ଉତ୍କର୍ଷ ଅଭିମୁଖେ ଉତ୍କଳ ବିଶ୍ବବିଦ୍ୟାଳୟ : ରୁସା-୨ରୁ ୪୦ କୋଟି ମଞ୍ଜୁର

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଗ୍ରେଡ୍‌-୧ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକା‌ଶ ପାଇଁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ରୁ ୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ନାକ୍‌ ଏ+ ‌େଗ୍ରଡ୍‌ ହାସଲ କରିଥିବାରୁ ରୁସା-୨ର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ‌େର ସ୍ଥାନ ପାଇଥିବା ଉତ୍କଳ ଆସନ୍ତା ୩ ବର୍ଷ ମଧ୍ୟରେ ଶହେ କୋଟି ଟଙ୍କା ପାଇବା ପାଇଁ ଯୋଗ୍ୟତା ହାସଲ କରିଛି। ସେହି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ରୁସା-୨ରେ ୪୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି।

ପ୍ରଫେସର ଦାସ କହିଛନ୍ତି ଯେ ‌ଦେଶର ୧୦ଟି ରାଜ୍ୟ ବିଶ୍ବବିଦ୍ୟାଳୟକୁ ଉତ୍କର୍ଷ ଶିକ୍ଷାନୁଷ୍ଠାନ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ଆସନ୍ତା ୩ ବର୍ଷରେ ରୁସା-୨ରୁ ପ୍ରତି ବିଶ୍ବବିଦ୍ୟାଳୟକୁ ଶହେ କୋଟି ଟଙ୍କା ପ୍ରଦାନ କରାଯିବ। ଗ୍ରେଡ୍‌-୧ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ ମଧ୍ୟ ରୁସା-୨ରୁ ଶହେ କୋଟି ଟଙ୍କା ପାଇବାକୁ ଯୋଗ୍ୟତା ହାସଲ କରିଛି। ଏନେଇ କିଛି ମାସ ତଳେ ନୂଆଦିଲ୍ଲୀରେ ଅନୁଷ୍ଠିତ ଉତ୍କର୍ଷ ବିଶ୍ବବିଦ୍ୟାଳୟ ସମ୍ପର୍କିତ ବୈଠକରେ ଓଡ଼ିଶା ସରକାର ଭାଗନେଇଥିଲେ। ସେଠାରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ରିପୋର୍ଟ ‌ଉପସ୍ଥାପନ କରିବା ପରେ ଏବେ ପ୍ରଥମ ପର୍ଯ୍ୟାୟ‌େର ଅର୍ଥ ମିଳିଛି। ରୁସାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାଗ ରହିଛି। ତେଣୁ ୪୦ କୋଟି ମଧ୍ୟରୁ କେନ୍ଦ୍ର ସରକାର ପ୍ରାୟ ୨୫ କୋଟି ଦେବାକୁ ଥିବା ବେଳେ ରାଜ୍ୟ ସରକାର ୧୫ କୋଟି ଦେବେ। ପ୍ରଥମ ପର୍ଯ୍ୟାୟରେ ମିଳିଥିବା ଅର୍ଥର ବିନିଯୋଗ ରିପୋର୍ଟ ଦେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ବାକି ୬୦ କୋଟି ଟଙ୍କା ମିଳିବ ବୋଲି ସେ କହିଛନ୍ତି।

ରୁସା-୨ରେ ମିଳୁଥିବା ଅର୍ଥ କେବଳ ବିଶ୍ବବିଦ୍ୟାଳୟକୁ ଉତ୍କର୍ଷ କରିବା ପାଇଁ ଖର୍ଚ୍ଚ କରାଯିବ। ଯେତେବେଳେ କି ରୁସା-୧ରେ ମିଳିଥିବା ଅର୍ଥ ଭିତ୍ତିଭୂମି ବିକାଶ ପାଇଁ ଦିଆଯାଇଥିଲା। ଏହି ଅର୍ଥରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେବାକୁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ରୁସା-୧ରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ୨୦ କୋଟି ଟଙ୍କା ମିଳିଥିଲା। ସେଥିରୁ ୧୨ କୋଟି ୩୦ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଆହୁରି ପ୍ରାୟ ୭ କୋଟି ଟଙ୍କା ପଡ଼ିରହିଥିଲା। ସେଥିମଧ୍ୟରୁ ଏବେ ୫ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର