କୋଟିକୋଟି ଟଙ୍କାର ଟେଣ୍ଡର ଫିକ୍ସିଂ

ଗ୍ରାମାଞ୍ଚଳ ଆଲୋକୀକରଣ

ଯାଜପୁର : ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଣରେ କୋଟି କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ହୋଇଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଓ ଦସ୍ତାବିଜ୍‌ ଏବେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍‌ ହାତରେ ପଡ଼ିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି ଘଟଣା ଘଟୁଥିବା ବେଳେ ଦୁର୍ନୀତିର ପ୍ରୟୋଗଶାଳା ପାଲିଟିଥିବା ଯାଜପୁର ଜିଲ୍ଲାରେ ମାତ୍ରାଧିକ ବୋଲି ଚର୍ଚ୍ଚାକୁ ଆସିଛି।

୨୦୧୫ ନଭେମ୍ବରରେ ସରକାର ଏହି ଲାଇଟ୍‌ ବ୍ୟବସ୍ଥା ପାଇଁ ପ୍ରତି ୟୁନିଟ୍‌(ଲାଇଟ୍‌) ବାବଦରେ ସର୍ବାଧିକ ୩୬ ହଜାର ୫୪୧ ଟଙ୍କା ଖର୍ଚ୍ଚ ହୋଇପାରିବ ବୋଲି ଧାର୍ଯ୍ୟ କରିଛନ୍ତି। ଦୁଇ ବର୍ଷ ପୂରଣ ନହେଉଣୁ ଜିଲ୍ଲା ପ୍ରଶାସନ ୨୦୧୭ ମାର୍ଚ୍ଚରେ ଏହି ଲାଇଟ୍‌ ମୂଲ୍ୟକୁ ୫୪ ହଜାର ୫୦୪ଟଙ୍କାରେ ଟେଣ୍ଡର୍‌ କରିଛନ୍ତି। ଲାଇଟ୍‌କୁ ସେସୁ ନବକଳେବର ସମୟରେ ଟେଣ୍ଡର୍‌ ପ୍ରକ୍ରିୟାରେ ପୁରୀରେ ମାତ୍ର ୧୪ ହଜାର ଟଙ୍କାରେ କିଣିଛନ୍ତି। ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଓ ପୁରୀ ଲାଇଟ୍‌ ହିସାବକୁ ନେଲେ ଯାଜପୁରରେ ଏଲଇଡିି ଷ୍ଟ୍ରିଟ୍‌ ଲାଇଟ୍‌ ଯୋଜନାରେ ସରକାର ଅନୁଦାନ ଲୁଟ ହିଁ ଲୁଟ୍‌ ଚାଲିଛି। ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ପ୍ରାୟ ୧୮ହଜାର ଟଙ୍କା ମୁନାଫା କରାଯାଇଛି।

ଜିଲ୍ଲା ପ୍ରଶାସନ କେଉଁ ନୀତି ନିୟମକୁ ଆଧାର କରି ପ୍ରତି ୟୁନିଟ୍‌ରେ ଅଧିକ ୧୮ହଜାର ଟଙ୍କା ଠିକା କମ୍ପାନିକୁ ମୁନାଫା କରିବାରେ ସହଯୋଗ କଲେ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ଠିକା ସଂସ୍ଥା ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍ସନ୍‌କୁ ଯାଜପୁର ଜିଲ୍ଲା ପ୍ରଶାସନ ଲାଇଟ୍‌ ଲଗାଇବା ପାଇଁ ପ୍ରତି ୟୁନିଟ୍‌କୁ ୫୪ ହଜାର ୫୦୪ ଟଙ୍କା ମଞ୍ଜୁର ଦେଇଛନ୍ତି, ସେହି ଠିକା ସଂସ୍ଥା ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନି ପଡୋଶୀ ଭଦ୍ରକ ଜିଲ୍ଲାରେ ଯାଜପୁର ଜିଲ୍ଲା ଭଳି ଏକ ପ୍ରକାର ସାମଗ୍ରୀ ଓ କାମ କରିବା ବାବଦକୁ ୩୬ ହଜାର ୭୧୪ ଟଙ୍କାରେ ଟେଣ୍ଡର୍‌ ନେଇଛନ୍ତି। ଗୋଟିଏ ସଂସ୍ଥା ସମାନ କାମ ପାଇଁ ପ୍ରତି ଲାଇଟ୍‌ରେ ପ୍ରାୟ ୧୮ ହଜାର ଟଙ୍କା ପାର୍ଥକ୍ୟ ରହୁଛି। ଏ ସଂପର୍କିତ ତଥ୍ୟ ପର୍ଦ୍ଦାଫାସ ହେବା ପରେ ସଂପୃକ୍ତ ଅଧିକାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଘଟଣାର ଅନୁସନ୍ଧାନ ବେଳେ ଟେଣ୍ଡର୍‌ ଫିକ୍ସିଂର ଆଉ ଏକ ତଥ୍ୟ ହସ୍ତଗତ ହୋଇଛି। ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍‌ସନ୍‌କୁ ଠିକା ଦେବା ପାଇଁ ଯୋଜନାବଦ୍ଧ ଉଦ୍ୟମ ହୋଇଛି।

ଗତ ୨୦୧୬ମସିହା ଡିିସେମ୍ବର ମାସରେ ୫୬ଲକ୍ଷ ଟଙ୍କାର ଟେଣ୍ଡର୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୪ଟି ଠିକା ସଂସ୍ଥା ଟେଣ୍ଡର ପକାଇଥିଲେ। ସେମାନେ ହେଲେ ନମଃ ଶିବାୟ ଏଣ୍ଟର୍‌ପ୍ରାଇଜେସ୍‌, ମନୋରମା ଇଲେକ୍ଟ୍ରିକାଲ୍‌ସ୍‌, ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍ସନ୍‌ ଓ ବାସନ୍ତୀ ଇଲେକ୍ଟ୍ରିକାଲ୍‌ କଷ୍ଟ୍ରକ୍‌ସନ୍‌ା ମାତ୍ର ଉଦ୍ଦେଶ୍ୟମୂଳକ ଭାବେ ନମଃ ଶିବାୟ ଓ ମନୋରମା ସଂସ୍ଥାକୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କର ଟେକ୍ନିକାଲ ବିଡ୍‌କୁ ନାକଚ କରାଯାଇଥିଲା। ଟେକ୍ନିକାଲ ବିଡ୍‌ରେ ନାକଚ ହେଉଥିବା ସଂସ୍ଥାର ପ୍ରାଇସ୍‌ ବିଡ୍‌ ଖୋଲିବାର ନିୟମ ନାହିଁ। ମାତ୍ର ବିରଜା ଠିକା ସଂସ୍ଥାକୁ କାମ ଦେବା ପାଇଁ ବେଆଇନ୍‌ ଭାବେ ମନୋରମା ଓ ନମଃ ଶିବାୟ ଠିକାସଂସ୍ଥାର ପ୍ରାଇସ୍‌ ବିଡ୍‌କୁ ପୂର୍ବରୁ ଖୋଲାଯାଇଛି ବୋଲି ଅଭିଯୋଗ ହୋଇଛି। ନମଃ ଶିବାୟ କମ୍ପାନି ପ୍ରତି ଲାଇଟ୍‌ ବାବଦରେ ୨୩ ହଜାର ୩୪ ଟଙ୍କା ଟେଣ୍ଡର୍‌ ପେପରରେ ଦାବି କରିଥିବା ବେଳେ ମନୋରମା ପକ୍ଷରୁ ୩୩ ହଜାର ୯୫୦ ଟଙ୍କା ପାଇସ୍‌ ବିଡ୍‌ରେ ଦର୍ଶାଇଥିଲେ। ସରକାରୀ ମୂଲ୍ୟ ଠାରୁ କମ୍‌ ଦର୍ଶାଇଥିବା ଠିକା ସଂସ୍ଥାକୁ ନାକଚ କରି ମାତ୍ରାଧିକ ଟଙ୍କା ଦର୍ଶାଇଥିବା ଠିକା ସଂସ୍ଥା ବିରଜା ଓ ବାସନ୍ତୀକୁ ଟେଣ୍ଡର ଦାୟିତ୍ଵରେ ଥିବା ଅଧିକାରୀ ମନୋନୀତ କରିଛନ୍ତି। ଯାହାର ଫାଇଦା ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍ସନ୍‌ ହାତେଇ ନେଇଛି। ଏହି ଘଟଣାରେ ଟେଣ୍ଡର୍‌ ଫିକ୍ସିଂ ଜଳ ଜଳ ଦେଖା ଯାଉଛି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ଆହୁରି ବଡ଼ ଧରଣର ଘୋଟାଲା ପଦାକୁ ଆସିବ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର