‘୬ ମାସରେ ୩୮ ହଜାର ଘର ନିର୍ମାଣ ସଂପୂର୍ଣ୍ଣ କର’

ଭୁବନେଶ୍ୱର : ରାଜ୍ୟର ୧୧୦ଟି ସହରାଞ୍ଚଳରୁ ମିଳିଥିବା ୨୨୭ଟି ପ୍ରକଳ୍ପ ମାଧ୍ୟମରେ ୫୯୧୨୧ଟି ବାସଗୃହ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୩୮ ହଜାର ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଆସନ୍ତା ୬ ମାସ ମଧ୍ୟରେ ଅନ୍ୟୂନ ୩୮ ହଜାର ଘର ନିର୍ମାଣ ସାରିବାକୁ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତିି।

ଆଜି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମଞ୍ଜୁରି ଓ ପରିଚାଳନା କମିଟି ବୈଠକରେ ଓଡ଼ିଶା ସହରାଞ୍ଚଳ ଆବାସ ଯୋଜନାରେ ୨୦ଟି ସହରର ନୂଆ ୨୩ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଏହି ମଞ୍ଜୁରି ଯୋଗୁଁ ୪୮୪୯ଜଣ ଅଧିକ ହିତାଧିକାରୀ ବାସଗୃହ ନିର୍ମାଣ ବାବଦ ସହାୟତା ପାଇପାରିବେ। ଏହି ଯୋଜନାରେ ହିତାଧିକାରୀ ଜଣକ ନିଜେ ନିଜର ବାସଗୃହ ନିର୍ମାଣ କରିବେ। ପ୍ରାୟ ୨୧ରୁ ୩୦ ବର୍ଗଫୁଟ୍‌ର ଗୃହ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ଏଥିମଧ୍ୟରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ୨ ଲକ୍ଷ ଟଙ୍କାର ସହାୟତା ଯୋଗାଇଦେବେ। ଅବଶିଷ୍ଟ ୧ ଲକ୍ଷ ଟଙ୍କା ପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କରୁ ଋଣ ଯୋଗାଣର ବ୍ୟବସ୍ଥା ହୋଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍‌ ଏହି ଯୋଜନା ସଂପର୍କରେ ତଥ୍ୟ ଦେଇଥିଲେ। ଗୃହ ନିର୍ମାଣ ମିସନ ନିର୍ଦେଶକ ସୁରେଶ ଚନ୍ଦ୍ର ଦଲାଲ୍‌ ମିଳିଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ସଂପର୍କିତ ସୂଚନା ଉପସ୍ଥାପନ କରିଥିଲେ। ଶ୍ରୀ ଦଲାଲ୍‌ଙ୍କ କହିବାନୁସାରେ ୩ଟି ସହରାଞ୍ଚଳରୁ କୌଣସି ପ୍ରକଳ୍ପ ପ୍ରସ୍ତାବ ମିଳିନାହିଁ। ବୈଠକରେ ଅର୍ଥ, ସାଧାରଣ ପ୍ରଶାସନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର