ଆରମ୍ଭ ହେଲା ‘ସବୁ ଦିନ ଯିବା ସ୍କୁଲ୍‌’ ଅଭିଯାନ : ୧୦୦% ଉପସ୍ଥାନ ରହିଲେ ପଞ୍ଚାୟତ ପୁରସ୍କୃତ ହେବ

ଭୁବନେଶ୍ୱର : ପିଲାମାନଙ୍କୁ ସ୍କୁଲ୍‌ ମୁହାଁ କରିବାକୁ ରାଜ୍ୟ ସରକାର ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସ୍କୁଲ୍‌ଗୁଡ଼ିକରେ ଶତ ପ୍ରତିଶତ ଉପସ୍ଥାନ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ‘ସବୁ ଦିନ ଯିବା ସ୍କୁଲ୍‌, ଉପସ୍ଥାନ-୨୦୧୮ ଅଭିଯାନ’। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିଲେ, ସଂପୃକ୍ତ ପଞ୍ଚାୟତକୁ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ବ୍ୟକ୍ତିର ବିକାଶରେ ବିଦ୍ୟାଳୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କ ନିୟମିତ ଉପସ୍ଥାନକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ପିତାମାତା, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପଞ୍ଚାୟତ ସ୍ତରର ନିର୍ବାଚିତ ପ୍ରତିନିଧିଙ୍କୁ ଅଭିଯାନରେ ସାମିଲ୍‌ କରାଯାଇ ପ୍ରତି ଦିନ ସ୍କୁଲ୍‌ ଯିବାର ଆବଶ୍ୟକତା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରେ ସଚେତନତା କରାଯିବ। ଏଥି ସହିତ ବିଭିନ୍ନ ଗଣମାଧ୍ୟମ ଓ ପ୍ରଚାର ପୁସ୍ତିକା ଜରିଆରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଉନ୍ନୟନ କମିସନର୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ୟୁନିସେଫ୍‌ର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର