ଭୁବନେଶ୍ବର-କଟକ-ପୁରୀରେ ଚାଲିବ ବିଦ୍ୟୁତ୍‌ ଗାଡ଼ି

ବିଧାନସଭାକୁ ସୌରଶକ୍ତିରେ ବିଜୁଳି ଯୋଗାଇବାକୁ ପ୍ରସ୍ତାବ

ଭୁବନେଶ୍ବର : ଭୁବନେଶ୍ବର-କଟକ-ପୁରୀରେ ବିଜୁଳି ଗାଡ଼ି ଚାଲିବ। ଏହି ତିନି ସହର ମଧ୍ୟରେ ବ୍ୟବସାୟିକ ଭିତ୍ତିରେ ଯାତ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ହଟାଯାଇ ବିଜୁଳି ଗାଡ଼ିଗୁଡ଼ିକୁ ଚଳାଚଳ କରାଯିବ। ୧୦୦ କିମି ଭିତରେ ଏହି ଗାଡ଼ିଗୁଡ଼ିକ ଚାଲିବ।

ଆଜି ବିଧାନସଭାର ପ୍ରଶ୍ନକାଳରେ ଅକ୍ଷୟ ଶକ୍ତି ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ଚାଲିଥିଲା ବେଳେ ଏହି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରୀଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏ ନେଇ ଏକ ସର୍ଭେ ସରି ଚିଠା ଏମ୍‌ଓୟୁ ବି ପ୍ରସ୍ତୁତ ହୋଇଛି। ଏହି ଚିଠା ଏମ୍‌ଓୟୁକୁ ସଂପୃକ୍ତ ବିଭିନ୍ନ ବିଭାଗକୁ ଦିଆଯାଇଛି। ସେଠାରୁ ମତାମତ ଆସିଲା ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ରାୟଗଡ଼ା ନିର୍ବାଚନମଣ୍ଡଳୀରେ ଗୋବର ଗ୍ୟାସ୍ ପ୍ଲାଣ୍ଟ ଓ ସୌର ଶକ୍ତି ମାଧ୍ୟମରେ ବିଜୁଳି ଯୋଗାଣ ନେଇ ବିଧାୟକ ମକରନ୍ଦ ମୁଦୁଲି ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଗତ ୩ ବର୍ଷ ଭିତରେ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ୩୧ ଜଣ ଗୋବର ଗ୍ୟାସ୍ ପ୍ଲାଣ୍ଟ ହିତାଧିକାରୀ ସରକାରୀ ପ୍ରୋତ୍ସାହନ ପାଇଛନ୍ତି। ଗୋବର ଗ୍ୟାସ୍ ପ୍ଲାଣ୍ଟ ହିତାଧିକାରୀଙ୍କ ସୁବିଧା ପାଇଁ ରିହାତିର ବ୍ୟବସ୍ଥା କରାଯାଇଛି। ସେହିପରି ରାୟଗଡ଼ା ଜିଲ୍ଲାରେ ବିଜୁଳି ଖର୍ଚ୍ଚ କମାଇବା ପାଇଁ ୧୧ଟି ଗ୍ରାମର ୧୪୪ଟି ପରିବାରକୁ ସୋଲାର୍ ହୋମ୍ ଲାଇଟିଂ ସିଷ୍ଟମ୍ ମାଧ୍ୟମରେ ବିଦ୍ୟୁତକରଣ କରାଯାଇଛି ଏବଂ ୨୯ଟି ସୌରଶକ୍ତି ପରିଚାଳିତ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଛି। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମୁଦୁଲି କହିଥିଲେ, ଗୋବର ଗ୍ୟାସ୍ ପ୍ଲାଣ୍ଟ ଏକ ଉପଯୋଗୀ ପ୍ରକଳ୍ପ ହୋଇଥିଲେ ବି ଚାଷୀମାନେ ଜାଣି ପାରୁ ନାହାନ୍ତି। ଏ ନେଇ ରାଜ୍ୟ ସରକାର ସଚେତନତା ସୃଷ୍ଟି କରନ୍ତୁ। ବରିଷ୍ଠ ସଭ୍ୟ ଅମର ଶତପଥୀ କହିଥିଲେ, ବର୍ତ୍ତମାନ ସୌର ଶକ୍ତିରୁ ବିଜୁଳି ଉତ୍ପାଦନକୁ ଗୁରୁତ୍ବ ଦିଆଯାଉଛି। ବିଧାନସଭାର କୋଠାକୁ ସୌର ଶକ୍ତି ଦ୍ବାରା ବିଜୁଳି ଯୋଗାଣର ବ୍ୟବସ୍ଥା କରାଯାଉଛି। ବିଧାନ ସୌଧ ଯଦି ଏକ ମଡେଲ୍‌ ହୋଇପାରିବ, ତେବେ ଅନ୍ୟମାନେ ନିଶ୍ଚିତ ତାହାକୁ ଅନୁକରଣ କରିବେ। ମନ୍ତ୍ରୀ କହିଥି‌େଲ, ସରକାରୀ କୋଠା ଶିକ୍ଷାନୁଷ୍ଠାନର ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ କରିବା ପାଇଁ ପଦକ୍ଷେପ ନିଆଯାଉଛି। ସେଥି ପାଇଁ ବଜେଟ୍‌ ବ୍ୟବସ୍ଥା ବି ହେଉଛି। ବିଧାନସୌଧରେ ସୌରଶକ୍ତି ପ୍ରକଳ୍ପ କରିବା ନେଇ ବିଧାୟକଙ୍କ ପରାମର୍ଶ ଉପାଦେୟ। ଆଗାମୀ ଦିନରେ ଏ ସମ୍ପର୍କରେ ଆଲୋଚନା କରାଯିବ।

ଶାସକ ଦଳ ସଭ୍ୟ ନୃସିଂହ ସାହୁ ବ୍ୟକ୍ତିଗତ ଭାବେ ଲୋକ କିପରି ସୌରଶକ୍ତି ବ୍ୟବହାର କରିବେ, ସେ ଦିଗରେ ବିଭାଗ ଗୁରୁତ୍ବ ଦେବାକୁ କହିଥିଲେ। ତାରା ପ୍ରସାଦ ବାହିନୀପତି ଜିଲ୍ଲା ସ୍ତରରେ ଓରେଡାରେ କର୍ମଚାରୀ ନ ଥିବାରୁ ସମସ୍ୟା ହେଉଛି ବୋଲି ଅଭିଯୋଗ କରିଥିଲେ। ଅରବିନ୍ଦ ଢାଲି ହିତାଧିକାରୀ ଚୟନ ନେଇ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର