‘ସାଥ୍‌’ ଯୋଜନାର କାର୍ଯ୍ୟକାରିତା ନେଇ ମାନସମନ୍ଥନ

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ନିତି ଆୟୋଗର ‘ସାଥ୍‌’ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ନିତି ଆୟୋଗଙ୍କ ମଧ୍ୟରେ ବୁଝାମଣାପାତ୍ର ସ୍ୱାକ୍ଷର ହୋଇଛି। ନୂଆଦିଲ୍ଲୀଠାରେ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଓପେପା ନିର୍ଦେଶକ ମହେନ୍ଦ୍ର କୁମାର ମଲ୍ଲିକ ଓ ନିତି ଆୟୋଗର ପରାମର୍ଶଦାତା ଆଲୋକ କୁମାରଙ୍କ ମଧ୍ୟରେ ଏହି ବୁଝାମଣା ହୋଇଛି। ତାହାକୁ ଦୃଷ୍ଟିରେ ରଖି ବିଭାଗୀୟ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ କର୍ମଶାଳାରେ ଚୂଡ଼ାନ୍ତ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର କର୍ମଶାଳାକୁ ଉଦ୍‌ଘାଟନ କରିଥିବା ବେଳେ ବିଭାଗର ନିର୍ଦେଶକମାନେ, ୩୦ଟି ଜିଲ୍ଲାର ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀ ଏଥିରେ ଯୋଗଦେଇ ମାନସମନ୍ଥନ କରିଥିଲେ।

ଶିକ୍ଷା କ୍ଷେତ୍ରରେ ପରିବର୍ତନ ଲାଗି ‘ସାଥ୍‌’ ଯୋଜନାର ଅବଧି ୩୦ ମାସ ଧାର୍ଯ୍ୟ ହୋଇଛି। ବୋଷ୍ଟନ୍‌ କନ୍‌ସଲ୍‌ଟିଂ ଗ୍ରୁପ୍‌ ଓ ପିରାମଲ୍‌ ଫାଉଣ୍ଡେସନ୍‌ ଅଫ୍‌ ଏଜୁକେସନ ଲିଡରସିପ୍‌ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିତ ଭାବେ ଏହି ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବେ। ୩୦ ମାସ ମଧ୍ୟରୁ ପ୍ରଥମ ୬ ମାସ ଶିକ୍ଷା କ୍ଷେତ୍ରରେ ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ, ସମସ୍ୟା ଚିହ୍ନଟ, ଲକ୍ଷ୍ୟ ଧାର୍ଯ୍ୟ ଓ ଫଳପ୍ରଦ କାର୍ଯ୍ୟସୂଚୀର ରୋଡ୍‌ ମ୍ୟାପ୍‌ କରାଯିବ। ପରବର୍ତୀ ୨୪ ମାସରେ କାର୍ଯ୍ୟକ୍ରମଗୁଡ଼ିକର ଆବଶ୍ୟକ ସ୍ଥଳେ ଢାଞ୍ଚାଗତ ପରିବର୍ତନ କରାଯାଇ ନିର୍ଦିଷ୍ଟ ପଦକ୍ଷେପ ନିଆଯିବ। ଯୋଜନାର ସୁଫଳ ନେଇ ତୃତୀୟ ପକ୍ଷ ଦ୍ୱାରା ମୂଲ୍ୟାୟନ ହେବ।

ସମ୍ବନ୍ଧିତ ଖବର