ଷ୍ଟ୍ରିଟଲାଇଟ୍ ‌ମହାଦୁର୍ନୀତି ଷଡ଼ଯନ୍ତ୍ର : ଭୂତ ଲଗାଇଛି ଗାଁ ଗାଁରେ ଲାଇଟ୍, ଅଧିକାରୀ ଅନ୍ଧାରରେ?

ଯାଜପୁର : ଷ୍ଟ୍ରିଟ ଲାଇଟ୍ ମହାଦୁର୍ନୀତି ଯାଜପୁରରେ ବହୁ ପୁରୁଣା। ଗାଁ ଗାଁ ରେ ନିମ୍ନମାନର ଷ୍ଟ୍ରିଟ୍ ଲାଇଟ ଲଗାଇ ଠିକାଦାର, ପଞ୍ଚାୟତ ଲୋକପ୍ରତିନିଧି ଓ ଅଧିକାରୀଙ୍କର ଅସାଧୁମେଣ୍ଟ କୋଟି କୋଟି ଟଙ୍କା ହରିଲୁଟ୍ କରିଚାଲିଛନ୍ତି। ଏବେ ଅଭିନବ ଉପାୟରେ ଷ୍ଟ୍ରିଟ୍ ଲାଇଟ ଦୁର୍ନୀତି କାରବାର ଆରମ୍ଭ ହୋଇଛି। ଲାଇଟ୍ ଲଗାଇବା ପାଇଁ ଫାଇଲ ଖୋଲା ହେବା ପୂର୍ବରୁ ଗାଁ ଗାଁରେ ଲାଇଟ୍ ଲାଗିଯାଇଛି। ‌କିଏ ଓ କେଉଁ ନିର୍ଦେଶ ବଳରେ ଲାଇଟ୍ ଲଗାଉଛି? ତାହାର ତଥ୍ୟ କାହାରି ନିକଟରେ ନାହିଁ। ୨ ମାସ ହେଲାଣି ଷ୍ଟ୍ରିଟଲାଇଟ ଲାଇଟ ଗୁଡିକ ଇଲେକ୍ଟ୍ରି ଖୁଣ୍ଟରେ ଲାଗିଛି। ପ୍ରଶାସନ କହୁଛି ଷ୍ଟ୍ରିଟଲାଇଟ ଲଗାଯାଇ ଥିବାର ଖବର ନାହିଁ। ଏ ସଂପର୍କରେ ବି ପ୍ରଶାସନିକ ଅନୁମୋଦନ ଦିଆଯାଇ ନାହିଁ। ଏହି ଷ୍ଟ୍ରିଟଲାଇଟ ଲାଇଟ୍ ଗୁଡିକ କଣ ଭୂତ ଲଗାଇଲା କି? ବଡଚଣା ବ୍ଲକ୍ ବାଲିପଡିଆ ଗ୍ରାମ ପଞ୍ଚାୟତ ଏଭଳି ଦୁର୍ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ତଥ୍ୟ ଅନୁଯାୟୀ ଅକ୍ଟୋବର ମାସର ୪ ତାରିଖରେ ବାଲିପଡିଆ ଗ୍ରାମ ପଞ୍ଚାୟତର ଇଲେକ୍ଟ୍ରିଖୁଣ୍ଟ ଗୁଡିକରେ ଷ୍ଟ୍ରିଟଲାଇଟ୍ ଲାଗିଲା। ଷ୍ଟ୍ରିଟଲାଇଟ୍ ଗୁଡିକ କିଏ ଲଗାଇଲା? କେମିତି ଲାଗିଲା ଏ ସମ୍ପର୍କରେ ସୂଚନା ଅଧିକାର ଆଇନରେ ଅ‌େକ୍ଟାବର ୧୯ତାରିଖରେ ବ୍ଲକ୍ ପ୍ରଶାସନକୁ ତଥ୍ୟ ମାଗିଯାଇଥିଲା। ଅକ୍ଟୋବର ୩୦ ତାରିଖରେ ବାଲିପଡିଆ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜୀବ ମଳିକ ଲିଖିତ ଭାବେ ତଥ୍ୟ ଦେଲେ ଯେ ପଞ୍ଚାୟତରେ ଷ୍ଟ୍ରିଟଲାଇଟ୍ ଲଗାଯାଇଥିବାର ସୂଚନା ତାଙ୍କ ପାଖରେ ନାହିଁ।

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏଭଳି ଲିଖିତ ତଥ୍ୟକୁ ନେଇ ପଞ୍ଚାୟତବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ ହୋଇଛନ୍ତି। ପଞ୍ଚାୟତରେ ଷ୍ଟ୍ରିଟଲାଇଟ ଲଗାଇବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରି ନାହିଁ। ଅଥଚ କିଏ ଏତେ ଗୁଡିକ ଷ୍ଟ୍ରିଟଲାଇଟ କେଉଁ ସ୍ବାର୍ଥରେ ଲଗାଇଲା? ଇଲେକ୍ଟ୍ରିଖୁଣ୍ଟ ରେ ଷ୍ଟ୍ରିଟଲାଇଟ ଲଗାଇବା ପାଇଁ ଇଲେକ୍ଟ୍ରି ବିଭାଗ ଠାରୁ ଅନୁମତି ନଆଣି କେମିତି ଲଗାଯାଇଛି? ଇଲେକ୍ଟ୍ରି ବିଲ୍ ଦେଉଛି କିଏ? ସ୍ଥାନୀୟ ଇଲେକ୍ଟ୍ରି ବିଭାଗ ଏ ସଂପର୍କରେ ଅବଗତ ଥାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ କାହିଁକି? ଏଭଳି ବିଭିନ୍ନ ପ୍ରକାରର ପ୍ରଶ୍ନ ଘଟଣାଟିକୁ ସନ୍ଦେହ ଘେର ଭିତରକୁ ଟାଣି ନେଉଛି। ଅଭିନବ ଉପାୟରେ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ପୁଣି ଗାଁ ଆଲୁଆ କେଳେଙ୍କ‌ାରୀ ଆରମ୍ଭ ହୋଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ।

ସମ୍ବନ୍ଧିତ ଖବର