ଆରଆଇଡିଏଫ୍‌ ବିନିଯୋଗରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର : ନାବାର୍ଡ ଅନ୍ତର୍ଗତ ଗ୍ରାମାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି(ଆରଆଇଡିଏଫ୍‌)ରୁ ଓଡ଼ିଶା ସର୍ବାଧିକ ଅର୍ଥ ବିନିଯୋଗ କରିଛି। ଏହି ବିନିଯୋଗ ହାରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଗୁଜୁରାଟ୍‌ ଏବଂ ୩ୟ ସ୍ଥାନରେ ରହିଛି ରାଜସ୍ଥାନ।

ଆଜି ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟି ବୈଠକରେ ନାବାର୍ଡ ମୁଖ୍ୟ ସାଧାରଣ ପରିଚାଳକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଉପରୋକ୍ତ ସୂଚନା ଦେଇଥିଲେ। ଏହି ସୂଚନା ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ଆରଆଇଡିଏଫ୍‌ରୁ ସର୍ବାଧିକ ୨୫୧୨.୩୬ କୋଟି ଟଙ୍କା ଓଡ଼ିଶା ବିନିଯୋଗ କରିଛି। ଗୁଜୁରାଟ୍‌ ୨୦୬୧.୯୧ କୋଟି ବିନିଯୋଗ କରି ୨ୟ ଏବଂ ୧୮୫୧.୩୯ କୋଟି ଟଙ୍କା ବିନିଯୋଗ କରି ରାଜସ୍ଥାନ ୩ୟ ସ୍ଥାନରେ ରହିଛି। ବୈଠକରେ ଅଧ୍ୟକ୍ଷତା କରି ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ ଏହି ପାଣ୍ଠି ବିନିଯୋଗ କରିଥିବା ବିଭିନ୍ନ ବିଭାଗର କାର୍ଯ୍ୟକଳାପ ସଂପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାପଡ଼ିଛି, ଗତ ଆର୍ଥିକ ବର୍ଷରେ ୨୩୫୧ଟି ପ୍ରକଳ୍ପ ମଞ୍ଜୁର ହୋଇଥିଲା। ଏ ସମସ୍ତ ପ୍ରକଳ୍ପରେ ଗତବର୍ଷ ବିଭିନ୍ନ ବିଭାଗ ରାଜ୍ୟ ପାଣ୍ଠିରୁ ୩୮୭୨ କୋଟି ଟଙ୍କା ବିନିଯୋଗ କରିଥିଲେ। ସେହି ବିଭାଗଗୁଡ଼ିକ ଅତିରିକ୍ତ ଅର୍ଥ ଭରଣା ପାଇଁ ନାବାର୍ଡକୁ ନିଜ ନିଜର ଚାହିଦା ପଠାଇଥିଲେ। ସୂଚନାଯୋଗ୍ୟ, ଆରଆଇଡିଏଫ୍‌ ବିଭିନ୍ନ ବ୍ୟାଙ୍କଗୁଡ଼ିକ ସହିତ ନାବାର୍ଡ ଦ୍ୱାରା ପରିଚାଳିତ ଏକ କର୍ପସ ପାଣ୍ଠି। ଏହି ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ନାବାର୍ଡ ଏବଂ ରାଜ୍ୟ ସରକାର ୮୫:୧୫ ଭିତ୍ତିରେ ଅର୍ଥ ଦିଆଯାଇଥାଏ। ସରକାରଙ୍କ ବିଭିନ୍ନ ବିଭାଗଗୁଡ଼ିକ ପ୍ରକଳ୍ପ ବାବଦରେ ବିନିଯୋଗ କରିବା ପରେ ନାବାର୍ଡର ଆରଆଇଡିଏଫ୍‌ ଅଂଶ କର୍ପସରୁ ଅର୍ଥ ଉଠାଇବାର ବ୍ୟବସ୍ଥା ରହିଛି।

ଗତ ଆର୍ଥିକ ବର୍ଷରେ ଆରଆଇଡିଏଫ୍‌ରୁ ରାଜ୍ୟରେ ୨୩୫୧ଟି ପ୍ରକଳ୍ପ ମୁଖ୍ୟତଃ କୃଷି, ପଞ୍ଚାୟତିରାଜ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗଗୁଡ଼ିକ କାର୍ଯ୍ୟକାରୀ କରୁଛନ୍ତି। ସେଥିମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ଆଜିର ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ୧୪୩୪୬ଟି ନୂଆ ପ୍ରକଳ୍ପ ମଞ୍ଜୁରି ନିମନ୍ତେ ସୁପାରିସ କରାଯାଇଥିଲା। ଏ ସମସ୍ତ ପ୍ରକଳ୍ପ ନିମନ୍ତେ ପ୍ରାୟ ୧୦୩୨୮ କୋଟିର ପ୍ରାଥମିକ ବ୍ୟୟ ଅଟକଳ କରାଯାଇଛି। ବୈଠକରେ ଜଳ ସଂପଦ, ସାଧାରଣ ପ୍ରଶାସନ, କୃଷି, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗ ସଚିବ, ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ, ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ, ନାବାର୍ଡ ଡେପୁଟି ସିଜିଏମ୍‌ ନାରାୟଣ ଚନ୍ଦ୍ର ପାଣିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର