ସହିଦ ପରିବାରରେ ଲୁହ ଶୁଖୁନି

ନିଆଳି/ଜଗତସିଂହପୁରଟାଉନ୍/ଗାରୋଇ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିତ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାର ଭିତରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି। ଦୁଃଖ ଭିତରେ ବି ପ୍ରତିକ୍ରିୟାରେ ସେମାନେ କହିଛନ୍ତି ଯେ, ସରକାର ଟେକାର ଜବାବ ପଥରରେ ଦିଅନ୍ତୁ। ସହିଦଙ୍କ ବଳିଦାନ ବ୍ୟର୍ଥ ନଯାଉ।

ଗତକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ୨ ଯବାନ ମନୋଜ ବେହେରା ଓ ପ୍ରସନ୍ନ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି ବି ମନୋଜଙ୍କ ଗାଁ କଟକ ଜିଲ୍ଲା ନିଆଳି ରତନପୁରରେ ଶୋକର ଛାୟା ଖେଳିଯାଇଛି। ମନୋଜଙ୍କ ପତ୍ନୀ ଲିଲିଲତା ପାକିସ୍ତାନ ବିରୋଧରେ ତୁରନ୍ତ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସରକାର ଟେକାର ଜବାବ୍‌ ପଥର‌ରେ ଦିଅନ୍ତୁ ବୋଲି ସେ କହିଛନ୍ତି। ସ୍ବାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବି ସ୍ବାମୀ ଦେଶ ପାଇଁ ସହିଦ ହୋଇଥିବାରୁ ସେ ଗର୍ବିତ ବୋଲି କୋହଭରା କଣ୍ଠରେ କହିଛନ୍ତି। ସେପଟେ, ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ‌ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି ମନୋଜଙ୍କ ମା’ ସାବିତ୍ରୀ ଓ ବାପା ଜିତେନ୍ଦ୍ର ବେହେରା। ପୁଅ ମୃତ୍ୟୁର ଖବର ପାଇବା ପରଠାରୁ ଏ ପର୍ଯ୍ୟନ୍ତ ସେ ଦୁହିଁଙ୍କ ଆଖିରୁ ଲୁହ ଶୁଖିନାହିଁ। ପୁଅ ସମ୍ପର୍କରେ ଯିଏ ପଚାରିଲେ ବି ମା’ ସାହିତ୍ରୀ କହୁଛନ୍ତି, ‘ସରକାର ସବୁ ଦେଇ ପାରିବେ। ହେଲେ, ମୋ ପୁଅକୁ କଣ ମୁଁ ଆଉ ଦେଖିପାରିବି? ଆମର ଏ ବୟସରେ କିଏ ସାହାରା ହେବ? ଏଭଳି ଦୁଃଖଦ ଘଟଣା ଆଉ କୌଣସି ମା’ ଭାଗ୍ୟରେ ନ ଘଟୁ’ ବୋଲି ସେ କହିଛନ୍ତି।

ସେହିଭଳି, ପ୍ରସନ୍ନଙ୍କ ଗାଁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ ପାରିଶିଖର ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ପରିବାର ସଦସ୍ୟଙ୍କ ଲୁହ ଗଡ଼ିବା ଏଯାବତ୍‌ ବନ୍ଦ୍‌ ହୋଇ ନାହିଁ। ସାରା ଗାଁ ବୀର ପୁଅକୁ ଝୁରି ହେଉଛି। ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ ଜବାବ ଦେବା ପାଇଁ ପରିବାର ଓ ଗାଁ ଲୋକ ଦୃଢ଼ ଦାବି କରିଛନ୍ତି। ଅନ୍ୟପଟରେ, ଗତକାଲି ସହିଦଙ୍କ ଝିଅ ବାରମ୍ବାର ଚେତାଶୂନ୍ୟ ହୋଇଥିଲେ। ଆଜି ତାଙ୍କୁ ପୁରୀ ଜିଲ୍ଳା ନୟାହାଟର ଏକ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ଫେରିବା ପରେ ସେ ଗୁମ୍‌ସୁମ୍‌ ବସି ରହିଛନ୍ତି। ପୁଅ ଜଗନ୍ ବି ଚୁପ୍‌ଚାପ୍‌ ବସି ରହୁଛନ୍ତି। ଅପରାହ୍ନ ୧ଟାରେ ନାଉଗାଁ ବ୍ଲକ୍ ଜନମଙ୍ଗଳ ଅଧିକାରୀ ଦେବାଶିଷ ସ୍ବାଇଁ ତାଙ୍କଘରେ ପହଞ୍ଚି ୨୫ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ତେବେ, ଚେକ୍‌ରେ ମୀନାଲତା ସାହୁ ବଦଳରେ ମୀନାରାଣୀ ସାହୁ ଥିବାରୁ ଚେକ୍ ଫେରସ୍ତ କରାଯାଇ ନୂୂତନ ଚେକ୍ ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର