ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ନାଁରେ ହରିଲୁଟ୍‌ : ନିର୍ମାଣର ୬ ମାସ ନ ପୂରୁଣୁ ଟାଙ୍କି ଫାଟି ଅଚଳ, ପାନୀୟ ଜଳ ପାଇଁ ଲୋକେ ହୀନସ୍ତା

ଦଶପଲ୍ଲା : ଉପାନ୍ତ ଅଞ୍ଚଳରେ ରହୁଥିବା ଗାଁ ଲୋକଙ୍କୁ ଜଳ ଯୋଗାଣ ସମ୍ଭବପର ହୋଇ ପାରୁ ନାହିଁ। ଫଳରେ ଗାଁରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ସରକାର ସେମାନଙ୍କୁ ସୁବିଧାରେ ପିଇବା ପାଣି ଯୋଗାଇ ଦେବା ପାଇଁ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ନିର୍ମାଣର ୬ ମାସ ନ ପୁରୁଣୁ ଟାଙ୍କି ଫାଟି ଅଚଳ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଚଢ଼େୟାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଓସାମସ୍କା ଗ୍ରାମରେ। ଏ ନେଇ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କୁ ପଚରାଯିବାରୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପ୍ରତି ପଞ୍ଚାୟତର ବିକାଶ ପାଇଁ କେନ୍ଦ୍ରୀୟ ଅର୍ଥ ଆୟୋଗ (ସିଏଫ୍‌ସି) ଓ ରାଜ୍ୟ ଅର୍ଥ ଆୟୋଗ (ଏସ୍‌ଏଫ୍‌ସି) ପକ୍ଷରୁ ବର୍ଷକୁ ପ୍ରାୟ ୩୦ ଲକ୍ଷ ଟଙ୍କାର ଅନୁଦାନ ଆସିଥାଏ। ବିଶେଷ କରି ଉପାନ୍ତ ଗ୍ରାମ କିମ୍ବା ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ସମସ୍ୟା ରହିଥିଲେ, ଏହି ଅର୍ଥରେ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାର ନିୟମ ରହିଛି। ଏହି ପ୍ରକଳ୍ପ ପାଇଁ ୩ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ସୋଲାର୍‌ ଓ ପାଇପ୍ ଲାଇନ୍ ନିର୍ମାଣ ଓ ଅବଶିଷ୍ଟ ୬୦ ହଜାର ଟଙ୍କା ବ୍ୟୟରେ ଏକ ନୂତନ ନଳକୂପ ସହ ମୋଟ ୪ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ରହିଛି। ପ୍ରକଳ୍ପ ନିର୍ମାଣ ପୂର୍ବରୁ ପଞ୍ଚାୟତରେ ଆକ୍ସନ୍‌ ପ୍ଲାନ ପ୍ରସ୍ତୁତ ହେବା ପରେ ବିଡିଓଙ୍କଠାରୁ ଅନୁମୋଦନ ଆସିଥାଏ। ଏହା ପରେ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବା ପାଇଁ ପଞ୍ଚାୟତକୁ ଓରେଡା କାର୍ଯ୍ୟାଦେଶ ପ୍ରଦାନ କରିଥାଏ।

କିନ୍ତୁ ଏହି ଗାଁରେ ପ୍ରକଳ୍ପ ନିର୍ମାଣ ସମୟରେ କୌଣସି ନଳକୂପ ଖୋଳା ଯାଇ ନଥିବା ବେଳେ ପୁରୁଣା ନଳକୂପ ସହ ସଂଯୋଗ କରାଯାଇ ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। କୌଣସି ସୂଚନା ଫଳକ ନିର୍ମାଣ କରା ନ ଯାଇ ଅତ୍ୟନ୍ତ ନିମ୍ନମାନର ପାଣିଟାଙ୍କି ବସାଯିବା ସହ ନିମ୍ନମାନର ସରଞ୍ଜାମ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଟ୍ୟାପ୍‌ ସଂଯୋଗକୁ ଠିକାଦାର ଅଧପନ୍ତରିଆ ଅବସ୍ଥାରେ ପକାଇ ଚାଲି ଯାଇଥିବା ଗ୍ରାମବାସୀ କହିଛନ୍ତି। ତେବେ ନିର୍ମାଣର ୬ ମାସ ନ ଯାଉଣୁ ପାଣି ଟାଙ୍କି ଫାଟି ଯିବା ସହ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ତେଣୁ ଗ୍ରାମବାସୀ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏଭଳି ଅନିୟମିତତା ନଛିପୁର ପଞ୍ଚାୟତରେ ହୋଇଥିବା ନେଇ ବିଡିଓ ଶ୍ରୀ ମହାନ୍ତି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ବେଳେ କୁଜାମେଣ୍ଢି ପଞ୍ଚାୟତରେ ସମାନ ଅବସ୍ଥା ଘଟିଥିବା ପ୍ରକାଶ କରିଛନ୍ତି। ତେବେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର