ପୁରୀ: ଶ୍ରୀଜିଉମାନଙ୍କ ସୁନାବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ: ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଗୁରୁବାର ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜିଉମାନଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କଲେ ପାପରୁ ମୁକ୍ତି ମିିଳିଥାଏ ବୋଲି ବିଶ୍ୱାସ କରାଯାଇଥାଏ। ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀଜିଉମାନଙ୍କୁ ସୁନା ବେଶ କରାଯାଇଛି। ଏହି ବେଶ ଅବକାଶ ଠାରୁ ଆରମ୍ଭ ହୋଇଥିବା ବେଳେ ରାତ୍ରି ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିବେ।

ଶାନ୍ତି ଶୃଙ୍ଖଳାର ସହିତ ଭକ୍ତଙ୍କ ଦର୍ଶନ କରାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଥିଲା। ଏଥି ପାଇଁ ବ୍ୟାପକ ପରିମାଣରେ ପୁଲିସ ମୁତୟନ କରାଯାଇଥିଲା।

ପରଂପରା ଅନୁସାରେ ଶ୍ରୀଜଗନ୍ନାଥଙ୍କର ବର୍ଷକୁ ୫ଥର ସୁନାବେଶ ହୋଇଥାଏ। ସେଥରୁ ମନ୍ଦିର ଭିତରେ ୪ଥର ହେଉଥିବା ବେଳେ ରଥଯାତ୍ରା ବେଳେ ଏକାଦଶୀ ତିଥିରେ ରଥ ଉପରେ ମଧ୍ୟ ସୁନାବେଶ ଅନୁଷ୍ଠିତ ହୋଇଥାଏ। ମନ୍ଦିର ଭିତରେ ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ସେହିଭଳି ଦୋଳ ବେଦୀରେ ମଧ୍ୟ ଆଜି ଠାକୁରଙ୍କୁ ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି।

ପବିତ୍ର ‘ହୋଲି’ ଅବସରରେ ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଥିବାରୁ ଚୋରି, ଲୁଟ ଭଳି ଘଟଣା ଉପରେ ପୁଲିସ ନଜର ରଖିଛି। ସେହିଭଳି ଲାଇଫ୍‌ ଗାର୍ଡ, ସମୁଦ୍ର ଥାନା ପୁଲିସ ମଧ୍ୟ ବେଳାଭୂମି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର