୨୯ରୁ ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଆସନ୍ତା ୨୯ରୁ ମେ ୧ ତାରିଖ ପର୍ଯ୍ୟନ୍ତ ଚାରିଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୨୯ ତାରିଖ ସକାଳ ୯.୩୦ ରେ ଶତାବ୍ଦୀ ଭବନ, କଟକ ଠାରେ ଆୟୋଜିତ ‘ଓଡ଼ିଆ ଗୀତି କବିତା’ ସମ୍ପାନରେ ସଭାପତିତ୍ୱ କରିବେ ଅକାଦେମିର କାର୍ଯ୍ୟକାରିଣୀ ସଦସ୍ୟ ଅମରେଶ ପଟ୍ଟନାୟକ ଏବଂ ମୁଖ୍ୟ ଅତିିଥି ଭାବେ ଯୋଗଦେବେ ବିଶିଷ୍ଟ ଗାଳ୍ପିକ ତଥା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ଦେବାବେଳେ ମୂଳ ଭାଷଣ ପ୍ରଦାନ କରିବେ କୀର୍ତ୍ତନ ନାରାୟଣ ପାଢ଼ୀ। ଦୁଇଟି ଅଧିବେଶନରେ ପ୍ରବନ୍ଧ ପାଠ କରିବେ ଗୌର ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ମୀନାକ୍ଷୀ ଦେବୀ ଏବଂ ଶ୍ରୀଚରଣ ମହାନ୍ତି। ପ୍ରବନ୍ଧ ପାଠ ଅଧିବେଶନରେ ସଭାପତିତ୍ୱ କରିବେ ମାଳବିକା ରାୟ ଏବଂ ଗୌରହରି ଦଳାଇ। ସେହିଦିନ ସନ୍ଧ୍ୟାରେ ଶତାବ୍ଦୀ ଭବନ ଠାରେ ଆୟୋଜିତ ‘ମୁଲାକାତ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ ଗଳ୍ପ ଓ କବିତା ପାଠ କରିବେ ଅନିଲ କୁମାର ଦାଶ, ଅଶୋକ ପୁହାଣ, ମାନିନୀ ମିଶ୍ର, ମାତୃଦତ୍ତ ମହାନ୍ତି, ରବିନାରାୟଣ ଦାଶ ଏବଂ ଶୁଭ୍ରଜିତ ରାୟ। ୩୦ ତାରିଖ ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ସଚିବାଳୟ ମାର୍ଗ ସ୍ଥିତ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି ‘ମୋ ଦୃଷ୍ଟିରେ’ କାର୍ଯ୍ୟକ୍ରମ। ଏଥିରେ ବିଶିଷ୍ଟ ଲେଖିକା ଅର୍ଚ୍ଚନା ନାୟକଙ୍କ ଜୀବନ ଓ ସୃଜନ ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିବେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି। ସେହିପରି ମେ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ହୃଦୟାନନ୍ଦ ନାୟକ ସ୍ମାରକୀ ମହାବିଦ୍ୟାଳୟ, ଚାନ୍ଦୋଳ ଠାରେ ‘ଗ୍ରାମାଲୋକ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଗଳ୍ପ ଓ କବିତା ପାଠ କରିବେ ପ୍ରକାଶ କୁମାର ପରିଡ଼ା, ଯଶୋବନ୍ତ ସାମଲ, ଦିଲ୍ଲୀପ କୁମାର ସ୍ୱାଇଁ, ପ୍ରମୋଦ କୁମାର ପ୍ରତାପ ଏବଂ ସସ୍ମିତା ନାଥଶର୍ମା। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଲେଖକ ଲେଖିକା, ବୁଦ୍ଧିଜୀବୀ, ଗବେଷକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟଗଣ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର