ହକି ବିଶ୍ୱ କପ ଉଦଘାଟନୀ ଉତ୍ସବରେ ଯୋଗଦେବେ ଶାହାରୁଖ, ଟ୍ୱିଟରରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭାରତୀୟ ହକି ଟିମକୁ ଉତ୍ସାହ ଯୋଗାଇବାକୁ  ଓଡ଼ିଶା ଆସିବେ ବଲିଉଡ ବାଦଶାହା ଶାହରୁଖ ଖାନ୍ । ଭୁବନେଶ୍ବରରେ ହକି ବିଶ୍ୱକପର ଉଦଘାଟନୀ ସମାରୋହରେ ଶାହାରୁଖ ଯୋଗ ଦେବେ ବୋଲି  ଟୁଇଟ୍ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨୭ ତାରିଖରେ ଉଦଘାଟନୀ ଉତ୍ସବରେ ଶାହାରୁଖ ଯୋଗ ଦେବେ । କିଙ୍ଗ୍ ଖାନଙ୍କ ସ୍ୱାଗତ ପାଇଁ ଓଡିଶାବାସୀ ଅାଗ୍ରହର ସହ ଅପେକ୍ଷା କରିଛନ୍ତି ବୋଲି ଟ୍ୱିଟ୍ ଯୋଗେ କହିଛନ୍ତି ନବୀନ ।

କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଟିମକୁ ଚିୟର କରିବାକୁ ଆସିବା ପାଇଁ କିଙ୍ଗ ଖାନଙ୍କୁ ଭିଡ଼ିଓ ଜରିଆରେ ଟ୍ୱିଟ୍ କରି ଆମନ୍ତ୍ରଣ କରିଥିଲେ ଭାରତୀୟ ହକି ଟିମର ସଦସ୍ୟ । ଏହାକୁ ରିଟ୍ୱିଟ୍ କରି ଶାହାରୁଖ କହିଛନ୍ତି, ହକି ବିଶ୍ୱକପରେ ଯୋଗ ଦେବା ନେଇ ମୋର ଜଣାଇବାରେ ବିଳମ୍ବ ହୋଇଯାଇଛି । ହେଲେ ମୁଁ ଆପଣମାନଙ୍କୁ ଉତ୍ସାହିତ କରିବାକୁ ନିଶ୍ଚିତ ଯୋଗ ଦେବି । ମୋତେ ମନେପକାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

ଏହାସହ ଶାହାରୁଖ ଟିମ ଇଣ୍ଡିଆକୁ ହକି ବିଶ୍ୱକପ ପାଇଁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ କହିଛନ୍ତି । ହକି ଭାରତର ଗର୍ବ ଓ ଗୌରବ । ତେଣୁ ହକି ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି କିଙ୍ଗ୍ ଖାନ ।  ଶାହାରୁଖଙ୍କ ଏହି ଟ୍ୱିଟକୁ ବେଶ ପସନ୍ଦ କରିଛନ୍ତି ହକି ପ୍ରେମୀ ।

ଆଉ ଏସବୁ ଭିତରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବକୁ ଚାତକ ଭଳି ଚାହିଁ ବସିଛନ୍ତି ହକି ପ୍ରେମୀ । କାରଣ ଏହି ସମାରୋହରେ ବଲିଉଡର ନାମୀ ଦାମୀ କଳାକାରଙ୍କ ସହ ଓସ୍କାର ବିଜେତା ଏ ଆର ରେହମାନଙ୍କ ସଙ୍ଗୀତରେ ଝୁମିବ କଳିଙ୍ଗ ଷ୍ଟାହିୟମ୍ । ଅନ୍ୟପଟେ ହକି ବିଶ୍ୱକପକୁ ନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ସଫଳ କରିବାକୁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି ।

ସମ୍ବନ୍ଧିତ ଖବର