୨୧ରୁ ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଆସନ୍ତା ୨୧ରୁ ୨୨ ତାରିଖ ପର୍ଯ୍ୟନ୍ତ ତିନିିଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୨୧ ତାରିଖ ଅପରାହ୍‌ଣ ୨ଟାରେ ସ୍ନାତକୋତ୍ତର ପରିଷଦ ସମ୍ମିଳନୀ କକ୍ଷ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଆଲୋଚନାଚକ୍ର ଆୟୋଜିତ ହୋଇଛି। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ କୁଳସଚିବ ଦୟାନିଧି ନାୟକ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେବେ। ସଭାମୁଖ୍ୟ ରହିବେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟା ଡକ୍ଟର ବିଷ୍ଣୁପ୍ରିୟା ଓତା। ଆଲୋଚକ ଭାବେ ଯୋଗ ଦେବେ ବିଶିଷ୍ଟ ସମାଲୋଚକ ନିତ୍ୟାନନ୍ଦ ଶତପଥୀ, ବିଶିଷ୍ଟ ପ୍ରାବନ୍ଧିକ ବାଉରୀବନ୍ଧୁ କର, ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ ଏବଂ ଡକ୍ଟର ମଣୀନ୍ଦ୍ର କୁମାର ମେହେର। ସେହିଦିନ ସନ୍ଧ୍ୟା ୬ଟାରେ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷ ଭୁବନେଶ୍ୱରରେ କଥାସନ୍ଧି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱରଚିତ ଗଳ୍ପପାଠ କରିବେ ବିଶିଷ୍ଟ କଥାକାର କମଳାକାନ୍ତ ମହାପାତ୍ର।

୨୨ ତାରିଖ ସକାଳ ୧୦ଟା ୩୦ରେ ବାଲେଶ୍ୱର ଜିଳ୍ଲାର ଜଳେଶ୍ୱରସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସଭାଗୃହରେ ଭକ୍ତକବି ଦୀନକୃଷ୍ଣ ଦାସ ସମ୍ପାନ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ବିଶିଷ୍ଟ ପ୍ରାବନ୍ଧିକ ବୈଷ୍ଣବ ଚରଣ ସାମଲ ଏବଂ ସଭାମୁଖ୍ୟ ରହିବେ ଦୀନକୃଷ୍ଣ ସ୍ମୃତି ପରିଷଦ, ଜଳେଶ୍ୱରର ପ୍ରତିଷ୍ଠାତା ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ। ଉପକ୍ରମଣିକା ରଖିବେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହ ଏବଂ ସାରାଂଶ ଉପସ୍ଥାପନ କରିବେ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପ୍ରଦୀପ୍ତ କୁମାର ପଣ୍ଡା। ଦୁଇଟି ଅଧିବେଶନରେ ଭିତ୍ତି ପ୍ରବନ୍ଧ ପାଠ କରିବେ ହରିଶ୍ଚନ୍ଦ୍ର ବେହେରା, ଶିରିଶ ଚନ୍ଦ୍ର ଜେନା, ଅରବିନ୍ଦ ଗିରି, ଭାଗବତ ବେହେରା ଏବଂ ସଭାମୁଖ୍ୟ ରହିବେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ବିମଳ ଜେନା ଓ ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଲେଖକ ଲେଖିକା, ବୁଦ୍ଧିଜୀବୀ, ଗବେଷକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟଗଣ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର