗ୍ୟଜନକ। ଗତକାଲି ବିରୋଧୀ ଦଳ ନେତା ଓ ଅନ୍ୟ ସଦସ୍ୟମାନଙ୍କ ସହ ବାଚସ୍ପତି ଆଲୋଚନା କରିଥିଲେ। ଚାଷୀ, ଶିକ୍ଷକ, ତୈଳ ଦର ଆଜି ସମସ୍ୟା ଗୃହରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ ବୋଲି କୁହାଯାଇଥିଲା। ତାହା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ପ୍ରଶ୍ନକାଳରେ ବାଧା ସୃଷ୍ଟି କରିବା ନିନ୍ଦନୀୟ।

୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେଲା ପରେ ଶୂନ୍ୟକାଳ ସ୍ୱାଭାବିକ ଭାବେ ଚାଲିଥିଲା। ତାହା ପରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଅପରାହ୍ନରେ ବିଧାନ ପରିଷଦ ନେଇ ସଂକଳ୍ପ ଆସି ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର