ସୁରକ୍ଷା ନେଇ ପ୍ରଶ୍ନ: ଶ୍ରୀମନ୍ଦିର କୋଇଲି ବୈକୁଣ୍ଠ ଫଟୋ ସୋସିଆଲ ମିଡିଆରେ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଫଟୋ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୁଧବାର ଜଣାପଡ଼ିଛି। ବେଢ଼ା ଓ କୋଇଲି ବୈକୁଣ୍ଠରେ ସେଲ୍ଫି ନେଇ ମହାରାଷ୍ଟ୍ରର କିଛି ପର୍ଯ୍ୟଟକ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ମାମଲା ଲୋକଲୋଚନକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଗତ ନଭେମ୍ବରରେ ମହାରାଷ୍ଟ୍ରରୁ ପ୍ରାୟ ୧୨ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଶ୍ରୀମନ୍ଦିର ପରିସରରେ ଥିବା କୋଇଲି ବୈକୁଣ୍ଠ ଓ ବେଢ଼ାରେ ବୁଲିଥିଲେ। କୋଇଲି ବୈକୁଣ୍ଠରେ ଉତ୍ସାହର ସହିତ ସେଲ୍ଫି ନେଇଥିଲେ। ପରେ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ସୂଚନାଯୋଗ୍ୟ କୋଟି ଜନତାର ଆସ୍ଥା ଓ ଭାବନାର ଆଶ୍ରୟ ସ୍ଥଳ କୁହାଯାଉଥିବା ଶ୍ରୀମନ୍ଦିରର ଫଟୋ ଅନେକ ସମୟରେ ଭାଇରରାଲ ହେଉଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ଭାବରେ ଶ୍ରୀମନ୍ଦିର ପୁଲିସ ମୁତୟନ କରାଯାଇଥିଲେ ମଧ୍ୟ କେହି କେହି ମୋବାଇଲ ନେଇ ଭିତରକୁ ପ୍ରବେଶ କରୁଛନ୍ତି। ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ପର୍ଯ୍ୟଟକମାନେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାରେ ଦୁର୍ବଳ ପ୍ରଶାସନିକ ବ୍ୟବସ୍ଥା ଓ ପଣ୍ଡାମାନଙ୍କୁ ଦାୟୀ ବୋଲି କହୁଛନ୍ତି।

ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା ବ୍ରହ୍ମ ପରିବର୍ତ୍ତନ ସମୟରୁ ଆରମ୍ଭ ହୋଇଥିଲା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୨୦୧୫ ନବକଳେବର କାଳରେ ପଣ୍ଡାମାନେ ବ୍ରହ୍ମକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ପରେ ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛି। ସେ ଯାହା ହେଉ, ଶ୍ରୀମନ୍ଦିର ସୁରକ୍ଷା ଓ ଯତ୍ନ ପ୍ରତି ନାଗରିକର ଦାୟିତ୍ୱ ତଥାପି ପୁଲିସର ବଳିଷ୍ଠ ଭୂମିକା ରହିଛି।

ସମ୍ବନ୍ଧିତ ଖବର