ଗଣଶିକ୍ଷାରେ ଆସିବ ସଂସ୍କାର

ଶିକ୍ଷକ ନିଯୁକ୍ତି ପାଇଁ ଏଣିକି ପ୍ରତିଯୋଗିତାମୂଳକ ପରୀକ୍ଷା

ଭୁବନେଶ୍ୱର: ଗଣଶିକ୍ଷା ବିଭାଗରେ ବ୍ୟାପକ ପରିବର୍ତନ କରାଯିବ। ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ସଂସ୍କାର ଅଣାଯିବ। ନିଯୁକ୍ତି ଲାଗି ଶିକ୍ଷାଗତ ଯୋଗ୍ୟତାକୁ ଆଉ ମାନଦଣ୍ଡ ଭାବେ ଧରାଯିବ ନାହିଁ। ଏଣିକି ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ୧୦୦ ମିଟର ଦୂରରେ ଥିବା ରାଜ୍ୟର ୪୨୦୦ ସ୍କୁଲକୁ ମିଶ୍ରଣ କରାଯିବ। ଆସନ୍ତା ୨୪ ମାସ ମଧ୍ୟରେ ଏହିଭଳି ୧୫ଟି ସଂସ୍କାରମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।
ସଚିବ ଶ୍ରୀ ମହାପାତ୍ରଙ୍କ କହିବାନୁସାରେ ଶିକ୍ଷକ,ଶିକ୍ଷୟିତ୍ରୀ ଚୟନ ପାଇଁ ଯେଉଁ ପ୍ରତିଯୋଗିତାମୂଳକ ପରୀକ୍ଷା ହେବ, ତାହାକୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳନା କରିବ। ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ନିଯୁକ୍ତି ମିଳିବ। ଏଥିସହ ବିଭାଗ ଅଧୀନରେ ଥିବା ନିର୍ଦେଶାଳୟ ସଂଖ୍ୟା ମଧ୍ୟ କମିବ। ଶିକ୍ଷକ-ଛାତ୍ରଛାତ୍ରୀଙ୍କ ଅନୁପାତରେ ସୁଧାର ଆସିବ। ଶିକ୍ଷକଙ୍କୁ ତାଲିମ ଦେବା ସହ ପ୍ରତି ଜିଲ୍ଲାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିସିପି)ଙ୍କ କାର୍ଯ୍ୟାଳୟକୁ ମିଶାଇ ଗୋଟାଏ କାର୍ଯ୍ୟାଳୟ କରାଯିବ। ସେହିପରି ମାତ୍ର ୧୦୦ ମିଟର ଦୂରରେ ଥିବା ରାଜ୍ୟର ୪୨୦୦ ସ୍କୁଲକୁ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ମାସ ମଧ୍ୟରେ ୧୫ଟି ସଂସ୍କାରମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ବିଲୀନ ହେବ ବିଭାଗର ୫ ନିର୍ଦେଶାଳୟ
ଶହେ ମିଟର ଦୂରରେ ଥିବା ୪୨୦୦ ସ୍କୁଲ ମିଶିବ
ଡିଇଓ ଓ ଡିପିସି କାର୍ଯ୍ୟାଳୟ ଗୋଟିଏ ହେବ

ବଡ଼ ନିଷ୍ପତ୍ତିକ୍ରମେ ବିଭାଗ ଅଧୀନରେ ଥିବା ନିର୍ଦେଶାଳୟଗୁଡ଼ିକ ସଂଖ୍ୟା ହ୍ରାସ କରାଯିବ। ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିସନ (ଓଏମ୍‌ଏସ୍‌ଏମ୍‌)କୁ ମିଶାଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓଏସ୍‌ଇପିଏ) କରାଯିବ। ଏସ୍‌ସିଇଆର୍‌ଟି ମଧ୍ୟରେ ଇଏଲ୍‌ଟିଆଇ, ଏସ୍‌ଆଇଇଏମ୍‌ଏଟି ଓ ଏସ୍‌ଆର୍‌ସିକୁ ବିଲୀନ କରିବାକୁ ନିଷ୍ପତ୍ତି ହୋଇଛି। ଏସ୍‌ସିଇଆର୍‌ଟିର ଜଣେ ନିର୍ଦେଶକ ରହିବେ। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଆହୁରି ସୁଦୃଢ଼ କରାଯିବ। କାର୍ଯ୍ୟ ଶୈଳୀରେ ବି ପରିବର୍ତନ ଆସିବ। ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ନିର୍ଦେଶାଳୟକୁ ପୁନର୍ଗଠିତ ତଥା ମିଶାଇ ଦିଆଯିବ। ୭ ଜଣ ଆଞ୍ଚଳିକ ନିର୍ଦେଶକ ମଧ୍ୟ ନିଯୁକ୍ତ ହେବେ। ଟିବିପିଏମ୍‌, ଓଏଭିଏସ୍‌, ଏମ୍‌ଡିଏମ୍‌ ଓ ବିଭାଗ ଅଧୀନରେ ଥିବା ବୋର୍ଡଗୁଡ଼ିକରେ କୌଣସି ପରିବର୍ତନ କରାଯିବ ନାହିଁ। ଏବେ ଉକ୍ତ ସଂସ୍ଥାଗୁଡ଼ିକ ଯେଉଁଭଳି ରହିଛି ସେଭଳି କାର୍ଯ୍ୟ କରିବେ। ଅନ୍ୟ ଏକ ନିଷ୍ପତ୍ତିକ୍ରମେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ଏଣିକି ଅନ୍‌ଲାଇନ୍‌ରେ ହେବ। ଏଥିପାଇଁ ଏକ ପୋର୍ଟାଲ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି। ଯେଉଁମାନେ ଅନ୍‌ଲାଇନ୍‌ରେ ଆବେଦନ କରିବେ ସେମାନଙ୍କ ବଦଳିକୁ ବିଚାରକୁ ନିଆଯିବ। ଶିକ୍ଷକଙ୍କ ତାଲିମ ଦିଗରେ ବି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଏପ୍ରିଲ ୧୭ରୁ ମେ’ ୫ ତାରିଖ ମଧ୍ୟରେ ରାଜ୍ୟର ଏକ ଲକ୍ଷ ୭୫ ହଜାର ଶିକ୍ଷକଙ୍କୁ ବ୍ଲକ୍‌ସ୍ତରରେ ତାଲିମ ଦିଆଯିବ। ଏହି ସମୟରେ ଶିକ୍ଷକମାନେ ଅନ୍ୟ କୌଣସି କାର୍ଯ୍ୟ କରିବେ ନାହିଁ। ୧୪ ହଜାର ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏପ୍ରିଲ ୩୦ ସୁଦ୍ଧା ସେମାନେ କାର୍ଯ୍ୟରେ ଯୋଗଦେବେ। ମାଧ୍ୟମିକ ଶିକ୍ଷାସ୍ତରରେ ଖାଲିଥିବା ଶିକ୍ଷକ ପଦବିଗୁଡ଼ିକ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯିବ। ପ୍ରଧାନଶିକ୍ଷକ ପଦବି ପୂରଣ ଲାଗି ଏପ୍ରିଲ ୨୫ ସୁଦ୍ଧା ଗ୍ରେଡେସନ୍‌ ଲିଷ୍ଟର ଡାଟାବେସ ପ୍ରସ୍ତୁତ ହେବ।

ଅନ୍ୟପକ୍ଷରେ ୧୦୦ ମିଟର ଦୂରରେ ଥିବା ରାଜ୍ୟର ୪୨୦୦ ସ୍କୁଲକୁ ମିଶାଇ ଦୁଇ ହଜାରକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ସ୍କୁଲଗୁଡ଼ିକ ଲାଗି ନୂତନ ମନିଟରିଂ ସିଷ୍ଟମ ଲାଗୁ ହେବ। ନିୟମିତ ବ୍ୟବଧାନରେ ତଦାରଖ କରାଯିବ। ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଓଡ଼ିଆ, ଗଣିତ ଓ ଇଂରାଜୀ ବିଷୟର ଜ୍ଞାନ ବୃଦ୍ଧି ଲାଗି ‘ଉଜ୍ଜ୍ୱଳ’ କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତା ୧୮ ଜୁନ୍‌ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଲର୍ଣ୍ଣିଂ କ୍ୟାମ୍ପ କରାଯିବ। ଏହାପରେ ପ୍ରତିଦିନ ୧୦ଟା ୩୦ରୁ ୧୧ଟା ୧୫ ଯାଏ ଗୋଟିଏ କ୍ଲାସ୍‌ ନିଆଯିବ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଲାଗି ହେଉଥିବା ‘ଉତ୍ଥାନ’ କାର୍ଯ୍ୟକ୍ରମରେ ପିଲାଙ୍କ ଓଡ଼ିଆ, ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟର ଜ୍ଞାନ ବୃଦ୍ଧି କରାଯିବ। ଏଥିପାଇଁ ଜୁନ୍‌ ୧୮ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲର୍ଣ୍ଣିଂ କ୍ୟାମ୍ପ କରାଯିବା ସହ ପ୍ରତି ସୋମବାର ୩ ଘଣ୍ଟାର ରିମେଡିଏସନ୍‌ କ୍ଲାସ ହେବ। ଚିହ୍ନଟ ହୋଇଥିବା ୧୫ ଜିଲ୍ଲାର ୯ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ‘ଉତ୍କର୍ଷ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ, ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟର ଦକ୍ଷତା ବୃଦ୍ଧି କରାଯିବ।
ଏବେ ଗଣଶିକ୍ଷା ବିଭାଗରେ ୬୪ ହଜାର ମାମଲା ପଡ଼ିରହିଛି। ସେଗୁଡ଼ିକୁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ପରିଚାଳନା କରିବାକୁ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗଣଶିକ୍ଷା ବିଭାଗର ସଂସ୍କାର ବୈଠକରେ ନିଷ୍ପତ୍ତିି ହୋଇଛି। ଏହି ବୈଠକରେ ଉନ୍ନୟନ କିମସନର୍‌ ଆର. ବାଲକ୍ରିଷ୍ଣନ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଅର୍ଥ ବିଭାଗ ସଚିବ ତୁହିନ୍‌କାନ୍ତ ପାଣ୍ଡେ, ଓପେପା ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦରସିଂ ପୁନିଆଙ୍କ ସମେତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର