ଯାଜପୁରରେ ଗାଁ ଆଲୁଅ କେଳେଙ୍କାରୀ : ମୁଖ୍ୟମନ୍ତ୍ରୀଙ୍କୁ ଭୁତାଇ ଦେଲା ଜିଲ୍ଲା ପ୍ରଶାସନ

ଯାଜପୁର: କେନ୍ଦ୍ରର ଚତୁର୍ଦ୍ଦଶ ଅର୍ଥ କମିସନ୍‌ ଓ ରାଜ୍ୟର ଚତୁର୍ଥ ଅର୍ଥ କମିସନ ଅନୁଦାନରୁ କୋଟି କୋଟି ଟଙ୍କା ଗାଁ ଆଲୁଅ ଯୋଜନାରେ ହଡ଼ପ କରାଯାଇଛି। ଏ ସଂପର୍କରେ ‘ସମ୍ବାଦ’ରେ ଲଗାତର ତଥ୍ୟଭିତ୍ତିକ ରିପୋର୍ଟ ପ୍ରକାଶ ପାଇବା ପରେ ଗାଁ ଆଲୁଅ କେଳେଙ୍କାରୀର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଆସିଥିଲା। ତେବେ ଜିଲ୍ଲା ପ୍ରଶାସନ ଏହାର ଜବାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଭୁତାଇ ଦେଇଛି। କିଛି ଅଭିଯୋଗକୁ ଗିଳି ଦେଇଛନ୍ତି ଓ ଆଉ କିଛି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେବାକୁ ଅଧିକାରୀମାନେ ଉଦ୍ୟମ କରିଛନ୍ତି। ଏ ସଂପର୍କରେ ବହୁ ତଥ୍ୟ ଏବେ ଆମ ଅନୁସଂଧାନ ଟିମ୍‌ ହାତରେ ଲାଗିଛି।

ପ୍ରକାଶ ଥାଉକି, ଗାଁ ଆଲୁଅ କେଳେଙ୍କାରୀ ସଂପର୍କିତ ଖବରକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ (ରେଜିଷ୍ଟ୍ରେସନ୍‌ ନମ୍ବର ସିଏମଓଏଫଏଫ/ପି/୨୦୧୮/୦୦୨୬୮ ତାରିଖ ୧୦/୧/୧୮ରେ) ଜିଲ୍ଲା ପ୍ରଶାସନକୁ କୈଫିୟତ ତଲବ ହୋଇଥିଲା। ଏହାକୁ ଭିତ୍ତି କରି ଜିଲ୍ଲାପାଳ ତଥା ଗାଁ ଆଲୁଅ ଟେଣ୍ଡର କମିଟିର ଅଧ୍ୟକ୍ଷଙ୍କ ପ୍ରତିନିଧି ତଥା ଡିଆରଡ଼ିଏର ପ୍ରକଳ୍ପ ନିର୍ଦେଶକ ବାଳଗୋପାଳ ଆଚାର୍ଯ୍ୟ ଗତ ଜାନୁଆରି ୨୫ତାରିଖରେ (ଚିଠି ନମ୍ବର ୪୫୦ରେ) ଉତ୍ତର ଦେଇଛନ୍ତି। ଶ୍ରୀ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଲେଖିଥିବା ଚିଠିର ୫ନମ୍ବର ପଏଣ୍ଟରେ ଦର୍ଶାଇଛନ୍ତି ଯେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍‌ର କୌଣସି ପଞ୍ଚାୟତରେ ବେଆଇନ୍‌ ଭାବେ ମନ ଇଛା ଖର୍ଚ୍ଚ କରାଯାଇନାହିଁ। କେବଳ ସେତିକି ନୁହେଁ, ଚିଠିରେ ୫୬ଲକ୍ଷ ଟଙ୍କା ଟେଣ୍ଡର କଥାକୁ ଅସ୍ୱୀକାର କରାଯାଇଛି। ଓଲଟା ସଫେଇ ଦେଇଛନ୍ତି, ଅନ୍ୟ ଜିଲ୍ଲାରେ ଠିକାଦାର କେତେ ଟଙ୍କା କୋଟେସନ ଦେଇଛନ୍ତି ତାହା ଜାଣିବା ଆମ ପକ୍ଷରେ ସଂଭବପର ନୁହେଁ।

ଏଠାରେ ଉଲ୍ଲେଖଥାଉକି, ଯେଉଁ ଅଧିକାରୀ ଏହି ତଥ୍ୟ ଦେଇଛନ୍ତି, ତାଙ୍କୁ ନେଇ ଏହି କେଳେଙ୍କାରୀରେ ଅନେକ ପ୍ରଶ୍ନ ଉଠିଛି। ଏପରିକି ଶାସକ ଦଳର ନେତାମାନେ ମଧ୍ୟ ସରକାରଙ୍କ ଆଲୁଅ କିଣା ନିୟମକୁ ଗ୍ରହଣ କରିପାରିନାହାନ୍ତି। ନିଜେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ ଟେଣ୍ଡର ନମ୍ବର ୨୪୩୨ ତା ୧୭/୧୨/୧୬ରିଖରେ ପ୍ରକାଶ କରିଥିବା ଟେଣ୍ଡର କଲ୍‌ ନୋଟିସ୍‌ରେ ବ୍ୟୟ ଅଟକଳ ୫୬ଲକ୍ଷ ବୋଲି ଦର୍ଶାଇଥିଲେ। ଏହି ଟେଣ୍ଡରକୁ ସଂପୃକ୍ତ କମିଟି ୧୫/୩/୧୭ରେ ଏଲ୍‌-୧ ବିଡ଼ର ଭାବେ ବିରଜା ଇଲେକ୍ଟ୍ରିକାଲ୍‌ ଆଣ୍ଡ କନଷ୍ଟ୍ରକସନ୍‌କୁ ସର୍ବନିମ୍ନ ମୂଲ୍ୟଧାରୀ ଠିକା କମ୍ପାନି ଭାବେ ଅନୁମୋଦନ ପ୍ରଦାନ କରିଥିଲେ। ଏହି ଟେଣ୍ଡର୍‌ରେ ୪ଟି ଠିକା ସଂସ୍ଥା ଟେଣ୍ଡର୍‌ ପେପର୍‌ ପକାଇଥିଲେ। ସେ ମଧ୍ୟରୁ ୨ଟି ଠିକା ସଂସ୍ଥା ନମଃ ଶିବାୟ ଓ ମନୋରମା ଇଲେକ୍ଟ୍ରିକାଲର ଟେକ୍ନିକାଲ ବିଡ୍‌କୁ ନାକଚ କରାଯାଇଥିଲା। ଟେକ୍ନିକାଲ ବିଡ୍‌ରେ ନାକଚ ହେଉଥିବା ସଂସ୍ଥାର ପ୍ରାଇସ ବିଡ୍‌ ଖୋଲିବାର ନିୟମ ନାହିଁ। ମାତ୍ର ବିରଜା ଠିକା ସଂସ୍ଥାକୁ ଅଧିକ ଦାମ୍‌ରେ କାମ ଦେବା ପାଇଁ ବେଆଇନ୍‌ ଭାବେ କମ୍‌ ମୂଲ୍ୟଧାରୀ ଠିକା ସଂସ୍ଥା ନମଃ ଶିବାୟ ଓ ମନୋରମାର ପ୍ରାଇସ୍‌ ବିଡ୍‌ ଖୋଲାଯାଇଥିଲା। ଯାହାକି ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଯାଇଛି। ମାତ୍ର ୫୬ଲକ୍ଷ ଟଙ୍କାର ଟେଣ୍ଡର୍‌ କରାଯାଇଥିବା ବେଳେ ଜିଲ୍ଲାର ୧୦ବ୍ଲକ୍‌ରେ ଗାଁ ଆଲୁଅ ଯୋଜନାରେ ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଏଥିରୁ ଟେଣ୍ଡର ଫିକ୍ସି କାରବାର ଜଳଜଳ ଦେଖାଯାଉଛି, ଏକଥା ଜିଲ୍ଲା ପ୍ରଶାସନ ଜାଣିପାରିଲାନି ନା ପ୍ରଶାସନ ସହିତ ସଲାସୁତୁରାରେ ହୋଇଛି। କାହିଁକି ସରକାରଙ୍କୁ ଏ ତଥ୍ୟ ଲୁଚାଗଲା?

କୌତୂହଳର କଥା ହେଲା, ଚିଠି ନମ୍ବର ୨୮୦୦ ତା ୧୨/୭/୧୭ରେ ଶ୍ରୀ ଆଚାର୍ଯ୍ୟ ସମସ୍ତ ବିଡ଼ିଓ ଓ ସରପଞ୍ଚମାନଙ୍କୁ ନିଜେ କଡ଼ା ନିର୍ଦେଶ ଦେଇ ବିରଜା ଠିକା ସଂସ୍ଥା ଦ୍ୱାରା ଲାଇଟ୍‌ ଲଗାଇବା ସହିତ ତୁରନ୍ତ ଅର୍ଥ ପୈଠ କରିବାକୁ ଦର୍ଶାଇଥିଲେ। ଯାହାକୁ ନେଇ ବଡ଼ଚଣା ବିଧାୟକ ଅମର ଶତପଥୀ ଓ ଜିଲ୍ଲାର ବହୁ ସରପଞ୍ଚ ପ୍ରଶ୍ନ ଉଠାଇଥିଲେ। ଏପରିକି କେତେକ ବ୍ଲକ୍‌ରେ ନେତାମାନଙ୍କ ସହଯୋଗରେ ସରପଞ୍ଚମାନେ ଅନ୍ୟ ଠିକା ସଂସ୍ଥା ଠାରୁ ମଧ୍ୟ ଗାଁ ଆଲୁଅ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ତଥ୍ୟକୁ ମଧ୍ୟ ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ ଗୋପନ ରଖିବାକୁ ଚେଷ୍ଟା କରିଛି। ଯଦି ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍‌ର କୌଣସି ପଞ୍ଚାୟତରେ ବେଆଇନ୍‌ ଭାବେ ମନ ଇଛା ଖର୍ଚ୍ଚ କରାଯାଇନାହିଁ, ତେବେ ତେବେ କେଉଁ କାରଣରୁ ବଡ଼ଚଣା ବ୍ଲକ୍‌ର ମାଣ୍ଡୁକା ସରପଞ୍ଚ ସସ୍ମିତା ଦାସଙ୍କୁ ଜିଲ୍ଲାପାଳଙ୍କ ରିପୋର୍ଟ ଉପରେ ପଞ୍ଚାୟତିରାଜ ବିଭାଗ ବରଖାସ୍ତ କରିଛନ୍ତି, ସେ ନେଇ ଜିଲ୍ଲାପାଳ ଏବେ ସରକାରଙ୍କୁ ତଥ୍ୟ ଦେବା ଉଚିତ୍‌ ବୋଲି ମତପ୍ରକାଶ ପାଇଛି।

ସ୍ମରଣ ଯୋଗ୍ୟ, ମାଣ୍ଡୁକା ପଞ୍ଚାୟତରେ ଗାଁ ଆଲୁଅ ଯୋଜନାରେ ସରପଞ୍ଚ ମନ ଇଚ୍ଛା ୧୯ଲକ୍ଷ ୯୯ହଜାର ୬୪୫ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣପତି ସାହୁଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ପିଇଓ ଶ୍ରୀ ସାହୁ ଗାଁ ଲାଇଟ୍‌ କେଳେଙ୍କାରୀ ଛନ୍ଦି ହୋଇ ମାନସିକ ଭାରସାମ୍ୟ ହରାଇ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ଏହା ସତ୍ୱେ ଶ୍ରୀ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଛନ୍ତି ଯେ ଲାଇଟ୍‌ କେଳେଙ୍କାରୀ ନେଇ କୌଣସି ଅଭିଯୋଗ ହୋଇନାହିଁ। ଅଥଚ ଶାସକ ଦଳର ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ଶତପଥୀ ୨୦୧୭ମସିହା ନଭେମ୍ବର ୭ତାରିଖରେ କୋଲଣଗିରି ପଞ୍ଚାୟତରେ ବେଆଇନ୍‌ ଗାଁ ଲାଇଟ୍‌ କାରବାର ସଂପର୍କରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଆଉ କାହା ଠାରୁ ଅଭିଯୋଗ ମିଳିଥିଲେ ଜିଲ୍ଲା ପ୍ରଶାସନ ଅବଗତ ହୋଇଥାନ୍ତେ? ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କାହା ଚାପରେ ବକେୟା ଅର୍ଥ ପୈଠ ପାଇଁ ବିଡ଼ିଓମାନଙ୍କ ଉପରେ ଚାପ ସୃଷ୍ଟି କରାଗଲା? ଏସବୁ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ବିଭ୍ରାନ୍ତିକର ଉତ୍ତର ଦେଇ ଜିଲ୍ଲା ପ୍ରଶାସନ ପରୋକ୍ଷରେ ଦୁର୍ନୀତି ସହିତ ନିଜକୁ ଯୋଡିଦେଇଛି। ମୁଖ୍ୟମନ୍ତ୍ରୀ ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ଗାଁ ଆଲୁଅ ଯୋଜନାରେ କୋଟି କୋଟି ଟଙ୍କାର ଘୋଟାଲାର ପର୍ଦ୍ଦାଫାସ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର