ରୂପେଶଙ୍କ ରଙ୍ଗଶାଳା ଭାଙ୍ଗିବା ପ୍ରସଙ୍ଗ : ସ୍ପଷ୍ଟୀକରଣ ଲୋଡ଼ି ଅଡ଼ୁଆରେ ଜିଲ୍ଲାପାଳ

ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁର ମୂକସାକ୍ଷୀ ରୂପେଶଙ୍କ ରଙ୍ଗଶାଳାକୁ ଭାଙ୍ଗିବା ଏବଂ ଜବରଦଖଲ ଉଚ୍ଛେଦ ପାଇଁ ସ୍ପଷ୍ଟୀକରଣ ମାଗି ଅଡ଼ୁଆରେ ପଡ଼ିଛନ୍ତି ଯାଜପୁର ଜିଲ୍ଲାପାଳ। ଜବରଦଖଲ ଘଟଣାରେ ଏମିତି କୌଣସି ଜିଲ୍ଲାପାଳ ଅନୁମତି ମାଗନ୍ତି ନାହିଁ ବୋଲି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଗତ ୨୬ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କୁ ଏଭଳି ସ୍ପ‌ଷ୍ଟୀକରଣ ଚିଠିର ଉତ୍ତରରେ କଡ଼ା ଭାଷାରେ କହିଛନ୍ତି ଯେ ବିନା ଅନୁମତିରେ ଏଭଳି ବେଆଇନ ଜବରଦଖଲକୁ ବେଦଖଲ କରାଯିବା ଉଚିତ।

ଜଙ୍ଗଲ କିସମ ଏବଂ ସରକାରୀ ଜମିର ଛାତି ଉପରେ ଠିଆ ହୋଇଥିବା ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନ ଭାଙ୍ଗି ସେଠାରେ ଜରାନିବାସ, ସର୍ବସାଧାରଣ ପାଠାଗାର କିମ୍ବା ଅନାଶ୍ରମ କାର୍ଯ୍ୟକ୍ରମରେ ବିନିଯୋଗ କରିବା ପ୍ରସ୍ତାବ ଦେଇ ‌ଜିଲ୍ଲାପାଳ ରଂଜନକୁମାର ଦାସ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ସଚିବଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଯାହାକୁ ନେଇ ବିଭାଗୀୟ ଅଧିକାରୀ ଏଭଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାରୀ ଜମି ବେଆଇନ୍ ଭାବେ ଜବର ଦଖଲ କରି ସେଠାରେ ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରାଗଲା। ପ୍ରଶାସନ ସେତେବେଳେ ଅଟକାଇଲା ନାହିଁ। ସେଠାରେ ପୁଣି ଜଣେ ସରକାରୀ ମହିଳା ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ ହେଲା। ଯାହାକୁ ନେଇ ରାଜ୍ୟ ସରକାର ଏବଂ ପ୍ରଶାସନ କାଠଗଡ଼ା‌ରେ ଛିଡ଼ା ହୋଇଛି। ସେଭଳି ଏକ ବିବାଦୀୟ ଓ ଚର୍ଚ୍ଚିତ ବେଆଇନ୍ କୋଠା ଘରକୁ ନ ଭାଙ୍ଗି ବିଭିନ୍ନ କାର୍ଯ୍ୟକ୍ରମରେ ବିନିଯୋଗ କରିବା ପାଇଁ ଜିଲ୍ଲା ମୁଖ୍ୟ ହୋଇ ଜିଲ୍ଲାପାଳ ଶ୍ରୀ ଦାସ କିପରି ସ୍ପଷ୍ଟୀକରଣ ଲୋଡ଼ିଲେ, ସେ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି।

ସରକାରୀ ଜମିରେ ଗଢ଼ି ଉଠିଥିବା ଏହି ବିବାଦୀୟ ରଙ୍ଗଶାଳା ଭାଙ୍ଗିବା ଉପରେ ଜିଲ୍ଲାପାଳ ଶ୍ରୀ ଦାସ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଠାରୁ ଅନୁମତି ମାଗିବା ଘଟଣାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଅଭୟ କୁମାର ନାୟକ ଗତ ୨୬ତାରିଖରେ ଜିଲ୍ଲାପାଳଙ୍କୁ ସ୍ପଷ୍ଟ କରିଛନ୍ତି। ସରକାରୀ ଜମିକୁ ଜବର ଦଖଲ କରି ନିର୍ମାଣ କରାଯାଇଥିବା ପ୍ରାସାଦକୁ ଭାଙ୍ଗିବା କ୍ଷେତ୍ରରେ ଅନୁମତି ନେବାର ଆବଶ୍ୟକତା ନାହିଁ। ସରକାରୀ ନିୟମ ଅନୁଯାଇ ଉଚ୍ଛେଦ କରିବା ଦରକାର। ଏଠାରେ ଘଟିଥିବା ଅସ୍ବାଭାବିକ ମୃତ୍ୟୁ ପ୍ରସଙ୍ଗ ରାଜ୍ୟ ବିଧାନସଭାରେ ଝଡ଼ ସୃଷ୍ଟି କରିଥିବା ବେଳେ ବିଭିନ୍ନ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିଲା। ଏହାକୁ ନେଇ ଅପରାଧିକ ମାମଲା ଚାଲିଥିବା ବେଳେ ସେହି ଧାରାରେ ତଦନ୍ତ ମଧ୍ୟ ଜାରି ରହିଛି। ଏଭଳି ସ୍ଥିତିରେ ଜିଲ୍ଲାପାଳ ସ୍ପଷ୍ଟୀକରଣ ଲୋଡ଼ିଲା ବେଳେ ଏ ଦିଗ ପ୍ରତି ଆଖିବୁଜି ଦେଇଥିବାରୁ ବିଭାଗୀୟ ଅଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ କୋର୍ଟ କିମ୍ବା ତଦନ୍ତକାରୀ ସଂସ୍ଥାର ବିନା ଅନୁମତିରେ ଏହି ବେଆଇନ ରଙ୍ଗଶାଳାକୁ ଭାଙ୍ଗି ଦେବା ଅର୍ଥ ସାକ୍ଷ୍ୟପ୍ରମାଣ ନଷ୍ଟ କରିଦେବା ସହିତ ସମାନ ବୋଲି ବିଭାଗ ସ୍ପଷ୍ଟ କରିଛି। ଏଭଳି ସ୍ପର୍ଶକାତର ଘଟଣାରେ କୋର୍ଟ କିମ୍ବା ତଦନ୍ତକାରୀ ସଂସ୍ଥାଠାରୁ ଅନୁମତି ନେବା ସହିତ ୧୯୭୨ ଓପିଲଇ ଅ‌ାକ୍ଟ ଏବଂ ୧୯୮୫ ନିୟମ ଆଧାରରେ ଉପଯୁକ୍ତ ପଦକ୍ଷେପ ନେବା ଉଚିତ ବୋଲି ବିଭାଗୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର